ପାର୍ବଣ ପରିବେଶରେ ପରିବର୍ତ୍ତନ ଆଣିଛି ପୂଜା କମିଟି, ଶାନ୍ତି କମିଟି

୧୯୭୧ରୁ ମହାନଗର ପୂଜା କମିଟି, ୧୯୮୩ରୁ ଶାନ୍ତି କମିଟି

କଟକ,୩।୯(ଇମିସ): କଟକରେ ସୀମା ବିବାଦ ଏକ ସାଧାରଣ ଘଟଣା ଥିଲା। ଚାନ୍ଦା ଆଦାୟକୁ ନେଇ, ପୂଜାପାର୍ବଣରେ ଶୋଭାଯାତ୍ରାକୁ ନେଇ ବିବାଦ ମୁଣ୍ଡ ଟେକୁ ଥିଲା। ଆଉ ଦଶହରା, କାଳୀପୂଜା ଭସାଣିରେ ଏହି ବିବାଦ ଭୀଷଣ ରୂପ ନେଉଥିଲା। ଏହାକୁ ନେଇ ଅତୀତରେ ଅନେକ ବଡ଼ ଗଣ୍ଡଗୋଳ ହୋଇଛି। ମୁଣ୍ଡ ବି ଗଡ଼ିଛି। ଏଭଳି ସ୍ଥିତିକୁ ନିୟନ୍ତ୍ରଣ କରିବାରେ ପୁଲିସ, ପ୍ରଶାସନ, ନେତା ବିଫଳ ହୋଇଥିବା ଘଟଣା ସହରବାସୀଙ୍କୁ ଅଛପା ନାହିଁ। କିନ୍ତୁ କଟକ ସହରରେ ଏବେ ଏସବୁ ଅଘଟଣ ଇତିହାସ ପାଲଟିଗଲାଣି। ଆଉ ଗଣ୍ଡଗୋଳ ନାହିଁ। ଗଣ୍ଡଗୋଳ ଏବେ ବନ୍ଧୁମିଳନର ରୂପ ‌ନେଇଛି। ସହର ଶୃଙ୍ଖଳିତ ହୋଇଛି, ସହରବାସୀଙ୍କ ମଧ୍ୟରେ ଭାଇଚାରା ଆହୁରି ସୁଦୃଢ଼ ହୋଇଛି। ସହର ସ୍ଥିତି ସୁଧାରିବାରେ ମହାନଗର ପୂଜା କମିଟି, ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟିର ପ୍ରମୁଖ ଭୂମିକା ରହିଛି।

ଜିଲ୍ଲାପାଳ ପ୍ୟାରୀ‌‌ମୋହନ ସାମନ୍ତରାୟ ଥିଲେ ମହାନଗର ପୂଜା କମିଟିର ପ୍ରଥମ ସଭାପତି
କଟକ ସହରର ସେତେବେଳର ସ୍ଥିତିକୁ ଅନୁଧ୍ୟାନ କରି ତତ୍କାଳୀନ ଜିଲ୍ଲାପାଳ ପ୍ୟାରୀ‌ମୋହନ ସାମନ୍ତରାୟ କଟକ ମହାନଗର ପୂଜା କମିଟିର ପରିକଳ୍ପନା କରିଥିଲେ। କଟକର ମୁରବିମାନଙ୍କୁ ଏକାଠି କରି ୧୯୭୧ମସିହାରେ ଗଢ଼ିଥିଲେ କଟକ ମହାନଗର ପୂଜା କମିଟି। ଦୁର୍ଗା, କାଳୀ, କାର୍ତ୍ତିକେଶ୍ବର ପୂଜା ଓ ଭସାଣି ‌ଶୋଭାଯାତ୍ରାକୁ ଶୃଙ୍ଖଳିତ କରିବା ଆଭିମୁଖ୍ୟ ନେଇ ଏହି କମିଟି ଗଢ଼ାଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ସାମନ୍ତରାୟ ଏହାର ପ୍ରଥମ ସଭାପତି ଓ ଅକ୍ଷୟ କୁମାର ପଣ୍ଡା କମିଟିର ପ୍ରଥମ ସାଧାରଣ ସଂପାଦକ ରହିଲେ। କମିଟି ଗଢ଼ାଯିବା ପରେ କିଛିଟା ଶୃଙ୍ଖଳା ଦେଖାଗଲା। ସେହିଦିନୁ କଟକ ମହାନଗର ପୂଜା କମିଟି ପୂଜାପାର୍ବଣରେ ପ୍ରମୁଖ ଭୂମିକା ନିର୍ବାହ କରିଛି। ପରମ୍ପରା ଅନୁସାରେ କଟକ ଜିଲ୍ଲାପାଳ ଏହାର ସଭାପତି ଅଟନ୍ତି। ଏବେ ଭବାନୀ ଶଙ୍କର ଚୟନୀ ମହାନଗର ପୂଜା କମିଟି ସଭାପତି ରହିଥିବା ବ‌େଳେ ଅକ୍ଷୟ ପଣ୍ଡାଙ୍କ ଦେହାନ୍ତ ପରେ ୧୯୯୩ରୁ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି।

ବାଘମଙ୍ଗଳା ମନ୍ଦିରରେ ଗଢ଼ା ଯାଇଥିଲା ମହାନଗର ଶାନ୍ତି କମିଟି
୧୯୮୩ମସିହା ଅକ୍ଟୋବର ୮ତାରିଖରେ ତତ୍କାଳୀନ ଜିଲ୍ଲାପାଳ ପ୍ୟାରୀମୋହନ ସାମନ୍ତରାୟ ସହରର ସବୁ ପୂଜା କମିଟି କର୍ମକର୍ତ୍ତାଙ୍କୁ ବାଘମଙ୍ଗଳା ମନ୍ଦିରରେ ଏକାଠି କରିଥିଲେ। ପୂଜା କମିଟି ମାନଙ୍କୁ ଏକାଠି କରିବାରେ ତତ୍କାଳୀନ ଡିଆଇପିଆରଓ ବିଶ୍ବେଶ୍ବର ଦେଓ ଓ ବରି‌ଷ୍ଠ ସହଯୋଗୀ ମଧୁ ପଣ୍ଡା ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

ସେଠାରେ ପୂଜା ପାର୍ବଣ ବିଷୟରେ ଆଲୋଚନା କରାଯାଇ ଗଢ଼ା ହେଲା ‘କଟକ ମହାନଗର ଶାନ୍ତି କମିଟି’। ମଙ୍ଗଳାବାଗ ନୂଆପାଟଣା ଅଞ୍ଚଳର ବରି‌ଷ୍ଠ ମୁରବି ମଦନମୋହନ ଦାସ ଏହାର ପ୍ରଥମ ସଭାପତି, ଶରତ ଚନ୍ଦ୍ର ତ୍ରିପାଠୀ କାର୍ଯ୍ୟକାରୀ ସଭାପତି ଓ ସଂଗ୍ରାମ କେଶରୀ ମହାପାତ୍ର ଏହାର ପ୍ରଥମ ସାଧାରଣ ସଂପାଦକ ରହିଲେ। ସେତେବେଳେ ସହରରେ ୭୫ରୁ ୮୦ଟି ପୂଜା କମିଟି ଥିଲା। ମଦନମୋହନ ଦାସଙ୍କ ପରେ ସଭାପତି ହେଲେ କ୍ଷେତ୍ରମୋଦନ ଦାସ। ସଂଗ୍ରାମ କେଶରୀ ମହାପାତ୍ରଙ୍କ ପରଲୋକ ପରେ ୧୯୮୩ର ପ୍ରତିଷ୍ଠାତା ସଭ୍ୟ ଭିକାରି ଦାସ ୨୦୦୦ରୁ ୨୦୦୨ପର୍ଯ୍ୟନ୍ତ ଭାରପ୍ରାପ୍ତ ସାଧାରଣ ସଂପାଦକ ରହିଲେ ଓ ୨୦୦୨ରୁ ନିର୍ବାଚିତ ହୋଇ ଭିକାରି ଦାସ ୨୦୨୪ ମସିହା ପର୍ଯ୍ୟନ୍ତ କମିଟିର ସଂପାଦକ ଅଛନ୍ତି। ସେହପରି ପୂର୍ବତନ ସଭାପତି କ୍ଷେତ୍ରମୋହନ ଦାସ ପରଲୋକ ପରେ ୨୦୧୨ରୁ ଅଦ୍ୟାବଧି ଦେବେନ୍ଦ୍ରନାଥ ସାହୁ ମହାନଗର ଶାନ୍ତି ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ଏବେ ପୂଜା ମଣ୍ଡପ ସଂଖ୍ୟା ୧୭୦ ଟପିଥିଲେ ମଧ୍ୟ ପୂଜାପାର୍ବଣ ‌ବେଶ ଶୃଙ୍ଖଳିତ ହୋଇପାରିଛି।

ନୃସିଂହ ମଲ୍ଲ ଗଢ଼ିଥିଲେ ପୂର୍ବାଞ୍ଚଳ ଶାନ୍ତି କମିଟି
ଶିଖରପୁର ଅଞ୍ଚଳର ବରି‌ଷ୍ଠ ମୁରବି କଟକ ପୂର୍ବାଞ୍ଚଳର କିଛି ପୂଜା କମିଟିକୁ ନେଇ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ଗଢ଼ିଥିଲେ। ପୂର୍ବତନ ଜିଲ୍ଲାପାଳ ଅଶ୍ବିନୀ ବୈଷ୍ଣବଙ୍କ ସମୟରେ ପୂର୍ବାଞ୍ଚଳ ପୂଜା ମଣ୍ଡପମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ଏକତା ରକ୍ଷା କରିବା ଉଦ୍ଦେଶ୍ୟରେ ଏହା ଗଢ଼ାଯାଇଥିଲା। ପୂର୍ବରୁ ମୁରବି ଟୁଲୁ ମହାନ୍ତି, ଶରତ କୁମାର ସାହୁ, ବିଭୂତି ଭୂ‌ଷଣ ଜେଠୀ ଏହାର ପ୍ରମୁଖ କର୍ମକର୍ତ୍ତା ରହିଥିଲେ। ପୂର୍ବତନ ସଭାପତି ଶରତ କୁମାର ସାହୁଙ୍କ ମୃତ୍ୟୁ ପରେ ବିଜୟ କୁମାର ସାହୁ ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ରହିଥିବା ‌ବେଳେ ଶଙ୍କରପୁର ମୁରବି ବିଭୂତି ଭୂଷଣ ଜେଠୀଙ୍କ ପରଲୋକ ପରେ ପ୍ରଫୁଲ କୁମାର ସାହୁ ଏହାର ସାଧାରଣ ସଂପାଦକ ରହିଛନ୍ତି। ଏବେ ପୂର୍ବାଞ୍ଚଳର ୫୦ରୁ ଅଧିକ ପୂଜାମଣ୍ଡପ ପୂର୍ବାଞ୍ଚଳ ଶାନ୍ତି କମିଟି ସଭ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର