ଏସ୍‌ସିବିରେ ଗୁରୁବାରଠାରୁ ଖୋଲିବ ‘ଫିଭର୍‌ କ୍ଲିନିକ୍’, ଜିଲ୍ଲାରେ ୭୦ ନୂଆ ସଂକ୍ରମିତ; ଏସ୍‌ସିବିରେ କୋଭିଡ୍‌ ୱାର୍ଡ କିନ୍ତୁ ଫାଙ୍କା

କଟକ: ରାଜ୍ୟରେ କରୋନା ଗ୍ରାଫ୍‌ ଏବେ ଉପରମୁହାଁ। ସଂକ୍ରମିତଙ୍କ ଭିତରେ ଗୁରୁତରଙ୍କ ସଂଖ୍ୟା ବେଶୀ ନଥିଲେ ସୁଦ୍ଧା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି। କଟକ ବଡ଼ ଡାକ୍ତରଖାନାରେ ଗୁରୁବାରଠାରୁ ଫିଭର କ୍ଲିନିକ ଖୋଲିବା ନିମନ୍ତେ ଆଜି ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚକ୍ଷୁରୋଗ ବିଭାଗ ପାଖରେ ଗୁରୁବାର ଠାରୁ ଏହା କାର୍ଯ୍ୟ କରିବ। ଏସ୍‌ସିବି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ୨୦ ଭିତରେ ନମୁନା ପରୀକ୍ଷା ହେଉଥିବାବେଳେ ଏହାକୁ ବଢାଇ ଦିଆଯାଇଛି। ଏବେ ଆନୁମାନିକ ଦୈନିକ ୪ଶହ ନମୁନା ପରୀକ୍ଷା କରାଯାଉଥିବା ଜଣାପଡିଛି। ତେବେ ଆଜି କଟକରୁ ୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ୨୪୮ ରହିଛି। ୭୦ ନୂଆ ସଂକ୍ରମିତଙ୍କ ମଧ୍ୟରୁ ସହରରୁ ୩୮ ଓ ଗ୍ରାମାଞ୍ଚଳରୁ ୩୨ ଜଣ ଅଛନ୍ତି। କିନ୍ତୁ ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଏଯାଏ ଜଣେ ବି ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇ ନାହାନ୍ତି। ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଏସ୍‌ସିବି ମେଡ଼ିକାଲ ଉତ୍ସର୍ଗୀକୃତ କୋଭିଡ଼ ହସ୍ପିଟାଲର ୟୁନିଟ-୩ ଓ ୪ ପୁନଃ କାର୍ଯ୍ୟକ୍ଷମ ହୋଇଛି।

ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଥିବା ୟୁନିଟ-୩ରେ ମାତ୍ର ୫ଟି ଶଯ୍ୟା ବ୍ୟବସ୍ଥା ହୋଇଛି। କୌଣସି ପ୍ରସୂତି କୋଭିଡ ସଂକ୍ରମିତ ହେଲେ ଉକ୍ତ ୟୁନିଟରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେବେ। ଏହାଛଡ଼ା ଯକ୍ଷ୍ମା ଓ ଛାତି ରୋଗ ବିଭାଗରେ ୟୁନିଟ-୪ କାର୍ଯ୍ୟକ୍ଷମ ହୋଇଛି। ଏଠାରେ ୧୫ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି। ସାଧାରଣ କୋଭିଡ଼ ସଂକ୍ରମିତଙ୍କୁ ଏଠାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ମୋଟ ୨୦ ଶଯ୍ୟା ବ୍ୟବସ୍ଥା ହୋଇଥିବା ବେଳେ ଆଗାମୀ ଦିନରେ କୋଭିଡ୍ ସ୍ଥିତି ବୃଦ୍ଧି ପାଇଲେ ଶଯ୍ୟା ବଢ଼ାଯିବା ସହିତ ଅବଶିଷ୍ଟ ୟୁନିଟ-୧ ଓ ୨ ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଯାଏ କିନ୍ତୁ ଦୁଇଟି ଯାକ ଡିସିଏଚ୍ ଫାଙ୍କା ପଡ଼ିଛି।

ସମ୍ବନ୍ଧିତ ଖବର