ସିଗ୍‌ନାଲ୍‌ରେ ଆର୍ଥିକ ସଂକଟ: ଦରମା ଦେବାକୁ ଟଙ୍କା ନାହିଁ, କୋଟିଏ ୬୦ ଲକ୍ଷ ଦେବାକୁ ଚିଠି

କଟକ: ଓଡ଼ିଶା ପୁଲିସର ସିଗନାଲ୍‌ ଏଷ୍ଟାବ୍ଲିସମେଣ୍ଟରେ ଠିକା ଭିତ୍ତିରେ କାମ କରୁଥିବା କନଷ୍ଟେବଳ(କମ୍ୟୁନିକେସନ୍) ପଦବିରେ କାମ କରୁଥିବା କର୍ମଚାରୀଙ୍କୁ ଗଲା ଦୁଇ ମାସ ହେବ ଦରମା ମିଳିନାହିଁ। ଆସନ୍ତା ଆର୍ଥିକବର୍ଷ ଯାଏ ଦରମା ଟଙ୍କା ମୋଟ ୧ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁରୀ ମିଳି ନଥିବାରୁ ଦରମା ମିଳିପାରୁ ନାହିଁ। ଦରମା ନମିଳିବାରୁ ଚାକିରି ଆରମ୍ଭରୁ ସିଗନାଲ୍ ବିଭାଗରେ ଏଭଳି ଅବ୍ୟବସ୍ଥାକୁ ନେଇ ଯୁବ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଲାଣି। ସିଗନାଲ୍‌ରେ ୨୦୨୧ ସେପ୍ଟେମ୍ବର ୮ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଠିକା କନଷ୍ଟେବଳ(କମ୍ୟୁନିକେସନ୍) ପଦବି ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଶିକ୍ଷାଗତ ଯୋଗ୍ୟତାରେ ଯୁକ୍ତ ଦୁଇ ବିଜ୍ଞାନ କିମ୍ବା ଇଞ୍ଜିନିୟରିଂରେ ୩ ବର୍ଷୀୟା ଡିପ୍ଲୋମା କୋର୍ସ କରିଥିବା ବାଧ୍ୟତାମୂଳକ ଥିଲା। ଏହି ସର୍ତ୍ତ ଅନୁଯାୟୀ ମେଧାବୀ ପ୍ରାର୍ଥୀମାନେ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ୧୫୦ ଜଣ କନଷ୍ଟେବଳଙ୍କୁ ନିଯୁକ୍ତି ପାଇଁ ଚୟନ କରାଯାଇଥିଲା। ୨୦୨୧ ଡିସେମ୍ବରରେ ୨୦୨୨ ଜାନୁଆରି ୧୨ ତାରିଖରେ ଏଥିରୁ ୧୪୭ ଜଣ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଅବଶିଷ୍ଟ ୩ ଜଣ ଯୋଗ ଦେଇ ନଥିଲେ। ୧୦୦ ଜଣ କନଷ୍ଟେବଳ ସିଗନାଲ୍ ଏଷ୍ଟାବ୍ଲିସମେଣ୍ଟରେ କାର୍ଯ୍ୟ କରୁଥିବା ବେଳେ ଅବଶିଷ୍ଟ ୪୭ ଜଣ କନଷ୍ଟେବଳ ରାଜ୍ୟର ବିଭିନ୍ନ ଇଣ୍ଡିଆ ରିଜର୍ଭ ବାଟାଲିୟନ୍‌(ଆଇଆର୍‌ବି)ରେ କାମ କରୁଛନ୍ତି। ୨୦୨୧ ଅକ୍ଟୋବର ୨୭ ତାରିଖରେ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଏହି କନଷ୍ଟେବଳ(କମ୍ୟୁନିକେସନ୍) ପଦବି ପାଇଁ ପ୍ରତି ମାସରେ ୧୩ ହଜାର ୫୦୦ ଟଙ୍କା ଲେଖାଏ ଦରମା ପାଇବାକୁ ଉଲ୍ଲେଖ ରହିଛି।

ସେହି ଅନୁଯାୟୀ, ସିଗନାଲ୍‌ରେ କାମ କରୁଥିବା ଏହି ୧୦୦ ଜଣ କନଷ୍ଟେବଳଙ୍କ ପାଇଁ ମାସିକ ୧୩ ଲକ୍ଷ ୫୦ ଟଙ୍କା ପାଇବେ। ୨୦୨୩ ମାର୍ଚ୍ଚ ୩୧ ତାରିଖ ଯାଏ ଗୋଟିଏ ଆର୍ଥିକ ବର୍ଷରେ ୧ କୋଟି ୬୨ ଲକ୍ଷ ଟଙ୍କା ପାଇବାକୁ ଯାଉଛନ୍ତି। ସ୍ଥିର ହୋଇଥିବା ଦରମା ଅନୁଯାୟୀ ଜାନୁଆରି ଓ ଫେବ୍ରୁଆରି ମାସର ଦରମା ମିଳିଥିବା ବେଳେ ଏବେ ଦରମା ଦେବାକୁ ଆଉ ଟଙ୍କା ନାହିଁ। ମାର୍ଚ୍ଚ ପରଠାରୁ କର୍ମଚାରୀଙ୍କୁ ଦରମା ମିଳିନାହିଁ। ଏହି କର୍ମଚାରୀ ପ୍ରଥମେ ଛତିଆ ବଇରୀରେ ୩ ମାସିଆ ତାଲିମ୍ ନେବା ପରେ ଏବେ କଟକ ସିଗନାଲ୍ ମୁଖ୍ୟାଳୟରେ ସିସିଟିଏନ୍‌ଏସ୍ ଟ୍ରେନିଂ ନେଉଛନ୍ତି। ଟଙ୍କା ମଞ୍ଜୁରି ମିଳି ନଥିବାରୁ କର୍ମଚାରୀମାନେ ସେମାନଙ୍କ ଦରମା ପାଇବାରୁ ବଞ୍ଚିତ ହେଉଥିବାରୁ ସିଗନାଲ୍‌ରେ ଅସନ୍ତୋଷ ଦେଖିବାକୁ ମିଳିଛି। କଟକ ସିଗନାଲ୍ ଏସ୍‌ପିଙ୍କ ପକ୍ଷରୁ ଗଲା ଏପ୍ରିଲ ୧୯ ତାରିଖରେ ଏକ ଚିଠି(ନଂ ୧୨୮୮/ଇ) ଆଇ.ଜି ମଡର୍ଣ୍ଣାଇଜେସନ୍‌ଙ୍କୁ ଦରମା ଟଙ୍କା ସଂକ୍ରାନ୍ତରେ ଲେଖା ଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ଉପରେ କୌଣସି ପ୍ରକାର ନିଷ୍ପତ୍ତି ରାଜ୍ୟ ସରକାର ନେଇନାହାନ୍ତି। ଏଭଳି ସ୍ଥିତିରେ ଠିକା କର୍ମଚାରୀଙ୍କ ଦରମାକୁ ନେଇ ଅନିଶ୍ଚିତତା ଆରମ୍ଭରୁ ଦେଖାଦେଲାଣି। ଟଙ୍କା ମଞ୍ଜୁର ସଂକ୍ରାନ୍ତରେ ସିଗନାଲ୍ ପକ୍ଷରୁ ରାଜ୍ୟ ସରକାରୀଙ୍କୁ ପୂର୍ବରୁ ଚିଠି ଲେଖିଥିଲେ, ହୁଏତ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ବରିଷ୍ଠ ପୁଲିସ ଅଧିକାରୀମାନେ ମତ ରଖୁଛନ୍ତି। ଅନ୍ୟପଟେ କଟକ ସିଗନାଲ୍ ଏସ୍‌ପି ରବିନାରାୟଣ ବେହେରା କହିଛନ୍ତି ଯେ ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି। ଟଙ୍କା ମଞ୍ଜୁରୀ ହୋଇ ଆସିଲେ ଦିଆଯିବ।

ସମ୍ବନ୍ଧିତ ଖବର