ମାଲଗୋଦାମ ଥାନା ପୁଲିସର ଦୁର୍ବ୍ୟବହାର ଅଭିଯୋଗ ମାମଲା; ପୂର୍ବ ନିର୍ଦ୍ଦେଶର ପରିବର୍ତ୍ତିତ ବିଚାର ପାଇଁ ମାନବାଧିକାର କମିସନଙ୍କୁ ନିର୍ଦ୍ଦେଶ

କଟକ: ଜଣେ ବ୍ୟବସାୟୀଙ୍କ ଗୋଦାମ ଦୁର୍ବୃତ୍ତ ଭଙ୍ଗାରୁଜା ଘଟଣାରେ ମାଲଗୋଦାମ ଥାନା ପୁଲିସ ସହଯୋଗ ବଦଳରେ ଦୁର୍ବ୍ୟବହାର କରିବା ଅଭିଯୋଗ ସଂପର୍କିତ ମାମଲାରେ ୨୦୨୦, ଜୁନ୍ ୨୨ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶରେ ଆବଶ୍ୟକ ପରିବର୍ତ୍ତନ ପ୍ରସଂଗରେ ରାଜ୍ୟ ମାନବାଧିକାର କମିସନ ବିଚାର କରି ଯଥାଶୀଘ୍ର ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିବେ। ଏ ନେଇ ଆବେଦନକାରୀ ଦାଖଲ କରିଥିବା ଆବେଦନକୁ କମିସନଙ୍କ ପକ୍ଷରୁ ବିଚାରକୁ ନିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ମାନବାଧିକାର ଉଲ୍ଲଂଘନ ପ୍ରସଂଗ ନେଇ ଆବେଦନକାରୀ ଦାଖଲ କରିଥିବା ଅଭିଯୋଗକୁ ମାନବାଧିକାର କମିସନ ବିଚାର ପାଇଁ ଗ୍ରହଣ କରି ୨୦୨୦, ଜୁନ୍ ୨୨ରେ ମାଲଗୋଦାମ ଥାନା ଆଇଆଇସିଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ମାଲଗୋଦାମ ଥାନା ଆଇଆଇସି ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ରହିଥିବା ବେଳେ ମାନବାଧିକାର କମିସନ୍ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ମାଲଗୋଦାମ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେବା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ମାଲଗୋଦାମ ଥାନା ଆଇଆଇସିଙ୍କଠାରୁ ‌ ବରିଷ୍ଠ ପାହ୍ୟାର ଜଣେ ପୁଲିସ ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ମାନବାଧିକାର କମିସନଙ୍କ ନିକଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ମାମଲାରେ ରାଜ୍ୟ ଗୃହ ବିଭାଗ, କଟକ ଡିସିପି, ମାଲଗୋଦାମ ଥାନାର ଆଇଆଇସି, ଦୁଇ ଏସ୍‌ଆଇଙ୍କ ସହିତ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳକୃଷ୍ଣ ମହାନ୍ତି ମାମଲା ପରିଚାଳନା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ, ପାଟରାସାହିର ବ୍ୟବସାୟୀ ଶ୍ରୀମତୀ କରଙ୍କ ଅଭିଯୋଗ ଅନୁଯାୟୀ, ଯୋବ୍ରାରେ ସେ ଘରଭଡ଼ା ନେଇ ଗୋଦାମ କରିଥିବାବେଳେ ଗତବର୍ଷ ଜାନୁଆରି ୨୧ ତାରିଖ ଦିନ ପ୍ରାୟ ୧ଟା ୩୦ ବେଳେ ଗୋଦାମ ବନ୍ଦ କରି ତାଙ୍କ ପୁଅ ଘରକୁ ଆସିଥିଲେ। ଦିନ ପ୍ରାୟ ୨ଟା ବେଳେ କିଛି ଦୁର୍ବୃତ୍ତ ଗୋଦାମ ତାଲା ଭାଙ୍ଗୁଥିବା ଖବର ପାଇ ସେଠାରେ ପହଞ୍ଚିଥିଲେ।

ଏଭଳି ସ୍ଥିତି ଦେଖି ଆବେଦନକାରୀଙ୍କ ପୁଅ ମାଲଗୋଦାମ ଥାନା ଆଇଆଇସିଙ୍କୁ ଫୋନ୍ କରି ଘଟଣା ପ୍ରସଂଗରେ ଅବଗତ କରିବା ସହିତ ପୁଲିସ ବଳ, ପିସିଆର୍ ଭ୍ୟାନ୍ ପଠାଇବାକୁ କହିଥିଲେ। କିନ୍ତୁ ଆଇଆଇସି ତାଙ୍କୁ ଓଲଟି କହିଥିଲେ ‘ଆମେ କ’ଣ ଆପଣଙ୍କ ଘରର ଚାକର ନା’ କଣ…’। ଏଥି ସହିତ ଘଟଣାସ୍ଥଳରୁ ଚାଲିଯିବାକୁ ଆବେଦନକାରୀଙ୍କୁ ଆଇଆଇସି କହିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହାପରେ ଡିସିପିଙ୍କ ଏହି ପ୍ରସଂଗରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ପୁଲିସ ଏ ନେଇ ମାମଲା ରୁଜୁ କରିଥିଲା। କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଆବେଦନକାରୀଙ୍କୁ କେତେକ ବ୍ୟକ୍ତି ଏହି ଘଟଣା ପରେ ଧମକ ଚମକ ଦେଇଥିଲେ। ଦୁର୍ବୃତ୍ତମାନେ ଗୋଦାମ ଭଙ୍ଗାରୁଜା କରୁଥିବାରୁ ପୁଲିସ ସହଯୋଗ ପାଇଁ ଫୋନ୍ କରି ଏଭଳି ନିର୍ଯାତନାର ଶିକାର ହୋଇଥିବା ଆବେଦନକାରୀ ଏହାପରେ ମାନବାଧିକାର କମିସନରଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର