କଟକ: ବାହାର ରାଜ୍ୟରେ ନିଆଁ ଲାଗିଲେ ଓଡ଼ିଶାରେ ତା’ର ଧାସ ପଡେ। ଅର୍ଥାତ ଅଗ୍ନିଶମ ବିଭାଗ ତୁରନ୍ତ ଏହାକୁ ନେଇ ତନାଘନା ଆରମ୍ଭ କରି ଦିଏ। ଗତକାଲି ତାହା ହିଁ ଘଟିଛି। ଅଗ୍ନିଶମ ଡିଜି ରାଜ୍ୟର ମେଡିକାଲ ଓ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ପାଇବାର ୨୪ ଘଣ୍ଟା ପରେ ଏ ନେଇ ଯାଞ୍ଚ୍ ମଧ୍ୟ ଆରମ୍ଭ ହୋଇଛି। ଆଜି କଟକ ଅଶ୍ବିନୀ ହସ୍ପିଟାଲରେ ଫାୟାର ଅଡିଟ୍ କରାଯାଇଛି। ତେବେ ଯେଉଁ ମେଡିକାଲର ବ୍ୟବସ୍ଥା ଅଛି ସେଠାକୁ ନଯାଇ କଟକରେ ବିନା ଏନଓସିରେ ଚାଲିଥିବା ମେଡିକାଲ ଗୁଡିକୁ ଯାଞ୍ଚ କରାଯାଉନାହିଁ। କଟକର ଶତକଡା ୯୦ ପ୍ରତିଶତ କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ୍ ନିୟମ ମୁତାବକ ଫାୟାର ଏନଓସି ପାଇବାକୁ ଯୋଗ୍ୟ ବିବେଚିତ ହେଉ ନାହାନ୍ତି। ୨୦୧୯ରେ ଅଗ୍ନିଶମ ବିଭାଗର ଯେଉଁ ନିୟମ ସଂଶୋଧିତ ହୋଇଛି ତାହାର ଯଦି ଠିକ୍ ପରିପାଳନ କରାଯାଏ ଅଧିକାଂଶ ମେଡିକାଲରେ ତାଲା ଝୁଲିବ। ଏପରିକି କଟକର ବହୁ ମେଡିକାଲ ଏବେ ଆଇସିୟୁ ଶଯ୍ୟା ରଖି ଭେଣ୍ଟିଲେଟର ବ୍ୟବହାର କରୁଥିଲେ ବି ସେମାନଙ୍କର ଅଗ୍ନି ନିର୍ବାପକ ପ୍ରମାଣପତ୍ର ନାହିଁ। ତେଣୁ ଏହି ମେଡିକାଲରେ ନିଆଁ ଲାଗିଲେ ଏହାର କିଭଳି ମୁକାବିଲା କରାଯିବ ତା’ର ଯାଞ୍ଚ କରାଯାଉନାହିଁ।
କଟକରେ ଦୁଇ ଶହରୁ ଅଧିକ ମେଡିକାଲ ବା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ୍ ବିନା ଫାୟାର ଏନ୍ଓସିରେ ଚାଲୁଥିବା ଜଣାପଡିଛି। ଏପରିକି କିଛି ଆୟସିୟୁ ଶଯ୍ୟା ଓ ଭେଣ୍ଟିଲେଟର ବ୍ୟବହାର କରୁଥିବା ମେଡିକାଲର ମଧ୍ୟ ଫାୟାର ଏନଓସି ନାହିଁ। ଏନ୍ଓସି ଫାଙ୍କିବା ପାଇଁ ଏବେ ମେଡିକାଲ କର୍ତ୍ତୃପକ୍ଷ ଏକ ନୂଆ ବାହାନା କରଛନ୍ତି। ଏନଓସି ପାଇଁ ଆବେଦନ କରି ଏହାକୁ ସ୍ବୀକୃତି ବୋଲି ଧରି ମେଡିକାଲ ଚଳାଇଛନ୍ତି। ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ପରେ ରାଜ୍ୟରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିଲେ ମେଡିକାଲ ଚାଲି ପାରିବ ନାହିଁ ବୋଲି ନିୟମ ହୋଇଥିଲେ ବି ଏହାର ପରିପାଳନ କରାଯାଉନାହିଁ।
ଏ ନିୟମ ପାଳନ ହେଲେ କେହି ବି ଏଥିପାଇଁ ଯୋଗ୍ୟ ହେଉ ନଥିବାରୁ ଏପ୍ରକାର ନିୟମକୁ ନେଇ ମଧ୍ୟ ବିଚିତ୍ର ପରିସ୍ଥିତି ଉପୁଜିଛି। ହସ୍ପିଟାଲ ମାଲିକଙ୍କ କହିବା କଥା ଯେଉଁ ନିୟମ ସବୁ ରହିଛି ତାହା ଯଦି ପରିପାଳନ କରାଯାଏ ତେବେ କଟକର ୯୦ ପ୍ରତିଶତ ମେଡିକାଲ ବନ୍ଦ ହୋଇଯିବ। ଅଗ୍ନିଶମ ବିଭାଗର ଏହି ନିୟମ ଭିତରେ କଟକରେ କିଛି ହାତ ଗଣତି ମେଡିକାଲକୁ ଛାଡି ଦେଲେ ଅଧିକାଂଶ ମେଡିକାଲ ଆସିବେ ନାହିଁ ବୋଲି ଜଣେ ଡାକ୍ତରଖାନା ମାଲିକ କହିଛନ୍ତି। ଉଚ୍ଚତା ୧୨ ମିଟରରୁ ଅଧିକ ହୋଇଥିବ, ତିନି ମହଲା କୋଠା ହୋଇଥିବା, ଭେଣ୍ଟିଲେଟର ଓ ଆଇସିୟୁ ଥିବ, ତେବେ ମେଡିକାଲରେ ଫାୟାର ଏନଓସି ଅନୁମତି ଆବଶ୍ୟକ। ମେଡିକାଲ ପାଖକୁ ଅଗ୍ନିଶମ ଗାଡି ପହଞ୍ଚି ପାରୁଥିବ, ମେଡିକାଲ ଚାରି ପାଖରେ ଅଗ୍ନିଶମ ଗାଡି ସହଜରେ ବୁଲି ପାରୁଥିଲେ ଏନଓସି ମିଳିବ। ଆଇସିୟୁ ନ ଥିଲେ ଅଥବା ଶଯ୍ୟା ସଂଖ୍ୟା ୩୦ ରୁ କମ ହୋଇଥିଲେ ଏଥିପାଇଁ ଫାୟାର ଏନ୍ଓସିର ଆବଶ୍ୟକତା ପଡିବ ନାହିଁ। ୨୦୧୮ରେ କଟକର ଘରୋଇ ମେଡିକାଲ ସଂଘ ଏହାକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କଟକ ପୁରାତନ ସହର ହୋଇ ଥିବାରୁ ସାହି, ଗଳି କନ୍ଦିରେ ବି ମେଡିକାଲ ଅଛି। ତେଣୁ କଟକ ପାଇଁ ନିୟମ କୋହଳ କରିବାକୁ ପ୍ରାର୍ଥନା କରାଯାଇ ରୁଜୁ ହୋଇଥିବା ଏହି ମାମଲା ଏବେ ବିଚାରାଧୀନ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/fair-pakhyaru-jancha-4.jpg)