ଭାରତ-ୱେଷ୍ଟଇଣ୍ତିଜ୍‌ ମ୍ୟାଚ୍‌ ବେଳେ ଦର୍ଶକ କେତେ ସୁରକ୍ଷିତ? ବାରବାଟୀ ଷ୍ଟାଡିୟମର ନାହିଁ ସ୍ଥାୟୀ ଅଗ୍ନି ନିରାପତ୍ତା ପ୍ରମାଣପତ୍ର

କଟକ: ଭାରତ-ୱେଷ୍ଟଇଣ୍ତିଜ ମଧ୍ୟରେ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। କିନ୍ତୁ ବାରବାଟୀ ଷ୍ଟାଡିୟମରେ ମ୍ୟାଚର ସୁରକ୍ଷିତ ଆୟୋଜନ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ପାଇଁ ଚାଲେଞ୍ଜ ହେବାକୁ ଯାଉଛି। ଗୋଟିଏ ପଟେ କୋଭିଡ୍‌ ମହାମାରୀର ଭୟ ରହୁଥିଲା ବେଳେ ଅନ୍ୟପଟେ ଷ୍ଟାଡିୟମର ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠୁଛି। କୋଭିଡ୍‌ ସ୍ଥିତି ଭିତରେ ଷ୍ଟାଡିୟମକୁ ଦର୍ଶକଙ୍କୁ ଅନୁମତି ମିଳିବ କି ନାହିଁ, ତାହା ଜାନୁଆରି ମାସ ବେଳକୁ ସ୍ପଷ୍ଟ ହେବ। କିନ୍ତୁ ଷ୍ଟାଡିୟମର ଏଯାଏ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନ ରହିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।  ଯେ କୌଣସି ଆନ୍ତର୍ଜାତିକ ମ୍ୟାଚ ଆୟୋଜନ ବେଳକୁ ଷ୍ଟାଡିୟମର ଅଗ୍ନି ନିରାପତ୍ତା ପ୍ରମାଣପତ୍ରର ଆବଶ୍ୟକତା ରହିଥାଏ। କିନ୍ତୁ ବାରବାଟୀ ଷ୍ଟାଡିୟମକୁ ଆଜି ପର୍ଯ୍ୟନ୍ତ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ମିଳି ପାରିନି। କେବଳ ଆନ୍ତର୍ଜାତିକ ମ୍ୟାଚ ବେଳକୁ ଅସ୍ଥାୟୀ ପ୍ରମାଣପତ୍ର ଅଗ୍ନିଶମ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥାଏ। ହେଲେ ସ୍ଥାୟୀ ପ୍ରମାଣପତ୍ର ପାଇଁ ଆବେଦନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲେ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇ ପାରିନଥିବା ଜଣାପଡ଼ିଛି। ମ୍ୟାଚ ସମୟରେ କୌଣସି ପ୍ରକାରର ଅଗ୍ନିକାଣ୍ତ ଘଟଣାର ମୁକାବିଲା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ସହ ଅଗ୍ନି ନିର୍ବାପକ ଯନ୍ତ୍ର ସ୍ଥାପନ ବ୍ୟବସ୍ଥା ବିଭିନ୍ନ ଗ୍ୟାଲେରିରେ କରାଯାଇଥାଏ। କିନ୍ତୁ କର୍ପୋରେଟ ବକ୍ସ, ଏସି ଗ୍ୟାଲେରି, ଖେଳାଳିଙ୍କ ଡ୍ରେସି˚ ରୁମ୍‌, ମ୍ୟାଚ ପରିଚାଳନା ଅଧିକାରୀଙ୍କ ରୁମ୍‌, ପ୍ରସାରଣକାରୀ ସ˚ସ୍ଥାର କଣ୍ଟ୍ରୋଲ ରୁମ୍‌ ଇତ୍ୟାଦି ସ୍ଥାନରେ ମ୍ୟାଚ ସମୟରେ ହାଇ ଭୋଲଟେଜ ସାମଗ୍ରୀର ବ୍ୟବହାର ନିରନ୍ତର ହୋଇଥାଏ। ହେଲେ ଏସବୁ ସ୍ଥାନରେ କେବଳ ଅଗ୍ନି ନିର୍ବାପକ ଯନ୍ତ୍ର ଭରସାରେ ସମସ୍ତେ ରହିଥାନ୍ତି।

ଅନ୍ୟପକ୍ଷରେ ଅଗ୍ନିକାଣ୍ତ ଜନିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଦର୍ଶକମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ସାମଗ୍ରୀ ଷ୍ଟାଡିୟମ ଭିତରକୁ ନଆଣିବାକୁ ବାରଣ କରାଯାଇଥାଏ। ଓସିଏ ପକ୍ଷରୁ ୨୦୧୯ ଭାରତ-େଵଷ୍ଟଇଣ୍ତିଜ ଦିନିକିଆ ମ୍ୟାଚ ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ର ସମସ୍ତ ଗ୍ୟାଲେରିରେ ଲଗାଯାଇଥିଲା। ଭୁବନେଶ୍ବରସ୍ଥିତ ଏକ ଘରୋଇ ସ˚ସ୍ଥାକୁ ଏହି ଅଗ୍ନିନିର୍ବାପକ ଯନ୍ତ୍ର ଲଗାଇବା ପାଇଁ ଦାୟିତ୍ବ ଦିଆଯାଇଥିଲା। ମ୍ୟାଚ ଶେଷ ହେବା ପରେ ଉକ୍ତ ଯନ୍ତ୍ରଗୁଡ଼ିକୁ ସେଠାରୁ ହଟାଇ ଦିଆଯାଇଥିଲା। ତେବେ ଦର୍ଶକ ଓ ଅନ୍ୟାନ୍ୟ ଭିତ୍ତିଭୂମିଗୁଡ଼ିକୁ ଅଗ୍ନିକାଣ୍ତ କିମ୍ବା କୌଣସି ଦୁର୍ଘଟଣା ଜନିତ ଅଘଟଣରୁ ସୁରକ୍ଷା ଦେବାକୁ ଆୟୋଜକଙ୍କ ଦ୍ବାରା ୨୧ କୋଟି ୭୨ଲକ୍ଷ ଟଙ୍କାର ବୀମା କରାଯାଇଥିଲା। ଏହାବାଦ୍‌ ଷ୍ଟାଡିୟମ ବାହାରେ ଏକ ସ୍କାଏ ଲିଫ୍‌ଟ ଗାଡ଼ି ରଖାଯାଇ ସୁରକ୍ଷା ପ୍ରଣାଳୀ ଉପରେ ନଜର ରଖାଯାଇଥିଲା। କେବଳ ଆନ୍ତର୍ଜାତିକ ମ୍ୟାଚ ନୁହେଁ, ବର୍ଷ ତମାମ୍‌ ଅନ୍ୟାନ୍ୟ କ୍ରୀଡ଼ା ଆୟୋଜନ ସମୟରେ ଖେଳାଳିମାନଙ୍କ ରହିବା ପାଇଁ କର୍ପୋରେଟ ବକ୍ସ, ଏସି ଗ୍ୟାଲେରି ଇତ୍ୟାଦିକୁ ବ୍ୟବହାର କରାଯାଉଛି। ଯଦି ଏସବୁ ସ୍ଥାନମାନଙ୍କରେ ସ୍ଥାୟୀ ଭାବେ ସ୍ପ୍ରିଙ୍କଲର, ସ୍ମୋକ୍‌ ଡିଟେକ୍ଟର ଇତ୍ୟାଦି ଲଗାଯାଆନ୍ତା, ତାହେଲେ ଅଗ୍ନି ନିର୍ବାପକ ଯନ୍ତ୍ରର ଆବଶ୍ୟକତା ରହିବନି ଏବ˚ କୋଟି କୋଟି ଟଙ୍କା ପ୍ରତ୍ୟେକ ବର୍ଷ ଖର୍ଚ୍ଚ କରିବାକୁ ପଡିବନି।

ଓଡ଼ିଶା ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ, ଯେ କୌଣସି କୋଠାରେ ଯଦି ସାଧାରଣ ଲୋକଙ୍କ ସମାଗମ ହେବାର ଥାଏ, ସେହି ସ୍ଥାନର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ରହିବା ନିହାତି ଆବଶ୍ୟକ। ଏହି ପ୍ରମାଣପତ୍ର ଓଡ଼ିଶା ଅଗ୍ନି ନିରାକରଣ ଓ ଅଗ୍ନି ନିରାପତ୍ତା ନିୟମ, ୨୦୧୭ ଅନୁଯାୟୀ ପ୍ରାପ୍ତ କରିବା ବାଧ୍ୟତାମୂଳକ। ଏଥିପାଇଁ ଧାର୍ଯ୍ୟ ମାନଦଣ୍ତକୁ ସ˚ପୃକ୍ତ ସ˚ସ୍ଥା ପୂରଣ କରିବା ଆବଶ୍ୟକ। ବାରବାଟୀ ଷ୍ଟାଡିୟମରେ ୨୦୧୯ ଭାରତ-ୱେଷ୍ଟଇଣ୍ତିଜ ମ୍ୟାଚ ସମୟରେ ଅଗ୍ନିଶମ ବିଭାଗ ପକ୍ଷରୁ କର୍ମଚାରୀ, ଦମକଳ ଇତ୍ୟାଦି ଯୋଗାଇ ଦିଆଯାଇଥିଲା। ତେବେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଁ ଆବେଦନ କରିବାକୁ ଓସିଏ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଥିଲା। ଏଥର ଏହି ଆନ୍ତର୍ଜାତିକ ଇଭେଣ୍ଟ ପୂର୍ବରୁ ପ୍ରମାଣପତ୍ର ସ˚ପର୍କରେ ପୁଣି ଥରେ ଯାଞ୍ଚ କରାଯିବ। ଯଦି ଷ୍ଟାଡିୟମର କୌଣସି ପ୍ରମାଣପତ୍ର ନଥିବ, ତାହେଲେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରାଯିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ସ˚ପୃକ୍ତ ଅଧିକାରୀ ଜଣକ କହିଛନ୍ତି। ଅନ୍ୟପଟେ ଓଡ଼ିଶା ଅଲମ୍ପିକ ସଂଘ ସଂପାଦକ ଅଭିଜିତ ପାଲ୍ କହିଛନ୍ତି ଯେ ପ୍ରତ୍ୟେକ ମ୍ୟାଚ ସମୟରେ ବ୍ୟବସ୍ଥା ଅନୁଯାୟୀ ଅସ୍ଥାୟୀ ପ୍ରମାଣପତ୍ର ଅଣାଯାଏ। କିନ୍ତୁ ବାରବାଟୀ ଷ୍ଟାଡିୟମର ସ୍ଥାୟୀ ଅଗ୍ନିଶମ ସୁରକ୍ଷା ପ୍ରମାଣପତ୍ର ପାଇଁ ପ୍ରକ୍ରିୟା ଜାରି ରହିଛି। ଓସିଏ ସମ୍ପାଦକ ସଂଜୟ ବେହେରାଙ୍କ କହିବାନୁସାରେ, ଏକ ଘରୋଇ ସଂସ୍ଥାକୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ଦାୟିତ୍ବ ଦିଆଯାଇଛି। ଓସିଏ କୋଠା ସହିତ ସମସ୍ତ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ସ୍ଥାୟୀ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯିବାକୁ କୁହାଯାଇଛି। ପୂର୍ବରୁ ମ୍ୟାଚ ସମୟରେ କେବଳ ଅସ୍ଥାୟୀ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଅଣାଯାଇ ‌ଖେଳ ଆୟୋଜନ କରାଯାଉଥିଲା। କିନ୍ତୁ ଏଥର ଏକ ସ୍ଥାୟୀ ବ୍ୟବସ୍ଥା କରାଯିବାକୁ ଓସିଏ ନିଷ୍ପତ୍ତି ନେଇଛି। ସମସ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହୋଇଯିବା ପରେ ପ୍ରମାଣପତ୍ର ପାଇଁ ପଦକ୍ଷେପ ନିଆଯିବ ବୋଲି ସଂଜୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର