ଖତ ଖାଉଛି କଟକର ପ୍ରଥମ ସିନ୍ଥେଟିକ୍‌ ଦୌଡ଼କୁଦ ଟ୍ରାକ୍‌

ଇଡ୍‌କୋ-ଓଡ଼ିଶା ପୁଲିସ୍‌ ମଧ୍ୟରେ ତାଳମେଳ ଅଭାବରୁ ପ୍ରକଳ୍ପ ହସ୍ତାନ୍ତର ହୋଇପାରୁନି

କଟକ: ରାଜ୍ୟରେ କ୍ରୀଡ଼ାବିତ୍‌ଙ୍କ ବିକାଶ ପାଇଁ ବିଭିନ୍ନ ଜିଲ୍ଲାରେ ସିନ୍ଥେଟିକ୍‌ ଟ୍ରାକ୍‌ ଆରମ୍ଭ କରାଯିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ହେଲେ, କଟକରେ ରିଜର୍ଭ ପୁଲିସ୍‌ ପଡ଼ିଆକୁ ସ˚ପୂର୍ଣ୍ଣ ଭାବେ ସିନ୍ଥେଟିକ୍‌ ଟ୍ରାକ୍‌ରେ ପରିଣତ କରାଯାଇଥିଲେ ବି ଏଠାରେ ଖେଳର ବିକାଶ ତ ଦୂରର କଥା, ଖେଳାଳିଙ୍କୁ ଓହ୍ଲାଇବା ପାଇଁ ସୁଯୋଗ ନାହିଁ। ଠିକାଦାର ସିନ୍ଥେଟିକ୍‌ ଟ୍ରାକ୍‌ ନିର୍ମାଣ ପରେ ଏହାକୁ ସ˚ପୃକ୍ତ ବିଭାଗକୁ ହସ୍ତାନ୍ତର କରି ନଥିବା ସଫେଇ ଦିଆଯାଉଛି। କିନ୍ତୁ ଇଡ୍‌କୋ ଓ ଓଡ଼ିଶା ପୁଲିସ୍‌ ମୁଖ୍ୟାଳୟର ଅଧିକାରୀଙ୍କ ମଧ୍ୟରେ ତାଳମେଳର ଅଭାବ ଯୋଗୁଁ ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇପାରୁନାହିଁ। ଯେଉଁଥି ପାଇଁ ସାଢେ ୬କୋଟି ଟଙ୍କାରେ ନିର୍ମିତ ସିନ୍ଥେଟିକ୍‌ ଟ୍ରାକ୍‌ ଓ ଆଭ୍ୟନ୍ତରୀଣ ଫୁଟବଲ୍‌ ପଡ଼ିଆ ଏବେ ଅବ୍ୟବହୃତ ହୋଇ ପଡ଼ିରହିଛି। ଗତ ଜାନୁଆରି ମାସରୁ ନିର୍ମାଣ ଶେଷ ହୋଇଥିଲେ ସୁଦ୍ଧା ସିନ୍ଥେଟିକ୍‌ ଟ୍ରାକ୍‌ ଓ ପଡ଼ିଆ ବ୍ୟବହାର ହୋଇପାରୁ ନଥିବାରୁ ଟ୍ରାକ୍‌ ଚାରିପଟେ ବଣ, ବୁଦା ମାଡ଼ିଗଲାଣି। ଟ୍ରାକ୍‌ ମଧ୍ୟଭାଗରେ ପ୍ରସ୍ତାବିତ ଫୁଟବଲ ପଡ଼ିଆ ମଧ୍ୟ ଖେଳିବା ପାଇଁ ଅନୁପଯୁକ୍ତ ହୋଇଯାଇଛି। ଯେଉଁମାତ୍ରାରେ ବୁଦା ମାଡ଼ିଲାଣି, ଏଠାରେ ଖେଳ ବିଷୟରେ ଚିନ୍ତା କରିବା ଦୂରର କଥା, ଚାଲିବା ବି ସମ୍ଭବ ହେବନାହିଁ। ରିଜର୍ଭ ପୁଲିସ ପଡ଼ିଆକୁ ସିନ୍ଥେଟିକ୍‌ ଟ୍ରାକ୍‌ରେ ପରିଣତ କରିବା ପାଇଁ ପୂର୍ବତନ ଡିଜି ପ୍ରକାଶ ମିଶ୍ର ଯୋଜନା କରିଥିଲେ। ଏହା ଉପରେ ଅନେକ ତର୍ଜମା କରାଯିବା ପରେ ୨୦୧୬ରେ ଓଡ଼ିଶା ପୁଲିସ୍‌ ହାଉସି˚ କର୍ପୋରେସନ୍‌କୁ ସିନ୍ଥେଟିକ୍‌ ଟ୍ରାକ୍‌ ପଡ଼ିଆ ନିର୍ମାଣ ପାଇଁ ଦାୟିତ୍ବ ଦିଆଯାଇଥିଲା।

କିନ୍ତୁ କିଛି ସମସ୍ୟା ପାଇଁ ଏହି ଦାୟିତ୍ବ ପୁଲିସ୍‌ ହାଉସି˚ କର୍ପୋରେସନ୍‌ଠୁ ଅଣାଯାଇ ଇଡ୍‌କୋକୁ ଦିଆଯାଇଥିଲା। ପାଖାପାଖି ୫କୋଟି ଟଙ୍କାର କାମ ପାଇଁ ପ୍ରାଥମିକ ଆକଳନ ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ସାଢେ ୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଇଡ୍‌କୋ ରିପୋର୍ଟ ଦେଇଥିଲା। ସିନ୍ଥେଟିକ୍‌ ଟ୍ରାକ୍‌ ପାଇଁ ପାଖାପାଖି ସାଢେ ୩କୋଟି, ସିଭିଲ୍‌ କାର୍ଯ୍ୟ ପାଇଁ ପାଖାପାଖି ୨କୋଟି, କ୍ରୀଡ଼ା ଉପକରଣ ପାଇଁ ପାଖାପାଖି ୪୪ଲକ୍ଷ, ଫୁଟବଲ ପଡ଼ିଆ ପାଇଁ ୩୫ ଲକ୍ଷ, ଇଡ୍‌କୋ ଚାର୍ଜ ପାଖାପାଖି ୬୦ ଲକ୍ଷ ଆକଳନ କରାଯାଇଥିଲା। ପରେ ଇଡ୍‌କୋ ପକ୍ଷରୁ ଟେଣ୍ତର୍‌ ଡକାଯାଇ ରାଜ୍ୟ ବାହାରର ଏକ ସ˚ସ୍ଥାକୁ ଏହାର ନିର୍ମାଣ ଦାୟିତ୍ବ ଦେଇଥିଲା। କଟକରେ ଟ୍ରାକ୍‌ ନିର୍ମାଣ ଶେଷ ହେବାକୁ ପାଖାପାଖି ୫ମାସ ହୋଇଗଲାଣି। ହେଲେ ଠିକା ସ˚ସ୍ଥା ଯେତେବେଳେ ପ୍ରକଳ୍ପ ହସ୍ତାନ୍ତର କରିବାକୁ ସମୟ ଆସିଲା, ସେତେବେଳେ ଇଡ୍‌କୋ ପକ୍ଷରୁ ପୁଲିସ୍‌ ମୁଖ୍ୟାଳୟରେ ହସ୍ତାନ୍ତର କରିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ପୁଲିସ୍‌ ମୁଖ୍ୟାଳୟର ଅଧିକାରୀମାନେ ଏହି ହସ୍ତାନ୍ତର କାର୍ଯ୍ୟ ଇଡ୍‌କୋ ସହିତ କରିବାକୁ ଠିକା ସ˚ସ୍ଥାକୁ କହିଥିଲେ। ଯେଉଁଥିପାଇଁ ବାରମ୍ବାର ଏ ଅଫିସ୍‌ରୁ ସେ ଅଫିସ୍‌ ଦୌଡ଼ିବା ପରେ ହସ୍ତାନ୍ତର କାର୍ଯ୍ୟ ଚୂଡ଼ାନ୍ତ ହୋଇପାରୁ ନଥିବାରୁ ଠିକା ସ˚ସ୍ଥା ଅନ୍ୟତ୍ର କାର୍ଯ୍ୟ ଶେଷ କରିବା ଉପରେ ଏବେ ଧ୍ୟାନ ଦେଲାଣି। କିନ୍ତୁ କ୍ରୀଡ଼ାର ବିକାଶ କଥା ଯେତେବେଳେ ଉଠୁଛି, ସେତେବେଳେ ପାଖରେ ସିନ୍ଥେଟିକ୍‌ ଟ୍ରାକ୍‌ ଥାଇ ମଧ୍ୟ ଏହାର ଲାଭ ଉଠାଇବାରୁ ଖେଳାଳିମାନେ ବଞ୍ଚିତ ହେଉଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟ କ୍ରୀଡ଼ା ବିଭାଗ ରିଜର୍ଭ ପୁଲିସ୍‌ ପଡ଼ିଆକୁ ନିଜ ହାତକୁ ନେଇ ବୈଷୟିକ ସହଯୋଗ ଯୋଗାଇ ଦେବ। ଏଠାରେ କ୍ରୀଡ଼ା ଛାତ୍ରାବାସର କନିଷ୍ଠ ଧାବକ, ଧାବିକାମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ନେଇ ଯୋଜନା ରହିଥିବା ଜଣାପଡ଼ିଛି। ହେଲେ ଯେପର୍ଯ୍ୟନ୍ତ ସିନ୍ଥେଟିକ୍‌ ଟ୍ରାକ୍‌ ହସ୍ତାନ୍ତର ହୋଇନାହିଁ, ସେପର୍ଯ୍ୟନ୍ତ ଏଠାରେ ଖେଳ କଥା ଚିନ୍ତା କରିବା ବୃଥା ହେବ ବୋଲି ଜଣେ ବୈଷୟିକ କ୍ରୀଡ଼ା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର