ରାତିଅଧିଆ ପାଞ୍ଚ ଅଭିଯୁକ୍ତଙ୍କୁ ଉଠାଇନେଲା ପୁଲିସ

ଗୁରୁଡ଼ିଝାଟିଆ ପୁଲିସକୁ ଆକ୍ରମଣ ଘଟଣା

ଥାନା ଘେରାଉ; ମୁଖ୍ୟ ଅଭିଯୁକ୍ତ ଫେରାର

ଚୌଦ୍ୱାର-ଗୁରୁଡିଝାଟିଆ : ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ କୁମାରପୁର ଗ୍ରାମରେ ଗୁରୁଡିଝାଟିଆ ଥାନା ଅଧିକାରୀ ବିଜୟ କୁମାର ବିଶି ଓ ଅନ୍ୟ ୩ଜଣ ପୁଲିସ କର୍ମଚାରୀ ଆକ୍ରମଣର ଶିକାର ହେବା ପରେ ଗତକାଲି ବିଳମ୍ବିତ ରାତିିରେ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଉଠାଇ ନେଇଛି । ଅଭିଯୁକ୍ତମାନେ ହେଲେ ବିଜୟ ନାୟକ, ଅନନ୍ତ ପ୍ରଧାନ, ଉମାଶଙ୍କର ସାସମଲ, ଗୁରୁଦତ୍ତ ବେହେରା ଓ ପ୍ରଦୀପ ନାୟକ। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ରହିଥିବାରୁ ଏମାନଙ୍କୁ ପୁଲିସ ଟାଙ୍ଗୀ ଥାନାରେ ଅଟକ ରଖିଛି । ଏପଟେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ କୁମାରପୁର ଗ୍ରାମରେ ଗୋଟିଏ ସେକ୍ସନ ପୁଲିସ ମୁତୟନ ହୋଇଥିବା ବେଳେ ଦେଢ ପ୍ଲାଟୁନ ପୁଲିସ ଥାନାରେ ସଜାଗ ହୋଇ ରହିଛନ୍ତି।

ସୂଚନା ଅନୁଯାୟୀ ମାର୍ଚ୍ଚ ୧୧ରେ କୁମାରପୁର ଗ୍ରାମ ହରିଜନ ସାହିରେ ଆଠଗଡ ବ୍ଳକ ପୂର୍ବତନ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟଙ୍କ ସମର୍ଥକ କୁହାଯାଉଥିବା କିଛି ବ୍ୟକ୍ତି ୧୨ ବଖରା ଚାଳଘରେ ନିଅାଁ ଲଗାଇ ଦେଇଥିବା ସଂପର୍କରେ ଗୁରୁଡିଝାଟିଆ ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ଅନେକ ଦିନ ଯାଏ ଅଭିଯୁକ୍ତଙ୍କୁ ଗିରଫ କରା ନଯିବା ଘଟଣାର ପ୍ରତିବାଦରେ ଯୁବ ନେତା ଅଭୟ ବାରିକଙ୍କ ସମର୍ଥକ ଏବଂ ଅନ୍ୟ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇଥିଲା । ପୁଲିସ ଏହି ଘଟଣାରେ ୧୯ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ସେମାନଙ୍କୁ ମଧ୍ୟରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତତ୍କାଳୀନ ଥାନା ଅଧିକାରୀ ଅନାଦି ସେଠୀ ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇନଥିଲେ। ଶ୍ରୀ ସେଠୀଙ୍କ ବଦଳି ପରେ ସପ୍ତାହେ ପୂର୍ବରୁ ବିଜୟ କୁମାର ବିଶି ଗୁରୁଡିଝାଟିଆ ଥାନା ଅଧିକାରୀଭାବେ ଦାୟିତ୍ୱ ନେଇଥିଲେ।

ଶ୍ରୀ ବିଶି ଗତକାଲି ରାତିରେ ଏହି ମାମଲାରେ ସମ୍ପୃକ୍ତ ଅସୀମ୍‌ ବେଉରାକୁ ଗିରଫ କରିବାକୁ କୁମାରପୁର ଯାଇଥିବା ବେଳେ ରଞ୍ଜନ ଆଚାର୍ଯ୍ୟଙ୍କ ସମର୍ଥକମାନେ ତାଙ୍କୁ ଓ ତାଙ୍କ ସହ ରହିଥିବା ୩ ଜଣ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ପୁଲିସ ଗାଡିର କାଚ ଭାଙ୍ଗି ଦେଇଥିଲେ। ସେହି ସମୟରେ ଅଭିଯୁକ୍ତ ପୁଲିସ କବଳରୁ ଖସି ଯାଇଥିଲା। ପରେପରେ କୁମାରପୁର ପଞ୍ଚାୟତରେ ସ୍ୱାଧୀନ ସରପଞ୍ଚଭାବେ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚନରେ ହାରିଥିବା ସତ୍ୟବାଦୀ ମହାନ୍ତି, ତାପସ ସ୍ୱାଇଁ ଓ ଯୋଗେନ୍ଦ୍ର ସାହୁଙ୍କ ଘରେ ଭଙ୍ଗାରୁଜା କରିବା ସହ ସେମାନଙ୍କୁ ଆକ୍ରମଣ କରାଯାଇଥିଲା। ବିଳମ୍ବିତ ରାତିରେ ଅତିରିକ୍ତ ଏସ୍‌.ପି. ନୃସିଂହ ଚରଣ ସ୍ୱାଇଁ ଗୁରୁଡିଝାଟିଆ ଥାନାରେ ପହଞ୍ଚ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ରାତିିରେ ପୁଣି ପୁଲିସ କୁମାରପୁର ଗ୍ରାମରେ ଚଢଉ କରି ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଏହି ଗିରଫ ପ୍ରତିବାଦରେ ଆଜି ସକାଳେ ପ୍ରାୟ ପ୍ରାୟ ୩୦ ଜଣ ମହିଳା ଓ ପୁରୁଷ ଥାନାକୁ ଆସି ପାଟିତୁଣ୍ଡ କରିଥିଲେ। ହେଲେ ପୁଲିସ ସେମାନଙ୍କୁ ଘଉଡାଇ ଦେଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ରଞ୍ଜନ ଆଚାର୍ଯ୍ୟ ଓ ପୁଲିସ ହାତରୁ ଖସିଯାଇଥିବା ଅସୀମ୍‌ ବେଉରା ତଥା ତାଙ୍କ ସହଯୋଗୀମାନଙ୍କର ପତ୍ତା ମିଳୁନଥିବାବେଳେ ପୁଲିସ ପୁରାଦମ୍‌ରେ ସମସ୍ତ ଅଭିଯୁକ୍ତମାନଙ୍କୁ ଧରିବାକୁ ଚେଷ୍ଟା କରୁଥିବା ଜଣାପଡିଛି। ପ୍ରକାଶଯୋଗ୍ୟ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଏଠାରେ ପ୍ରବଳ ବିରୋଧ କରାଯାଇଥିଲା। ଏ ନେଇ ଥାନାରେ ବିଭିନ୍ନ ଘଟଣାରେ ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ପୁଲିସ ଚୁପ୍‌ ରହିଥିଲା। ଏବେ ଏହି ୨ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝାକୁ ନେଇ ସାଧାରଣ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର