ଚିନ୍ତାରେ ୫ ହଜାର ଛାତ୍ରଛାତ୍ରୀ

ପତ୍ର ବିନିମୟ, ଷ୍ଟେଟ୍ ଓପନ୍‌ ସ୍କୁଲ ପରୀକ୍ଷାର୍ଥୀଙ୍କ ଅଫ୍‌ଲାଇନ୍ ପରୀକ୍ଷା କେବେ?

କଟକ: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଦଶମରୁ ଦ୍ବାଦଶ ପରୀକ୍ଷା ବାତିଲ କରିବାକୁ ସରକାରୀସ୍ତରରେ ନିଷ୍ପତ୍ତି ହେଲା। ଫଳ ପ୍ରକାଶନ ପାଇଁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ସ୍ଥିର ହେଲା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ)ର ମୂଲ୍ୟାୟନ ଆରମ୍ଭ ହୋଇଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାଟ୍ରିକ୍(ରେଗୁଲାର) ପରୀକ୍ଷାର୍ଥୀଙ୍କ ମାର୍କ ଅପ୍‌ଲୋଡ୍ ପ୍ରାୟ ସରିଲାଣି। ମାଟ୍ରିକ୍ ଏକ୍ସରେଗୁଲାର, ମଧ୍ୟମା(ଏକ୍ସରେଗୁଲାର), ପତ୍ରବିନିମୟ(ଏକ୍ସରେଗୁଲାର), ଓପନ ସ୍କୁଲ(ପୁରୁଣା) ପରୀକ୍ଷାର୍ଥୀଙ୍କ ପୂର୍ବ ପରୀକ୍ଷା ଫଳାଫଳ ଆଧାରରେ ମୂଲ୍ୟାୟନ କରାଯିବାକୁ ଚୂଡାନ୍ତ ହୋଇଛି। କିନ୍ତୁ ପତ୍ରବିନିମୟ(ରେଗୁଲାର) ଓ ଷ୍ଟେଟ୍ ଓପନ୍‌ ସ୍କୁଲ(ରେଗୁଲାର) ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ପରିସ୍ଥିତି ସୁଧୁରିଲେ ଅଫ୍‌ଲାଇନ୍ ପରୀକ୍ଷା କରିବାକୁ ବୋର୍ଡ କର୍ତ୍ତୃପକ୍ଷ ଧାର୍ଯ୍ୟ କରିଛନ୍ତି। ହେଲେ ପରିସ୍ଥିତି କେବେ ସୁଧୁରିବ? ଅଫ୍‌ଲାଇନ୍ ପରୀକ୍ଷା ସମ୍ଭବ ହେବ ତ? ପରୀକ୍ଷା କାର୍ଯ୍ୟସୂଚୀ କେବେ ପ୍ରକାଶ ପାଇବ? ଏଥି ପାଇଁ ଗୋଟିଏ ବର୍ଷ ଚାଲିଯିବ ନାହିଁ ତ? ଏଭଳି ଅନେକ ପ୍ରଶ୍ନ ଏହି ଦୁଇ ବର୍ଗର ପରୀକ୍ଷାର୍ଥୀଙ୍କୁ ଦ୍ବନ୍ଦ୍ବରେ ପକାଇଛି। ଏମାନଙ୍କ ପାଇଁ କ’ଣ କିଛି ବିକଳ୍ପ ବ୍ୟବସ୍ଥା ବାହାରି ପାରିଲା ନାହିଁ ବୋଲି ପ୍ରଶ୍ନ ଉଠୁଛି।

କୋଭିଡ୍ ପାଇଁ ମାଟ୍ରିକ୍ ପରୀକ୍ଷା ବାତିଲ ପରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାଟ୍ରିକ୍(ରେଗୁଲାର) ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ପାଇଁ ନବମ ଶ୍ରେଣୀର ଅର୍ଦ୍ଧବାର୍ଷିକ, ବାର୍ଷିକ, ଦଶମ ଶ୍ରେଣୀର ଦ୍ବିତୀୟ, ତୃତୀୟ, ଚତୁର୍ଥ ପ୍ରାକ୍ଟିସ୍ ‌ପରୀକ୍ଷାର ନମ୍ବର ବିଚାରକୁ ନିଆଗଲା। ନବମ ଶ୍ରେଣୀର ପ୍ରତି ବିଷୟର ଦୁଇଟି ସର୍ବାଧିକ ନମ୍ବର ଓ ଦଶମର ଶେଷ ୩ଟି ପ୍ରାକ୍ଟିସ୍ ପରୀକ୍ଷାର ଦୁଇଟି ସର୍ବାଧିକ ନମ୍ବରକୁ ହିସାବ କରି ମୂଲ୍ୟାୟନ ହେବ। ନବମ ଶ୍ରେଣୀର ୪୦ ପ୍ରତିଶତ ଓ ଦଶମ ପ୍ରାକ୍ଟିସ୍ ପରୀକ୍ଷାର ୬୦ ପ୍ରତିଶତ ନମ୍ବରକୁ ବିଚାର କରି ଛାତ୍ରଛାତ୍ରୀ ନମ୍ବର ପାଇବେ। ଏହି ଆଧାରରେ ମେଣ୍ଟର ସ୍କୁଲ ପକ୍ଷରୁ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ୍ ସରିଲାଣି। ଏକ୍ସରେଗୁଲାର (ଉଭୟ ମାଟ୍ରିକ୍ ଓ ପତ୍ରବିନିମୟ) ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ସେମାନେ ଦେଇଥିବା ପୂର୍ବ ପରୀକ୍ଷାର ମାର୍କରୁ ଏକ ଡାଟା ବେସ୍ ପ୍ରସ୍ତୁତ କରାଯାଇ ସେମାନଙ୍କ ମୂଲ୍ୟାୟନ କରାଯିବାକୁ ବୋର୍ଡ ପକ୍ଷରୁ ଚୂଡାନ୍ତ ହୋଇଛି। ଏହା ମଧ୍ୟରେ ସେମାନଙ୍କ ମୂଲ୍ୟାୟନ ଆରମ୍ଭ ହୋଇଗଲାଣି। ସେହିପରି ‌ଷ୍ଟେଟ୍  ଓପନ୍‌ ସ୍କୁଲ ପୁରୁଣା ପରୀକ୍ଷାର୍ଥୀଙ୍କ ପାଇଁ ପୂର୍ବ ପରୀକ୍ଷାରେ ନମ୍ବରରୁ ହାରାହାରି ନମ୍ବର ବାହାର କରି ମୂଲ୍ୟାୟନ କରାଯିବାକୁ ସ୍ଥିର ହୋଇଛି। ଏପରି କ୍ଷେତ୍ରରେ ପତ୍ରବିନିମୟ ରେଗୁଲାର ଓ ରାଜ୍ୟ ମୁକ୍ତବିଦ୍ୟାଳୟ ରେଗୁଲାର ପରୀକ୍ଷାର୍ଥୀଙ୍କ ଅଫ୍‌ଲାଇନ୍ ପରୀକ୍ଷା କରାଯିବ କେ‌ମିତି ବୋଲି ପ୍ରଶ୍ନ ଉଠିଛି।

ଏବେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଆସନ୍ତା ସେପ୍ଟେମ୍ବର ସୁଦ୍ଧା ପରିସ୍ଥିତି ସୁଧୁରିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେ‌ଉଥିବା ବେଳେ ଏମାନଙ୍କ ପରୀକ୍ଷା କେବେ ହେବ ବୋଲି ପ୍ରଶ୍ନ ଉଠୁଛି। ଏହା ମଧ୍ୟରେ ଅନ୍ୟ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇସାରିଥିବ ଓ ସପ୍ଲିମେଣ୍ଟରୀ ପରୀକ୍ଷା ପାଇଁ ‌ସମୟ ମଧ୍ୟ ‌ହୋଇସାରିଥିବ। ମାଟ୍ରିକ୍ ପରୀକ୍ଷା ଫଳ ଜୁନ୍ ୩୧ତାରିଖ ମଧ୍ୟରେ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଯଦି ଅଫ୍‌ଲାଇନ୍‌ରେ ପରୀକ୍ଷା ହୁଏ ପତ୍ରବିନିମୟ ଓ ଓପନ୍‌ ସ୍କୁଲ ବର୍ଗର ପରୀକ୍ଷାର୍ଥୀଙ୍କ ଗୋଟିଏ ଶିକ୍ଷାବର୍ଷ ଅତିକ୍ରମ କରିଯିବ ‌ବୋଲି ଶିକ୍ଷାବିତ ମାନେ ଆକଳନ କରିଛନ୍ତି। ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, ପତ୍ରବିନିମୟ ରେଗୁଲାର ଓ ରାଜ୍ୟ ମୁକ୍ତବିଦ୍ୟାଳୟ ରେଗୁଲାର ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ପାଇଁ କୌଣସି ଆଧାର ନାହିଁ। ସେମାନଙ୍କ ପୂର୍ବ ପରୀକ୍ଷାର ରେ‌କର୍ଡ କିଛି ଥିଲେ, ତାହାକୁ ଆଧାର କରି ମୂଲ୍ୟାୟନ କରାଯାଇଥାଆନ୍ତା। ଏଥିପାଇଁ ବୋର୍ଡ ପକ୍ଷରୁ ସ୍ଥିର ‌ହୋଇଛି, ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଫଳ ପ୍ରକାଶନ ପରେ ଫଳକୁ ନେଇ ଯେଉଁମାନେ ଅସନ୍ତୋଷ ବ୍ୟକ୍ତ କରିବ‌େ ସେମାନଙ୍କ ପାଇଁ ଅଫ୍‌ଲାଇନରେ ପରୀକ୍ଷା ଦେବା ବ୍ୟବସ୍ଥା ହେବ। ସେହି ପରୀକ୍ଷା ସହିତ ଏକାସଙ୍ଗରେ ଏହି ଦୁଇ ବର୍ଗର ପରୀକ୍ଷାର୍ଥୀଙ୍କ ପରୀକ୍ଷା କରାଯିବ। ଏହି ଦୁଇ ବର୍ଗର ପାଖାପାଖି ୫ହଜାର ପରୀକ୍ଷାର୍ଥୀ ରହିଥିବା ସଭାପତି ଶ୍ରୀ ହାଜରା କହିଛନ୍ତି।

ସମ୍ବନ୍ଧିତ ଖବର