ପୌର ନିଗମରେ ଅର୍ଦ୍ଧନମିତ ହେଲାନି ଜାତୀୟ ପତାକା, କାଉନ୍‌ସିଲ୍ ବୈଠକ କିନ୍ତୁ ବାତିଲ

କଟକ: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ରାଜ୍ୟ ସରକାର ରାଜ୍ୟରେ ୩ ଦିନିଆ ଶୋକ ଘୋଷଣା କରିଛନ୍ତି। ନବଙ୍କ ସମ୍ମାନରେ ୨ ଦିନ ସମସ୍ତ କାର୍ଯ୍ୟାଳୟର ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖିବାକୁ କହିଛନ୍ତି। ମାତ୍ର କଟକ ପୌର ନିଗମ କାର୍ଯ୍ୟାଳୟରେ ଲାଗିଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇ ନଥିବା ଦେଖିବାକୁ ମିଳିଛି। ସେପଟେ ଜିଲ୍ଲାପାଳ ଓ ଆରଡିସିଙ୍କ କାର୍ଯ୍ୟାଳୟରେ ଲାଗିଥିବା ଜାତୀୟ ପତାକା ଅର୍ଦ୍ଧନମିତ ରହିଥିବା ଦେଖିବାକୁ ମିଳିଛି। ପୌର ନିଗମର ଅଧିକାରୀଙ୍କ ଏପରି ବେପରୱା ଆଚରଣ ପ୍ରତିକ୍ରିୟାର କାରଣ ହୋଇଛି। ଅନ୍ୟପଟେ କିନ୍ତୁ ପୌର ନିଗମ କାଉନସିଲ ବୈଠକକୁ କିନ୍ତୁ ବାତିଲ କରାଯାଇଛି।

ନିଗମର ବିଜୁ ଭବନ ସମ୍ମିଳନୀ କକ୍ଷରେ ଦିନ ୧୧ଟାରେ ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ଫାଇଲେରିଆ ରୋଗର ଲକ୍ଷଣ ଓ ନିରାକରଣ ଉପରେ ଆଲୋଚନା କରାଯାଇଥିଲା। ଆଜିର ବୈଠକରେ ଉପସ୍ଥିତ ଥିବା ସମସ୍ତ କର୍ପୋରେଟର, ଅଧିକାରୀ ଓ କର୍ମଚାରୀଙ୍କୁ ଫାଇଲେରିଆ ପ୍ରତିଷେଧକ ବଟିକା ଖାଇବାକୁ ଦିଆଯାଇଥିଲା। ଏହାପରେ ସ୍ବର୍ଗତ ଦାସଙ୍କ ଉଦ୍ଦେଶ୍ୟରେ ସଭାରେ ନିରବ ପ୍ରାର୍ଥନା କରାଯାଇ ସଭାକୁ ସ୍ଥଗିତ ରଖାଯାଇଥିଲା। ଫେବ୍ରୁଆରି ୭ ତାରିଖ ମଙ୍ଗଳବାର ଦିନ ନିଗମର କାଉନସିଲ ବସିବ ବୋଲି ଆଜିର ବୈଠକରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର