କଟକ: ବସ୍ତିବାସିନ୍ଦାଙ୍କ ପାଇଁ ସହରର ଅନ୍ଦରପୁରରେ ଆବାସ ଓ ବସ୍ତିଉନ୍ନୟନ ଯୋଜନାରେ ନିର୍ମାଣ ହୋଇଥିବା ଫ୍ଲାଟ୍ଗୁଡିକୁ ବେଆଇନ୍ ଭାବେ ଟଙ୍କା ନେଇ ଲୋକଙ୍କୁ ଦିଆଯିବା ଘଟଣା ପଦାକୁ ଆସିବା ପରେ ଏବେ ତୁଳସୀପୁର ତଅଁଳାସାହିରେ ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମାଣ ହୋଇଥିବା ୪୪ ଫ୍ଲାଟ୍କୁ ସମାନ ଢଙ୍ଗରେ ସାଧାରଣ ଲୋକଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ସହରର ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଘର ଯୋଗେଇଦେବା ପାଇଁ ୨୦୧୧ରେ ସମନ୍ବିତ ଆବାସ ଓ ବସ୍ତି ଉନ୍ନୟନ ଯୋଜନା(ଆଏଚ୍ଏସ୍ଡିପି) ତୁଳସୀପୁର ତଅଁଳାସାହିରେ ୬ଟି ଆପାର୍ଟମେଣ୍ଟରେ ୨୬୪ଟି ଫ୍ଲାଟ୍ ନିର୍ମାଣ ହୋଇଥିଲା। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୨୦ଟି ଫ୍ଲାଟ୍କୁ ଚିହ୍ନଟ କରାଯାଇ ୨୨୦ଜଣ ବସ୍ତିବାସିନ୍ଦାଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ମାତ୍ର ବଳକା ୪୪ଟି ଫ୍ଲାଟ୍କୁ ନିଗମ ପକ୍ଷରୁ କାହାରିକୁ ପ୍ରଦାନ କରାଯାଇ ନଥିଲା। ଦୀର୍ଘବର୍ଷ ଧରି ଘରଗୁଡ଼ିକ ଖାଲି ପଡ଼ିବାରୁ ଏବେ ସେଗୁଡ଼ିକୁ କିଛି ବ୍ୟକ୍ତି ଜବରଦଖଲରେ ନେଇ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି।
ଉକ୍ତ ଫ୍ଲାଟ୍ଗୁଡିକୁ ଏଠାରେ ସିଏମ୍ସି ପକ୍ଷରୁ ଘର ପାଇଥିବା କିଛି ବ୍ୟକ୍ତି ତାଙ୍କ ସଂପର୍କୀୟ ଓ ବାହାର ଲୋକଙ୍କୁ ଟଙ୍କା ନେଇ ଦେଇଥିବା ଅଭିଯୋଗ ହୋଇଛି। ଫ୍ଲାଟ୍ ପିଛା ୧୦ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ନେଇ ଦିଆଯାଇଥିବା ବେଳେ ଏଥିରେ ତଅଁଳାସାହି ଆପାର୍ଟମେଣ୍ଟରେ ରହୁଥିବା କିଛି ମୁରବି ସାମିଲ୍ ଥିବା ଅଭିଯୋଗ ହୋଇଛି। ଏନେଇ ମହାନଗର ନିଗମ ନିକଟରେ ପୂର୍ବରୁ ଏକାଧିକ ଥର ଅଭିଯୋଗ ହୋଇଥିଲେ ବି ନିଗମ କର୍ତ୍ତୃପକ୍ଷ ହାତ ବାନ୍ଧି ବସିଥିବା ଅଭିଯୋଗ ହୋଇଛି। ୨୦୧୯ ଫନି ବାତ୍ୟା ପରେ ଏଠାରେ ଖାଲିଥିବା ୪୪ଟି ଫ୍ଲାଟ୍କୁ ଜବରଦଖଲରେ ରଖି କିଛି ସ୍ଥାନୀୟ ବାସିନ୍ଦା ସେଗୁଡିକୁ ଟଙ୍କା ନେଇ ବିକ୍ରି କରିଥିବା ବିଷୟ ସିଏମ୍ସି ଜାଣି ନିରବ ରହିବା ସାଧାରଣରେ ଅନେକ ପ୍ରଶ୍ନ ଛିଡ଼ା କରିଛି। ସୂଚନାଯୋଗ୍ୟ, ସିଏମ୍ସିର ୫୩ ନମ୍ବର ୱାର୍ଡର ପୂର୍ବତନ ବିଜେଡି କର୍ପୋରେଟର୍ ରଞ୍ଜିତା କରଣଙ୍କ ସ୍ବାମୀ ରାଜା କରଣ ଅନ୍ଦରପୁରଠାରେ ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମାଣ ହୋଇଥିବା ୭୦ରୁ ଅଧିକ ଫ୍ଲାଟ୍କୁ ନିଜ ଅକ୍ତିଆରରେ ରଖି ତା’ମଧ୍ୟରୁ ୪୦ରୁ ଅଧିକ ଫ୍ଲାଟ୍ ଟଙ୍କା ନେଇ ବିକ୍ରି କରିଥିଲେ। ପୁଲିସ ଶ୍ରୀ କରଣଙ୍କୁ ଗିରଫ କରିବା ସହ ତାଙ୍କ ଘରୁ ୧୪ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଛି। ଅନ୍ଦରପୁରର ଘଟଣା ଭଳି ତଅଁଳାସାହିରେ ଘଟିଥିବା ବେଳେ ସିଏମ୍ସି ଓ ପୁଲିସ ଏଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/IMG_20220206_214621103727.jpg)