କଟକ: ସହରର ହୋଟେଲ ଓ ବେକ୍‌ରି ଗୁଡିକରେ ‘ଫୁଡ୍‌ ହାଇଜିନିକ୍‌ ରେଟିଂ ଅଡିଟ୍‌’ କରାଯିବ। ଏଥିରେ କେଉଁ ପରିବେଶ ମଧ୍ୟରେ ଓ କେଉଁ ମାନର ସାମଗ୍ରୀରେ ହୋଟେଲ ଓ ବେକେରି ଗୁଡିକରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି ତାହା ଦେଖାଯିବ। ଓଡ଼ିଶାରେ ପ୍ରଥମେ କଟକ ମହାନଗର ନିଗମରେ ଏହା ଲାଗୁ କରାଯିବ ବୋଲି ସିଏମ୍‌ସି ପକ୍ଷରୁ ଗତ ବର୍ଷ ମାର୍ଚ୍ଚରେ କୁହାଗଲା। ହେଲେ ଏହା ମଧ୍ୟରେ ୯ମାସରୁ ଅଧିକ ଦିନ ବିତିଯାଇ ଥିଲେ ବି ସହରର କେଉଁଠାରେ ବି ଏହି ଅଡିଟ୍‌ କରାଯିବାର ଦେଖିବାକୁ ମିଳିଲା ନାହିଁ। ସେପଟେ ବଡ ବଡ ହୋଟେଲ ଓ ବେକେରି‌ରେ ନିମ୍ନମାନର ଖାଦ୍ୟକୁ ନେଇ ନିଗମର ସ୍ବାସ୍ଥ୍ୟ ବିଭାଗ ଚଢଉ କରି ଜରିମାନା ଆଦାୟ କରିବା ସହ ସେଗୁଡିକୁ ସିଲ୍‌ କରୁଛି। ମାତ୍ର ‘ଫୁଡ୍‌ ହାଇଜିନିକ୍‌ ରେଟିଂ ଅଡିଟ୍‌’ କାର୍ଯ୍ୟକ୍ରମକୁ ସହରରେ କରିବାକୁ ନିଗମ ଅଧିକାରୀ ଭୁଲି ଯାଇଛନ୍ତି।
ସହରବାସୀ ଯେପରି ହାଇଜିନିକ୍‌ ଫୁଡ୍‌ ବା ସ୍ବାସ୍ଥ୍ୟକର ଖାଦ୍ୟ ପାଇ ପାରିବେ, ଏଥିପାଇଁ ସିଏମ୍‌ସି ଓ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରଟି ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ସହରର ବିଭିନ୍ନ ହୋଟେଲ ଓ ବେକେରିର ‘ଫୁଡ୍‌ ହାଇଜେନିକ୍‌ ରେଟିଂ ଅଡିଟ୍‌’ କରିବାକୁ ନିଗମ ପକ୍ଷରୁ ଯୋଜନା କରାଗଲା।

Advertisment

ରାଜ୍ୟରେ ପ୍ରଥମେ ସିଏମ୍‌ସିରେ ଏହା କରାଯିବ ବୋଲି ସିଏମ୍‌ସି ତରଫରୁ କୁହାଗଲା। ସହରରେ ଥିବା ବିଭିନ୍ନ ହୋଟେଲ ଓ ବେକେରିରେ ଖାଦ୍ୟ ଓ ପାଉଁରୁଟି ପ୍ରସ୍ତୁତ ହେବା ସମୟରେ କେଉଁ ପ୍ରକାର ସ୍ବଚ୍ଛତା ଅବଲମ୍ବନ କରାଯାଉଛି ଓ କେଉଁ ମାନର ଦ୍ରବ୍ୟ ବ୍ୟବହାର କରାଯାଉଛି। ଏହା ପରୀକ୍ଷା କରାଯାଇ ନମ୍ବର ଦିଆଯିବ। ଯେଉଁ ହୋଟେଲ ବା ବେକେରି ସବୁଠାରୁ ଅଧିକ ନମ୍ବର ପାଇବ ତାକୁ ଭାରତ ସରକାରଙ୍କ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ ବୋଲି କୁହାଗଲା। ଏପରିକି ସହରର ୧୮ଟି ବଡ ହୋଟେଲ ଓ ୭ଟି ବେକେରିରେ ଏହା ପ୍ରଥମେ କରାଇବାକୁ ସୂଚନା ଦିଆଗଲା। ଏଥିସହ ଉକ୍ତ ଅଡିଟ୍‌ରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଫୁଡ୍‌ ଲାଇସେନ୍ସ ଠାରୁ ଆରମ୍ଭ କରି ‌ଖାଦ୍ୟ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ପାଣି, ଖାଦ୍ୟ ପ୍ରସ୍ତୁତ କରାଯାଉ ଥିବା ସ୍ଥାନ, ଖାଦ୍ୟ ସାମଗ୍ରୀର ମାନ, ନଷ୍ଟ ଖାଦ୍ୟକୁ ରଖାଯାଉଥିବା ଡଷ୍ଟବିନ୍‌ ପର୍ଯ୍ୟନ୍ତ ସମସ୍ତ ବିଷୟକୁ ଦେଖାଯିବ ବୋଲି କୁହାଗଲା। ଏପରିକି ଯାଞ୍ଚ ପ୍ରକ୍ରିୟାକୁ ବିନା ସୂଚନାରେ ତୃତୀୟ ପକ୍ଷ ବା ଥାର୍ଡ ପାର୍ଟି ଦ୍ବାରା କରାଯିବ ବୋଲି ସିଏମ୍‌ସିର ଅଧିକାରୀ କହିଲେ। ହେଲେ ଏହା ମଧ୍ୟରେ ଉକ୍ତ ଯୋଜନାକୁ ବ‌‌ର୍ଷେ ପୂରିବାକୁ ବସିଥିବା ସମୟରେ ଫୁଡ୍‌ ଅଡିଟ୍‌ କେଉଁଠି ବି ଦେଖିବାକୁ ମିଳିଲା ନାହିଁ। ସହରରେ ଆଗକୁ ଏହି ଫୁଡ୍‌ ଅଡିଟ୍‌ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ତୃତୀୟ ପକ୍ଷ ଘୋଷଣା ପରେ ଏହା କରାଯିବ ବୋଲି ସହର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛନ୍ତି।