ସିଏମସିରେ ନାହାନ୍ତି ସ୍ଥାୟୀ ଖାଦ୍ୟ ସୁରକ୍ଷା ଅଧିକାରୀ

ଅସ୍ଥାୟୀ ଅଧିକାରୀରେ ଚାଲିଛି ଖାଦ୍ୟ ଯାଞ୍ଚ ଓ ନକଲି କାରଖାନା ଚଢ଼ାଉ

କଟକ: କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛିଦିନ ଧରି ନକଲି କାରଖାନା ଠାବ କରାଯାଉଛି। ପୁଲିସ ଓ ସିଏମ୍‌ସିର ମିଳିତ ଚଢ଼ାଉରେ ମସଲା, ସୋୟାବିନ୍, ଘିଅ, ସସ୍‌, ପାନମସଲା, ସିମେଣ୍ଟ, ରଙ୍ଗ, ଗଙ୍ଗାଜଳ ପ୍ରସ୍ତୁତକାରୀ ନକଲି କାରଖାନାର ସନ୍ଧାନ ମିଳୁଛି। ପ୍ରତିଦିନ କେଉଁଠି ନା କେଉଁଠି ଚଢ଼ାଉ କରାଯାଇ ନକଲି ଓ ଅପମିଶ୍ରିତ ଖାଦ୍ୟସମାଗ୍ରୀ କାରଖାନା ସିଲ୍‌ ହେଉଛି। ମାତ୍ର ଏଥିପାଇଁ ସିଏମ୍‌ସି ପାଖରେ ଆବଶ୍ୟକୀୟ ସଂଖ୍ୟାର କର୍ମଚାରୀ ନାହାନ୍ତି। ଏପରିକି ଗତ ଦେଢ଼ବର୍ଷରୁ ଅଧିକ ଦିନ ହେବ ମହାନଗର ନିଗମରେ ମାତ୍ର ଜଣେ ଅସ୍ଥାୟୀ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନେଇ କାମ ଚାଲିଛି। ଅନ୍ୟପଟେ ଉକ୍ତ ଅଧିକାରୀଜଣକ ଏକ ସମୟରେ ଭୁବନେଶ୍ବର ଓ କଟକ ଦାୟିତ୍ବରେ ଅଛନ୍ତି। ଏପରି ସ୍ଥିତିରେ ସିଏମ୍‌ସି ପକ୍ଷରୁ ଚଢ଼ାଉ କରିବା ଓ ସହରର ବିଭିନ୍ନ ଦୋକାନ‌ରେ ଖାଦ୍ୟର ମାନ ଯାଞ୍ଚ କରିବାରେ ନାନା ସମସ୍ୟା ହେଉଥିବାର ଅଭିଯୋଗ ହୋଇଛି। ସିଏମସିରେ ଅଧିକ ସଂଖ୍ୟାର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିଯୁକ୍ତି ସହିତ ଏକାଧିକ ସହକାରୀ ଖାଦ୍ୟ ସୁରକ୍ଷା ଅଧିକାରୀ ପଦବି ସୃଷ୍ଟି କରିବାକୁ ସରକାରଙ୍କୁ ବାରମ୍ବାର ଚିଠି କରାଯାଇଥିଲେ ବି ଏଦିଗରେ କୌଣସି ପଦ‌କ୍ଷେପ ନିଆଯାଇ ନଥିବା ସୂଚନା ରହିଛି।

ମହାନଗର ନିଗମ ଅଧୀନରେ ଜଗତପୁର ଓ ମାଲଗୋଦାମ ଅଞ୍ଚଳରେ ଗତ ଦେଢ଼ମାସ ମଧ୍ୟରେ ଚଢ଼ାଉ କରାଯାଇ ୧୭ରୁ ଅଧିକ ନକଲି ଓ ଅପମିଶ୍ରିତ ଖାଦ୍ୟ ସମାଗ୍ରୀ ପ୍ରସ୍ତୁତକାରୀ କାରଖାନା ସିଲ୍‌ କରାଯାଇଛି। ସହରରେ ଅଧିକ ଚଢ଼ାଉ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ କରାଯିବା ସହ ୧୦ଟି ସ୍କ୍ବାଡ ହୋଇଛି। ସ୍କ୍ବାର୍ଡରେ ପୁଲିସ, ସିଏମ୍‌ସି, ଯୋଗାଣ ବିଭାଗ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ, ଓଜନ ଓ ମାପ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ ଅଛନ୍ତି। ହେଲେ, ସିଏମ୍‌ସି ପକ୍ଷରୁ ମାତ୍ର ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନେଇ ଏହା କରାଯାଉଛି। କଟକ ମହାନଗର ନିଗମରେ ୬ଲକ୍ଷରୁ ଅଧିକ ଲୋକ ଥିବାବେଳେ ନିୟମ ଅନୁସାରେ ପ୍ରତି ଦୁଇଲକ୍ଷରେ ଜଣେ ଅର୍ଥାତ୍‌ ୩ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ରହିବା କଥା। ସେମାନଙ୍କୁ ସହଯୋଗ କରିବା ପାଇଁ ଜଣେ ଅଧିକାରୀଙ୍କ ନିକଟରେ ସହକାରୀ ଖାଦ୍ୟ ସୁରକ୍ଷା ଅଧିକାରୀ ଭାବେ ୨ରୁ ୩ଜଣ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ମାତ୍ର ମହାନଗର ନିଗମରେ ଏବେ ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀରେ କାମ ଚାଳିଛି। ଉକ୍ତ ଅଧିକାରୀଙ୍କୁ ଏକ ସମୟରେ ଭୁବନେଶ୍ବର ଓ କଟକ ଦାୟିତ୍ବ ଦିଆଯାଇଛି। ଏଥିପାଇଁ ଅଧିକାରୀଜଣକ ସବୁ ସମୟରେ କଟକରେ ରହିପାରୁ ନାହାନ୍ତି। ସେପଟେ ୩ଜଣ ସାନିଟାରି ଇନ୍‌‌ସପେକ୍ଟରଙ୍କୁ ସହାୟକ ଖାଦ୍ୟ ସୁରକ୍ଷା ଅଧିକାରୀର ଦାୟିତ୍ବ ଦିଆଯାଇଛି।

ସିଏମସିରେ ଆବଶ୍ୟକୀୟ ସଂଖ୍ୟାର ଖାଦ୍ୟ ସୁରକ୍ଷା ଅଧିକାରୀ ଓ କର୍ମଚାରୀ ନ ଥିବାରୁ ସହରରେ ଥିବା ୧୦ ହଜାରରୁ ଅଧିକ ଦହିବରା ଓ ଜଳଖିଆ ବ୍ୟବସାୟୀଙ୍କ ସହିତ ତିନିହଜାରରୁ ଅଧିକ ଫାଷ୍ଟଫୁଡ୍‌ ଦୋକାନୀଙ୍କ ଖାଦ୍ୟର ମାନ, ଖାଦ୍ୟ ପ୍ରସ୍ତୁତି, ଖାଦ୍ୟରେ କୃତ୍ରିମ ରଙ୍ଗ ମିଶ୍ରଣ ଆଦିକୁ ସଠିକ ଭାବେ ଯାଞ୍ଚ ହୋଇପାରୁ ନଥିବା ଅଭିଯୋଗ ହୋଇଛି। ଆବଶ୍ୟକୀୟ ସଂଖ୍ୟାର ଅଧିକାରୀ ନଥିବାରୁ ସହରରେ ଖାଦ୍ୟର ମାନ ପରୀକ୍ଷା କରିବା, ନକଲି କାରଖାନା ଚଢ଼ାଉ ସହିତ ଫୁଡ୍‌ ଲାଇସେନ୍ସ ପ୍ରଦାନ ଆଦି କାର୍ଯ୍ୟ କରିବାରେ ନାନା ସମସ୍ୟା ହେଉଛି। ସୂଚନାଯୋଗ୍ୟ, ୧୯୫୪ ମସିହାରୁ ଦେଶରେ ଥିବା ଖାଦ୍ୟ ଅପମ୍ରିଶଣ ଆଇନକୁ ପରିବର୍ତ୍ତନ କରାଯାଇ ୨୦୦୬ରେ ଖାଦ୍ୟ ସୁରକ୍ଷା ଓ ମାନକ ଆଇନରେ ପରିଣତ କରାଗଲା। ମାତ୍ର ଏଥିପାଇଁ ଆବଶ୍ୟକ ଥିବା ଅଧିକାରୀ ଓ କର୍ମଚାରୀ ନିଯୁକ୍ତି କରିବାରେ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇ ନଥିବା ଅଭିଯୋଗ ହୋଇଛି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି, ସିଏମସିରେ ତିନଜଣ ସ୍ଥାୟୀ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସ୍ଥାନରେ ଜଣେ ଅସ୍ଥାୟୀ ଅଧିକାରୀ ଖାଦ୍ୟ ଯାଞ୍ଚ କାମ କରିବା। ସିଏମ୍‌ସି ଅଞ୍ଚଳରେ ଖାଦ୍ୟର ମାନ ଯାଞ୍ଚ କରିବା ସହ ନକଲି କାରଖାନା ଚଢାଉ ପାଇଁ ସରକାର ଆବଶ୍ୟକୀୟ ସଂଖ୍ୟାର ଖାଦ୍ୟ ସୁରକ୍ଷା ଅଧିକାରୀ ନିଯୁକ୍ତି ଓ ସହାୟକ ଅଧିକାରୀ ପଦବି ସୃଷ୍ଟି କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର