୨୫୦ ବେଡ଼୍‌ କୋଭିଡ଼ ହପ୍ସିଟାଲ ପାଇଁ କେତେ ପ୍ରସ୍ତୁତ ଏସ୍‌ସିବି? ପ୍ରତି ସିଫ୍ଟ ପାଇଁ ଆବଶ୍ୟକ ୧୫ ଡ଼ାକ୍ତର, ୩୦ରୁ ଅଧିକ ନର୍ସ

ଜିଲ୍ଲା ଯାଇଥିବା ପିଜି ଡ଼ାକ୍ତରଙ୍କୁ ଫେରାଇ ଆଣିବା ଯୋଜନା!

କଟକ: କରୋନା ଚିକିତ୍ସାକୁ ନେଇ କଟକରେ ଏବେ ଅସମ୍ଭାଳ ସ୍ଥିତି। ଗଲା ତିନି ଦିନରେ ଆକ୍ରାନ୍ତ ହେଲେଣି ୧୦୮୨ ଜଣ। ୩ଟି କୋଭିଡ କେୟାର ହସ୍ପିଟାଲ, ୮ଟି କୋଭିଡ କେୟାର ହୋମରେ ଆକ୍ରାନ୍ତ ଭର୍ତ୍ତି ହେଉଥିବା ବେଳେ ଏବେ ଅଭାବ ପଡିଲାଣି ବେଡ୍। ହୋମ ଆଇ ସୋଲେସନରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଶହ ଟପିଲାଣି। ସ୍ଥିତି ମୁକାବିଲା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ଘରୋଇ ହସ୍ପିଟାଲ ସମେତ କଟକ ବଡ଼ ଡାକ୍ତରଖାନାର ବର୍ତ୍ତମାନର ଆଇସୋଲେସନ ୱାର୍ଡରେ ୨୫୦ ବେଡ଼ ଓ ପାଖାପାଖି ୭୦ ବେଡ଼ର ଆଇସିୟୁର ବ୍ୟବସ୍ଥା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

କିନ୍ତୁ ଏଥି ପାଇଁ ବେଡ୍ ବ୍ୟବସ୍ଥା କରିବା ସମସ୍ୟା ନ ଥିବା ବେଳେ ଆବଶ୍ୟକ ଡାକ୍ତର ଓ ନର୍ସଙ୍କୁ ନେଇ ଆକଳନ ଚାଲିଛି। ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ କୋଭିଡ ଚିକିତ୍ସା ପାଇଁ ଯାଇଥିବା ପିଜି ଡାକ୍ତର, ଅନ ଡିୟୁଟି ଥିବା ଡାକ୍ତରଙ୍କୁ ବର୍ତ୍ତମାନ ଏସସିବିକୁ ଫେରାଇ ଅଣାଯିବାର ଯୋଜନା କରାଯାଉଛି। ସରକାରୀ ନିୟମ କହୁଛି, ସାଧାରଣ ବ୍ୟବସ୍ଥାରେ ୧୦ଟି ବେଡ଼ ପାଇଁ ପ୍ରତି ସିଫ୍ଟ ପାଇଁ ଜଣେ ନର୍ସ, ୨୦ ବେଡ଼ ପାଇଁ ଜଣେ ଡାକ୍ତର ଆବଶ୍ୟକ। ଆଇସିୟୁ ବେଡ଼ ପାଇଁ କିନ୍ତୁ ଅଲଗା ବ୍ୟବସ୍ଥା। ସେଥିରେ ୫ ବେଡ଼ ପାଇଁ ଜଣେ ନର୍ସ  ଓ ୧୦ଟି ବେଡ଼ ପାଇଁ ଜଣେ ଡାକ୍ତର ରହିବେ। ସେହି ଗାଇଡ଼ ଲାଇନ ଯଦି ଦେଖାଯାଏ ତେବେ ଏସସିବିର ୨୫୦ ବେଡ଼ ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ୩ଟି ସିଫ୍ଟରେ ୫୦ରୁ ଅଧିକ ଡାକ୍ତର, ଦେଢ ଶହରୁ ଅଧିକ ନର୍ସଙ୍କ ଆବଶ୍ୟକତା ରହିଛି।

Unsplash

ତା ସହିତ ଜରୁରୀକାଳୀନ ବ୍ୟବସ୍ଥା ପାଇଁ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ମୁତୟନ ରହିବେ। ଜଣେ ବରିଷ୍ଠ ବିଶେଷଜ୍ଞଙ୍କ କହିବା ଅନୁସାରେ ଏସସିବିରେ ଡାକ୍ତରଙ୍କ ଅଭାବ ସେତେଟା ନାହିଁ। କିନ୍ତୁ କୋଭିଡ ସ୍ଥିତି ଅଲଗା। ସ୍ବତନ୍ତ୍ର ଗାଇଡ଼ ଲାଇନ ଅନୁସାରେ ଡିୟୁଟି ଚାଟ କରାଯିବ। ଫଳରେ ଅଧିକ ଡାକ୍ତର, ନର୍ସ, ପାରାମେଡିକାଲ, ସଫେଇ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ସେଥିପାଇଁ  ଅଧିକ ସଂଖ୍ୟକ କର୍ମଚାରୀ ନିଯୁକ୍ତି କରାଯିବ।  ଆଜି ଏ ସମ୍ପର୍କରେ ଏସ୍ ସିବିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ  ନିୟୁ ମେଡ଼ିସିନ ୱାର୍ଡକୁ ୧୦ ତାରିଖ ସୁଦ୍ଧା ଖାଲି କରାଯିବାର ଯୋଜନା ରହିଛି। କୋଭିଡ ତାଲିମ ନୋଡ଼ାଲ ଅଫିସର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା କହିବା ଅନୁସାରେ ଖୁବ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ନିୟୁ ମେଡ଼ିସିନ ବିଭାଗରେ ଯେଉଁ ୩୯ ଆଇସିୟୁର ବ୍ୟବସ୍ଥା ରହିବ, ସେଥିରୁ ୧୪ଟି ଆଇସିୟୁ ରହିଥିବା ବେଳେ ବାକି ୨୫ଟିର କାମ ଚାଲିଛି।

ସମ୍ବନ୍ଧିତ ଖବର