୪ ମେୟର୍‌ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ, ୧୨ ସ୍ବାଧୀନ ମେୟର୍‌ ପ୍ରାର୍ଥୀଙ୍କୁ ମିଳିଲା ନିର୍ବାଚନ ଚିହ୍ନ

କଟକ: ସିଏମ୍‌ସି ମେୟର ନିର୍ବାଚନ ପାଇଁ ୨୨ଜଣ ପ୍ରାର୍ଥୀ ୩୦ଟି ନାମାଙ୍କନପତ୍ର ଦାଖଲ କରିଥିଲେ। ଆଜି ନାମାଙ୍କନପତ୍ର ଯାଞ୍ଚ ପରେ ୪ ଜଣଙ୍କ ନାମାଙ୍କନ ନାକଚ୍‌ ହୋଇଯାଇଛି। ଫଳରେ ୧୮ଜଣଙ୍କ ନାମାଙ୍କନ କାଏମ୍‌ ରହିଛି। ୧୮ଜଣ ମେୟର ପ୍ରାର୍ଥୀଙ୍କ ମଧ୍ୟରୁ ୬ଜଣ ପ୍ରାର୍ଥୀ ଦଳୀୟ ଟିକେଟରୁ ଲଢୁଥିବା ବେଳେ ୧୨ଜଣ ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ନାକଚ୍‌ ହୋଇଥିବା ପ୍ରାର୍ଥୀଙ୍କ ଭିତରୁ କାହାର ନାଁ ଭୋଟର ତାଲିକାରେ ନଥିଲା ତ’ ଆଉ କାହାର ପ୍ରସ୍ତାବକଙ୍କ କାଗଜପତ୍ର ସମସ୍ୟା କାରଣରୁ ପ୍ରାର୍ଥିପତ୍ର ନାକଚ୍‌ ହୋଇଛି। ପ୍ରାର୍ଥିପତ୍ର କାଏମ୍‌ ଥିବା ‌ସ୍ବାଧୀନ ମେୟର ପ୍ରାର୍ଥୀଙ୍କୁ ସେମାନଙ୍କ ନିର୍ବାଚନ ଚିହ୍ନ ପ୍ରଦାନ କରାଯାଇଛି।

ନାକଚ୍‌ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଶୁଭ୍ରକାନ୍ତା ଭୌମିକ, ଲଳିତ କୁମାର ମିଶ୍ର, ସନ୍ତୋଷ କୁମାର ମହାପାତ୍ର ଓ ହେମନ୍ତ କୁମାର ବିଶ୍ବାଳ ଅଛନ୍ତି। ତେବେ ପ୍ରାର୍ଥିପତ୍ର କାଏମ୍‌ ଥିବା ୧୮ ମେୟର ପ୍ରାର୍ଥୀଙ୍କ ମଧ୍ୟରେ ୧୨ଜଣ ସ୍ବାଧୀନ ଭାବେ ଛିଡା ହୋଇ ଥିବା ବେଳେ ୬ଜଣ ଦଳୀୟ ଚିହ୍ନରେ ନିର୍ବାଚନ ଲଢିବେ। ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରୁ ସାଂସଦ ସୁବାସ ସିଂହ, କଂଗ୍ରେସରୁ ଗିରିବାଳା ବେହେରା, ବିଜେପିରୁ ଶ୍ରୀତମ ଦାସ, ଏସ୍‌ୟୁସିଆଇ(ସି)ରୁ ବବି ବଳବନ୍ତରାୟ, ବିଏସ୍‌ପିରୁ ବିଜୟ କୁମାର ସାମଲ, ଆପ୍‌ରୁ ସେକ୍‌ ମୁସ୍ତାକ ଅଲ୍ଲୀ ଅଛନ୍ତି। ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ବିକାଶ କୁମାର ସାହୁଙ୍କୁ ସାଇକେଲ, ଓମ୍‌ ପ୍ରକାଶ ପଣ୍ଡାଙ୍କୁ ପାଣି ଜାହାଜ, ସଞ୍ଜିତ କୁମାର ସମାଲଙ୍କୁ ନଟୁ, ପ୍ରେମଜିତ ସାହୁଙ୍କୁ ଉଡାଜାହାଜ, ରୁଦ୍ରମାଧବ ପଣ୍ଡାଙ୍କୁ ଶିଖା ଥିବା ଟର୍ଚ୍ଚ, ଜୟ ଶଙ୍କର ଆଚାର୍ଯ୍ୟଙ୍କୁ ପାତ୍ର, ଦେବେନ୍ଦ୍ର ମହାପାତ୍ରଙ୍କୁ କାଳି ଦୁଆତ ଓ ପେନ୍‌, ସୌଦାମିନୀ ମିଶ୍ରଙ୍କୁ ରେଡିଓ, ଦୟାନିଧି ନାୟକଙ୍କୁ ଫଳନ୍ତି ନଡ଼ିଆ ଗଛ, ହେମନ୍ତ କୁମାର ସାହୁଙ୍କୁ ପୁଅ ଓ ଝିଅ, ଶ୍ରୀରାମ ପା‌ଣ୍ଡେଙ୍କୁ ରେଳ ଇଂଜିନ, ବୃନ୍ଦାବନ ଦାସ ଆଜାଦଙ୍କୁ ଢୋଲ ଚିହ୍ନ ମିଳିଛି। ଏସ୍‌ସିୟୁସିଆଇର ମେୟର ପ୍ରାର୍ଥୀଙ୍କୁ ନିଶୁଣୀ ଚିହ୍ନ ମିଳିଛି।

ସମ୍ବନ୍ଧିତ ଖବର