ଓଡ଼ିଶା ହାଇକୋର୍ଟର ଚାରି ନୂଆ ବିଚାରପତି

ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିୟମ୍‌

କଟକ/ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତି ଭାବେ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର, ମୃଗାଙ୍କ ଶେଖର ସାହୁ, ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ରଙ୍କୁ ନିଯୁକ୍ତି ମିଳିବାକୁ ଯାଉଛି। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଏହି ଚାରିଜଣଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି । ଗତକାଲି ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ଏନ୍‌ଭି ରମଣା, ଜଷ୍ଟିସ୍‌ ୟୁୟୁ ଲଳିତ, ଜଷ୍ଟିସ୍‌ ଏଏମ୍‌ ଖାନୱିଲକର, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍‌ ଏଲ୍‌ଏନ୍‌ ରାଓଙ୍କୁ ନେଇ ଗଠିତ ଖଣ୍ଡପୀଠ କଲେଜିୟମ୍‌ ଓଡ଼ିଶା ହାଇକୋର୍ଟରେ ୪ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ବୀକୃତି ମିଳିବା ପରେ ୪ ଜଣଙ୍କୁ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ମିଳିବ।

ଶ୍ରୀ ମହାପାତ୍ର ୧୯୯୫ରେ ଓ ଶ୍ରୀ ସାହୁ ୧୯୯୯ରେ ଓକିଲାତି ପେସାରେ ଯୋଗ ଦେଇଥିଲେ। ଉଭୟ ହାଇକୋର୍ଟର ପ୍ରତିଷ୍ଠିତ ଆଇନଜୀବୀ ହୋଇଥିବାବେଳେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରି ସୁନାମ ଅର୍ଜନ କରିଛନ୍ତି। ବର୍ତ୍ତମାନ ଶ୍ରୀ ସାହୁ ଅତିରିକ୍ତ ସରକାରୀ ଓକିଲ(ଏଜିଏ) ଭାବେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି। ଶ୍ରୀ ପଟ୍ଟନାୟକ ଓ ଶ୍ରୀ ମିଶ୍ର ସିଧାସଳଖ ଜିଲ୍ଲା ଜଜ୍ ପାହ୍ୟାରେ ୨୦୦୯, ଡିସେମ୍ବର ୨୮ରେ ଯୋଗଦେଇଥିଲେ। ଏବେ ଶ୍ରୀ ପଟ୍ଟନାୟକ ରାଜ୍ୟ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେହିଭଳି ଭାବେ ଶ୍ରୀ ମିଶ୍ର ଗଞ୍ଜାମ ଜିଲ୍ଲା ଜଜ୍ ଭାବେ ଏବେ କାର୍ଯ୍ୟ କରୁଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , ଓଡ଼ିଶା ହାଇକୋର୍ଟରେ ମଂଜୁରିପ୍ରାପ୍ତ ୨୭ଟି ବିଚାରପତି ପଦ ମଧ୍ୟରୁ ୧୪ଟି ପଦ ଖାଲିପଡ଼ିଛି। ନିକଟରେ ସୁପ୍ରିମକୋର୍ଟ କଲେଜିୟମ୍‌ଙ୍କ ଦ୍ବାରା ଓଡିଶା ହାଇକୋର୍ଟର ବିଚାରପତି ସଂଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଛି। ଏହାସହିତ କୋଲକାତା ହାଇକୋର୍ଟରୁ ଦୁଇଜଣ ବିଚାରପତି ସୌମେନ ସେନ ଏବଂ ଅରିନ୍ଦମ ସିହ୍ନା ତଥା ପଞ୍ଜାବ ଓ ହରିୟାଣା ହାଇକୋର୍ଟରୁ ବିଚାରପତି ଯଶୱନ୍ତ ସିଂହଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯିବାପାଇଁ ମଧ୍ୟ କଲେଜିୟମ୍‌ଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି। କେନ୍ଦ୍ର ସରକାର ଯଦି ବିଚାରପତିଙ୍କ ନିଯୁକ୍ତି ତଥା ବଦଳି ସଂକ୍ରାନ୍ତ ସୁପାରିସଗୁଡ଼ିକୁ ଅନୁମୋଦନ ପ୍ରଦାନ କରନ୍ତି, ତା’ହେଲେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୯କୁ ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର