ସିଏମ୍‌ସିର ୪୯୦ କୋଟି ବଜେଟ୍‌କୁ ଅନୁମୋଦନ, ଗତବର୍ଷ ତୁଳନାରେ ଏବର୍ଷ ୩୦ କୋଟି ଆୟ ହ୍ରାସ

କଟକ: କଟକ ମହାନଗର ନିଗମର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଚିଠା ବଜେଟ ପ୍ରସ୍ତୁତ ହୋଇଛି। ଏଥିର ବଜେଟର ଆକାର ୪୯୦ କୋଟି ଟଙ୍କା ଛୁଇଁଛି। ସିଏମ୍‌ସିର ବିଭିନ୍ନ କ୍ଷେତ୍ରରୁ ୪୮୯ କୋଟି ୯୮ ଲକ୍ଷ ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୪୮୯କୋଟି ୬୯ ଲକ୍ଷ ଟଙ୍କା ବ୍ୟୟ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥର ମାତ୍ର ୨୮ ଲକ୍ଷ ଟଙ୍କାର ବଳକା ବଜେଟ କରାଯାଇଛି। ଏଥର ନିଗମର ନିଜସ୍ବ ଆୟ କମ ଥିବାରୁ ସିଏମ୍‌ସିକୁ ସରକାରୀ ଅନୁଦାନ, ବିଭିନ୍ନ ଋଣ ଛ‌ାଡ ଆଦି ଉପରେ ନିର୍ଭର କରିବାକୁ ପଡୁଛି। ଯଦି ସରକାରୀ ଅନୁଦାନ, ଋଣ ଛାଡ ପରିମାଣ କମିଯାଏ ତେବେ ଏହା ସିଏମ୍‌ସିର ବିଭିନ୍ନ ଖର୍ଚ୍ଚକୁ ସିଧାସଳଖ ଭାବେ ପ୍ରଭାବ କରିବ। ସିଏମ୍‌ସିର ଚିଠା ବଜେଟକୁ ଆୟୁକ୍ତ ଅନୁମୋଦନ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛନ୍ତି। ଗତବର୍ଷ ସିଏମ୍‌ସିର ବଜେଟ ୩୮୦ କୋଟି ୩୬ଲକ୍ଷ ଟଙ୍କା ଥିଲା। ସିଏମସିର ଚଳିତ ବର୍ଷ ବଜେଟକୁ ଦେଖିଲେ ନିଗମର ଆୟ ଓ ବ୍ୟୟ ମଧ୍ୟରେ ମାତ୍ର ୨୯ ଲକ୍ଷର ବ୍ୟବଧାନ ରହୁଛି।

ମହାନଗର ନିଗମର ନିଜସ୍ବ ବିଭିନ୍ନ ଉତ୍ସରୁ ୯୩ କୋଟି ଟଙ୍କା ଆୟ ହେବାକୁ ଥିବା ବେଳେ ଜରିମାନା ବାବଦରେ ୧ କୋଟି ୮୮ଲକ୍ଷ, ଅନ୍ୟାନ୍ୟ ଉତ୍ସରୁ ୭ କୋଟି ୬୮ ଲକ୍ଷ ଓ ସରକାରୀ ଅନୁଦାନ ବାବଦରେ ୩୮୭ କୋଟି ୬୦ ଲକ୍ଷ ଟଙ୍କା ରହିଛି। ଚଳିତ ବର୍ଷ ସିଏମ୍‌ସିର ନିଜସ୍ବ ଆୟ ଗତବର୍ଷ ତୁଳନାରେ ୨୯ କୋଟି ୮୩ ଲକ୍ଷ ଟଙ୍କା କମ ରହିଛି। ଏଥର ବଜେଟରେ ବିଭିନ୍ନ ଟିକସ ବାବଦରେ ୫୫ କୋଟି ଟଙ୍କା, ରାଜସ୍ବ ବାବଦରେ ୩୨ କୋଟି ୨୪ ଲକ୍ଷ, ୟୁଜର ଫି ବାବଦରେ ୮୫ ଲକ୍ଷ, ଭଡା ବାବଦରେ ୪ କୋଟି ୭୩ ଲକ୍ଷ, ଫି୍‌ ଓ ଫାଇନ୍‌ ବାବଦକୁ ୧ କୋଟି ୮୮ ଲକ୍ଷ, ବିଭିନ୍ନ ସରକାରୀ ଅନୁଦାନ, ଛାଡ, ଋଣ ବାବଦକୁ ୩୮୭ କୋଟି ୬୦ ଲକ୍ଷ ଓ ଅନ୍ୟାନ୍ୟ ଆୟ ବାବଦରେ ୭ କୋଟି ୬୮ଲକ୍ଷ ଟଙ୍କା ମିଳିବାକୁ ନେଇ ଚିଠା ବଜେଟ ପ୍ରସ୍ତୁତ କରାଯାଇଛି। ସେହିପରି ଚିଠା ବଜେଟରେ ପ୍ରଶାସନିକ ପରିଚାଳନା ବାବଦକୁ ୯୯ କୋଟି ୧୯ ଲକ୍ଷ ଟଙ୍କା, ସ୍ବାସ୍ଥ୍ୟ ସେବା ଓ ପରିମଳ ବାବଦକୁ ୧୦୨ କୋଟି ୩୫ ଲକ୍ଷ, ଗାଡି ଚଳାଚଳ ଓ ଯାତ୍ରା ବାବଦରେ ୫ କୋଟି ୬୯ ଲକ୍ଷ, ସରକାରୀ ଅନୁଦାନ ଓ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୨୭୨ କୋଟି ୫୨ ଲକ୍ଷ, ଋଣ ପରି‌ଶୋଧ ବାବଦକୁ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ୩ କୋଟି ୧୯ ଲକ୍ଷ ଟଙ୍କା ବଜେଟରେ ରଖା ଯାଇଛି।

ସମ୍ବନ୍ଧିତ ଖବର