ତିଗିରିଆରେ ଗୋଷ୍ଠୀ ସଂଘର୍ଷ: ମହିଳା ସରପଞ୍ଚଙ୍କ ସ୍ବାମୀଙ୍କ ସମେତ ୪ ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭୋଗଡ଼ା ପଞ୍ଚାୟତର ବେଲଣ୍ଟା ଗାଁରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାର ସିସିଟିଭି ଫୁଟେଜ ଏବେ ବୟାନ କରୁଛି କିଭଳି ଥିଲା ସେହି ସମୟର ଦୃଶ୍ୟ। ୧୫ରୁ ଊର୍ଦ୍ଧ୍ବ ଯୁବକ ହାତରେ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଧରି ମହିଳା ସରପଞ୍ଚ ଏବଂ ତାଙ୍କର ପରିବାର ଉପରେ କିଭଳି ଅତର୍କିତ ଆକ୍ରମଣ କରିଥିଲେ। ସେମାନେ ମହିଳା ସରପଞ୍ଚଙ୍କ ଘରେ ଥିବା କାର୍ ଓ ବାଇକ୍ ପୋଡ଼ି ଦେଇଥିଲେ।

ଉକ୍ତ ଘଟଣାରେ ଭୋଗଡ଼ା ସରପଞ୍ଚଙ୍କ ସ୍ଵାମୀ ଅରୁଣ କୁମାର ନାୟକ ଏବଂ ଦିଅରଙ୍କ ସମେତ ପାଞ୍ଚ ଜଣ ଆହତ ହୋଇ ପ୍ରଥମେ ତିଗିରିଆ ମେଡିକାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ୪ଜଣଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ଗୋଟିଏ ଗୋଷ୍ଠୀଙ୍କ ପକ୍ଷରୁ ତିଗିରିଆ ଥାନାରେ ଏତଲା କରାଯାଇଥିବା ବେଳେ ଗାଁରେ ଶାନ୍ତି ଫେରାଇ ଆଣିବାକୁ ଏସଡିପିଓ ରବୀନ୍ଦ୍ର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମେତ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ତେଣେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୀଡ଼ିତମାନଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର