ମାନବାଧିକାର କମିସନଙ୍କ ହସ୍ତକ୍ଷେପ ପରେ ଗୁରୁତର ଅବସ୍ଥାରେ ଆଇନଜୀବୀଙ୍କୁ ଉଦ୍ଧାର କଲା ପୁଲିସ

ଏସ୍‌ସିବିରେ ଭର୍ତ୍ତି, ମାଗଣାରେ ଚିକିତ୍ସା ଯୋଗାଇ ‌ଦେବାକୁ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ

କଟକ: ରାଜ୍ୟ ମାନବାଧିକାର କମିସନଙ୍କ ହସ୍ତକ୍ଷେପ ପରେ ଉପଯୁକ୍ତ ଚିକିତ୍ସା ନ ପାଇ ଅବହେଳିତ ଅବସ୍ଥାରେ କିଛି ଦିନ ହେବ ପଡି ରହିଥିବା ଜଣେ ଆଇନଜୀବୀଙ୍କୁ ଆଜି ପୁଲିସ ସହାୟତାରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ସିଡିଏ ସେକ୍ଟର-୭ସ୍ଥିତ ବାସଭବନରୁ ହାଇକୋର୍ଟ ବାର୍ ଆସୋସିଏସନ୍ ସଦସ୍ୟ ଆଇନଜୀବୀ ପ୍ରତାପ ରାଉତଙ୍କୁ ଗୁରୁତର ଅବସ୍ଥାରେ ପୁଲିସ୍ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଏସସିବି ମେଡିକାଲକୁ ପଠାଇଛି।

ହାଇକୋର୍ଟ ବାର୍ ଆସୋସିଏସନ୍ ସଂପାଦକ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କାଙ୍କ ଆବେଦନର ଶୁଣାଣି କରି ମାନବାଧିକାର କମିସନ୍ ଶ୍ରୀ ରାଉତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେବା ପରେ ତୁରନ୍ତ କଟକ ଡିସିପିଙ୍କ ଆଦେଶରେ ପୀଡିତଙ୍କୁ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ଶ୍ରୀ ରାଉତ ଉପଯୁକ୍ତ ଚିକିତ୍ସା ନ ପାଇ ସେକ୍ଟର-୭ସ୍ଥିତ ବାସଭବନରେ ଅବହେଳିତ ଅବସ୍ଥାରେ ପଡି ରହିଥିବା ଦର୍ଶାଇ ଡକ୍ଟର ଲେଙ୍କା ମାନବାଧିକାର କମିସନଙ୍କ ନିକଟରେ ଆବେଦନ କରିଥିଲେ। ଶ୍ରୀ ରାଉତଙ୍କୁ ଏକ ଘରେ ତାଲା ପକାଇ ରଖାଯାଇଛି ଓ ସେ ଉପଯୁକ୍ତ ଚିକିତ୍ସା ତଥା ଖାଦ୍ୟପେୟ ପାଇବାରୁ ବଞ୍ଚିତ ବୋଲି ଆବେଦନରେ ଦର୍ଶାଯାଇଥିଲା।

କମିସନ୍ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରି ତୁରନ୍ତ ଗୁରୁତର ଅବସ୍ଥାରେ ଥିବା ଶ୍ରୀ ରାଉତଙ୍କୁ ଉଦ୍ଧାର କରି ଏସସିବି ମେଡିକା‌ଲରେ ଭର୍ତ୍ତି କରିବାକୁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ମାଗଣାରେ ଶ୍ରୀ ରାଉତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଏସସିବି‌ ମେଡିକାଲ କଲେଜ ଅଧୀକ୍ଷକ ପଦକ୍ଷେପ ଗ୍ରହଣ କରିବେ ବୋଲି କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ରାଉତଙ୍କ ଚିକିତ୍ସା ପ୍ରସଂଗ ତଦାରଖ ପାଇଁ ପଦକ୍ଷେପ ନେବାକୁ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ପଦକ୍ଷେପ ଗ୍ରହଣ କରି‌େବ ବୋଲି କମିସନ୍ କହିଛନ୍ତି। ଶ୍ରୀ ରାଉତଙ୍କ ଚିକିତ୍ସା ତଦାରଖ କରିବାକୁ ଏସସିବିରେ ଜଣେ ପାରା ଲିଗାଲ ସ୍ବେଚ୍ଛାସେବୀଙ୍କୁ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ ବୋଲି କମିସନ କହିଛନ୍ତି। ମେ ୨୮ରେ ଏହି ମାମଲାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କିତ ରିପୋର୍ଟ ଦାଖଲ କରାଯିବ ବୋଲି କମିସନ୍ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର