କଟକ: ଆଜି ଗାନ୍ଧୀ ଜୟନ୍ତୀ। ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ସମାରୋହକୁ ନେଇ ଯେଉଁ ଯୋଜନା ସବୁ ହୋଇଥିଲା, ତାହା ସତେ ଯେମିତି ମାସ କେଇଟାରେ ହଜି ଯିବାକୁ ବସିଛି। ୯ମାସ ତଳେ ଉତ୍କଳ ଦିବସରେ ଯେଉଁ ପ୍ରକଳ୍ପକୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତରେ ଆସି ଲୋକାର୍ପଣ କରିଥିଲେ, ସେ ପ୍ରକଳ୍ପ ବି ଗାନ୍ଧୀ ଜୟନ୍ତୀ ପୂର୍ବ ସଂଧ୍ୟାରେ ଅନ୍ଧାର। ମହାତ୍ମାଗାନ୍ଧୀଙ୍କ ପ୍ରଥମ କଟକ ଗସ୍ତର ସ୍ମାରକୀଭାବେ କାଠଯୋଡି ବେଲଭ୍ୟୁ ଠାରେ ବ୍ରୋଞ୍ଜରେ ନିର୍ମିତ ‘ଗାନ୍ଧୀ ଭିତ୍ତି ସ୍ମାରକୀ ସ୍ଥାପତ୍ୟ’କୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଦୀର୍ଘଦିନ ହେଲା ଏହା ଅନ୍ଧାରରେ ଥିବାବେଳେ ଆଶାଥିଲା ଅନ୍ତତଃ ଗାନ୍ଧୀ ଜୟନ୍ତୀରେ ଏହି ‘ଗାନ୍ଧୀ ଭିତ୍ତି ସ୍ମାରକୀ ସ୍ଥାପତ୍ୟ’କୁ ଆଲୋମାଳାରେ ଝଲସାଇବ ପ୍ରଶାସନ। ପାର୍କରେ ନୂତନଭାବେ ଆଇ ଲଭ୍ କଟକର ସେଲ୍ଫି ପଏଣ୍ଟ ସ୍ଥାପନ କରାଯାଇଛି। କିନ୍ତୁ ପାର୍କ ବି ବାଉଁଶ ବାଡାରେ ବନ୍ଧା। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ୧୯୨୧ ମସିହାରେ ଗାନ୍ଧୀଜୀ ପ୍ରଥମ ଓଡ଼ିଶା ଗସ୍ତରେ ଆସି କାଠଯୋଡ଼ି ପଠାରେ କରିଥିବା ସଭାର ସ୍ମୃତି ସ୍ବରୂପ ବ୍ରୋଞ୍ଜ୍ ସ୍ଥାପତ୍ୟ ସ୍ଥାପନ କରିବାର ଯୋଜନା ହୋଇଥିଲା। ସଂସ୍କୃତି ବିଭାଗ ତରଫରୁ ୨୫ ଫୁଟ ଉଚ୍ଚତା ଓ ୧୩ ଫୁଟ ଚୌଡାର ଏହି ସ୍ଥାପତ୍ୟ ପାଇଁ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।
ଏହାକୁ ୨୦୨୧ ଏପ୍ରିଲ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ। ଏଠାରେ ଉକ୍ତ ସ୍ଥାପତ୍ୟ ସହିତ ତିନିଟି ଫାଉଣ୍ଟେନ୍, ୱାକିଂ ଟ୍ରାକ୍, ଲୋକଙ୍କ ବସିବା ପାଇଁ ଗ୍ୟାଲେରି ସହିତ ଏକ ଉଦ୍ୟାନ ପ୍ରସ୍ତୁତ କରାଯାଇଥିଲା। ପ୍ରତିଦିନ ସଂଧ୍ୟାରେ ଏଠାରେ ଲୋକଙ୍କ ଭିଡ ଜମୁଥିଲା। ମାତ୍ର ମେ' ୫ରେ ଲକ୍ଡାଉନ୍ ଘୋଷଣା ପରେ ଏହାକୁ ବନ୍ଦ କରି ଦିଆଗଲା। ପରେ ଖୋଲିବା ବେଳକୁ ସବୁ ଅଚଳ। ତିନି ମାସ ମଧ୍ୟରେ ଏହା ଭିତରେ ଥିବା ଆଲୋକ ବ୍ୟବସ୍ଥା ଏକ ପ୍ରକାର ଅଚଳ ହୋଇ ପଡିବା ସହିତ ଅନେକ ଖୁଣ୍ଟିରେ ବଲବ୍ ମଧ୍ୟ ନାହିଁ। ସେପଟେ ୩ଟି ଫାଉେଣ୍ଟନ ବନ୍ଦ ହୋଇ ପଡିବା ସହିତ ଏହା ମଧ୍ୟରେ ବୁଦା ମାଡି ଗଲାଣି। ୩୪ ଲକ୍ଷ ଟଙ୍କାର ଏହି ସ୍ଥାପତ୍ୟକୁ ପୁରୁଣା ବାଉଁଶରେ ଆବଦ୍ଧ କରାଯାଇଛି। ରାତି ସମୟରେ ନେତାଜୀ ସେତୁର ଝାପସା ଅନ୍ଧାର ଆଲୁଅ ଭିତରେ ଅଞ୍ଚଳର କିଛି ସ୍ଥାନ ଆଲୋକିତ ହେଉଛି। ସ୍ଥାପତ୍ୟ ପରିସରରେ ଜାତିରପିତା ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଓ ଓଡ଼ିଶାର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ଥାପତ୍ୟ ରହିଥିବା ବେଳେ ଗାନ୍ଧୀ ଜୟନ୍ତୀରେ ଅନ୍ତତଃ ଯେଉଁ ଗାନ୍ଧୀଙ୍କ ପାଇଁ ଏହି ସ୍ମାରକୀ ତିଆରି ହୋଇଥିଲା ତାକୁ ଆଲୋକିତ କରିବାକୁ ପ୍ରଶାସନ କିପରି ଭୁଲିଗଲା ବୋଲି ପ୍ରଶ୍ନ ଉଠିଲାଣି।
ଗାନ୍ଧୀ ସର୍କିଟ ଗଲା କୁଆଡେ ?
ସ୍ବରାଜ ଆଶ୍ରମରେ ଶୋଭାପାଉଛି ସ୍ବାଧୀନତାର ସ୍ମୃତି ବହନ କରୁଥିବା ଅନେକ ରୋମାଞ୍ଚ କଲା ଭଳି ଫଟୋ। ସବୁ ଫଟୋ ଯେ, ସୁରକ୍ଷିତ ତା କହିବା ମୁସ୍କିଲ। କାରଣ ଆଶ୍ରମର ଯେଉଁଭଳି ରକ୍ଷଣାବେକ୍ଷଣ ହେବା କଥା ତାହା କରାଯାଉନି। ଯେଉଁ ସବୁ ଫଟୋଚିତ୍ର, ଗାନ୍ଧୀଙ୍କ କଟକ ଗସ୍ତ ଓ ସ୍ବରାଜ ଆଶ୍ରମରେ ରହିଥିବାର ପ୍ରମାଣ ତାକୁ ପ୍ରଚାର କରିବାକୁ ସରକାର ଭୁଲି ଯାଇଛନ୍ତି। ଯେଉଁଭଳି ଢଙ୍ଗରେ ଗାନ୍ଧୀଙ୍କ ୧୫୦ତମ ଶତବାର୍ଷିକୀ ପାଳନ ନେଇ ଯୋଜନା କରାଯାଇଥିଲା ତା ଏକପ୍ରକାର ଫେଲ ମାରିଛି। ସ୍ବରାଜ ଆଶ୍ରମ, ତେଲେଙ୍ଗା ପେଣ୍ଠ ଓ ସତ୍ୟଭାମାପୁରକୁ ନେଇ ଏକ ଗାନ୍ଧୀ ସର୍କିଟ ପାଇଁ ଯୋଜନା କରାଯାଇଥିଲା। ଅର୍ଥାତ୍ ଜଣେ ପର୍ଯ୍ୟଟକ ଗାନ୍ଧୀଙ୍କ ଓଡିଶା ଗସ୍ତ ସଂପର୍କରେ ଜାଣିବାକୁ ଚାହିଁଲେ ଏହି ତିନୋଟି ସ୍ଥାନକୁ ଆସି ସବୁ କିଛି ଜାଣି ପାରିବେ। କିନ୍ତୁ ଏହି ଯୋଜନା କେବଳ ଯୋଜନାରେ ରହିଗଲା। ତେଲେଙ୍ଗାପେଣ୍ଠ କୁହନ୍ତୁ ବା ସ୍ବରାଜ ଆଶ୍ରମ ସବୁ କେବଳ ଗାନ୍ଧୀଙ୍କ ସ୍ମୃତି ଚିହ୍ନରେ ହିଁ ନାମ ଫଳକରେ ସୀମିତ ରହିଛି। ଯୋଜନା ଅନେକ କରାଯାଉଛି କିନ୍ତୁ ସେଭଳି କାର୍ଯ୍ୟକାରୀ କରାଯାଉନି।
କେବେ ଝଲସିବ ସ୍ବରାଜ ଆଶ୍ରମ?
କେବଳ ଗାନ୍ଧୀ ଜୟନ୍ତୀ, ସ୍ବାଧୀନତା ଦିବସ ତଥା ବିଭିନ୍ନ ଦିବସ ଆସିଲେ ଗୋଟିଏ ଦିନ ପାଇଁ ଆଲୋକମାଳରେ ଝଲସି ଉଠେ ସ୍ବରାଜ ଆଶ୍ରମ। ତା ପରେ ଯେମିତି କୁ ସେମିତି। ରାତିରେ ବି ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନାହିଁ। ଅନ୍ୟପଟେ ସରକାର ସବୁଠି ଦୃଶ୍ୟଶ୍ରାବ୍ୟ ବ୍ୟବସ୍ଥା କରି ପର୍ଯ୍ୟଟକଙ୍କ ଆକୃଷ୍ଟ କରୁଥିବା ବେଳେ ସ୍ବାଧୀନତା ସଂଗ୍ରାମ ତଥା ସ୍ମାରକୀର ସ୍ମୃତି ବହନ କରୁଥିବା ‘ସ୍ବରାଜ ଆଶ୍ରମ’ ପାଇଁ ଏହି ବ୍ୟବସ୍ଥା ସମ୍ଭବ ହୋଇପାରୁ ନାହିଁ। ହୁଏତ ଦୃଶ୍ୟ ଶ୍ରାବ୍ୟ , ଲାଇଟ୍ ଓ ସାଉଣ୍ଡ ବ୍ୟବସ୍ଥା ଭଳି କିଛି ନୂତନ ବ୍ୟବସ୍ଥା କରାଗଲେ ଏହି ଆଶ୍ରମର ଗାଥା ଅଧିକ ପ୍ରଚାରିତ ହୋଇପାରନ୍ତା। ଗାନ୍ଧିଜୀଙ୍କର ଓଡ଼ିଶା ଗସ୍ତ, ସ୍ବାଧୀନତା ସଂଗ୍ରାମ ଇତିହାସରେ ସ୍ବରାଜ ଆଶ୍ରମର ଇତିହାସ ଧୀରେ ଧୀରେ ହଜି ଯିବାକୁ ବସିଛି।