ଗ୍ୟାଙ୍ଗଷ୍ଟର୍ ଧଳସାମନ୍ତ ଭାଇଙ୍କ କଳା କାରନାମା; ଛାତ୍ରଙ୍କ ହାତରେ ବନ୍ଧୁକ ଧରାଇବା ଯୋଜନା

କଟକ: ଜେଲ୍‌ରେ ଥାଇ ଡି ବ୍ରଦର୍ସଙ୍କ ଅପରାଧ ଦୁନିଆକୁ ନିୟନ୍ତ୍ରଣ କରିବା ସ୍ବପ୍ନ ପୁଣି ଥରେ ଫସର ଫାଟିଛି। ଏଥର ସେମାନଙ୍କ ଟାର୍ଗେଟରେ ଥିଲେ କଲେଜ ଛାତ୍ର। କଲେଜ ଛାତ୍ରଙ୍କ ହାତରେ ବନ୍ଧୁକ ଧରାଇ ଅପରାଧୀ ସଜାଇବା ଥିଲା ଧଳସାମନ୍ତଙ୍କ ଲକ୍ଷ୍ୟ ଥିଲା। ଏଥିପାଇଁ ଉତ୍ତରପ୍ରଦେଶରୁ ବନ୍ଧୁକ ଆଣି କଟକରେ ପହଞ୍ଚା ଯାଉଥିଲା। ହେଲେ କମିସନରେଟ ପୁଲିସ୍‌ ସ୍ପେସାଲ ସ୍କ୍ବାଡ ପକ୍ଷରୁ ଚଢାଉ କରାଯାଇ ବନ୍ଧୁକ, ଗୁଳି, ଛୁରୀ, ଖଣ୍ତା ଇତ୍ୟାଦି ଜବତ କରିଛି। ଏଥିସହ ଚୋରା ଚାଲାଣରେ ସ˚ପୃକ୍ତ ଥିବା ଧଳସାମନ୍ତଙ୍କ ଦୁଇ ସହଯୋଗୀଙ୍କୁ ପୁଲିସ ଅଟକ ରଖି ଜେରା ଚଳାଇଛି।

Sambad

୩ ମଦ ବ୍ୟବସାୟୀଙ୍କ ଆକାଉଣ୍ଟରୁ ଯାଇଥିଲା ଟଙ୍କା
ଅପରାଧ ସାମ୍ରାଜ୍ୟରେ ଦବ୍‌ଦବା ବଜାୟ ରଖିବା ପାଇଁ ବନ୍ଧୁକର ଆବଶ୍ୟକତା ଥିଲା। ଏଥିପାଇଁ ପ୍ରଚୁର ଟଙ୍କା ମଧ୍ୟ ଦରକାର ହେଉଥିଲା। ତେଣୁ ସିଧାସଳଖ ଜଣେ ଟଙ୍କା ଦେବା ବଦଳରେ କଟକର ତିନିଜଣ ମଦ ବ୍ୟବସାୟୀ ଯେଉଁମାନଙ୍କର ବାଲିଘାଟ ମଧ୍ୟ ରହିଛି, ସେମାନଙ୍କ ଆକାଉଣ୍ଟରୁ ଉତ୍ତରପ୍ରଦେଶର ଜଣେ କୁଖ୍ୟାତ ବନ୍ଧୁକ ବେପାରୀ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପଠାଯାଇଥିବା ପୁଲିସ୍‌ ସୁରାକ ପାଇଥିଲା। ଏଥିପାଇଁ ଉକ୍ତ ମଦ ବ୍ୟବସାୟୀଙ୍କ ଆକାଉଣ୍ଟ ଉପରେ ନିୟମିତ ଭାବେ ନଜର ରଖାଯାଉଥିଲା।

Sambad

ର˚ଜିତା, ରନିଆ ଗିରଫ ପରେ ଆରମ୍ଭ ହୋଇଥିଲା ବନ୍ଧୁକ ଡେଲିଭରି ଯୋଜନା
ଧଳସାମନ୍ତଙ୍କ ପ୍ରମୁଖ ସହଯୋଗୀ ତଥା ଲେଡି ଡନ୍‌ ର˚ଜିତା ବିଶ୍ବାଳ ଗିରଫ ହେବା ଦିନଠୁ ବନ୍ଧୁକ ଡେଲିଭରିର ପ୍ରକୃତ ଯୋଜନା ଆରମ୍ଭ ହୋଇଥିଲା। ଏଥିପୂର୍ବରୁ ଧଳସାମନ୍ତଙ୍କ ଘର ଉପରେ ପୁଲିସ୍‌ର ନଜର ରହୁଥିବାରୁ ର˚ଜିତା ଓ ରନିଆକୁ ପୁଲିସ୍‌ ଗିରଫ କରିଥିଲା। ଏହି ଗିରଫଦାରୀ ପରେ ପୁଲିସ୍‌ର ନଜର ହଟିଯିବ ବୋଲି ଅନୁମାନ କରି ଅର୍ଡର କରାଯାଇଥିବା ବନ୍ଧୁକର ଡେଲିଭରି ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ତଥାପି କାଳେ ପୁଲିସ୍‌ ନଜର ରଖିଥିବ, ସେଥିପାଇଁ ଗୋଟିଏ କିମ୍ବା ଦୁଇଟି ବନ୍ଧୁକ ପ୍ରଥମେ ଉତ୍ତରପ୍ରଦେଶରୁ ସିଡିଏ ଆସିଥିଲା। ପୁଲିସ୍‌ ମଧ୍ୟ ଏହା ଜାଣିପାରି ବଡ଼ ଡିଲ୍‌ ହୋଇଥିବାରୁ ଏକାଥରକେ ବଡ଼ମାଛ ଧରିବା ଆଶାରେ ଆରମ୍ଭରୁ କୌଣସି ପଦକ୍ଷେପ ନେଇନଥିଲା। ସ୍ପେସାଲ ସ୍କ୍ବାଡର ୪ଜଣିଆ ଟିମ୍‌ କୋଲକାତାରେ ଡେରା ପକାଇଥିଲାବେଳେ ସିଡିଏସ୍ଥିତ ଧଳସାମନ୍ତଙ୍କ ଘର ମଧ୍ୟ ୨୪ଘଣ୍ଟା ପୁଲିସ୍‌ ନଜର ରଖୁଥିଲା।

ବନ୍ଧୁକ ଆସୁଥିଲା ଉତ୍ତରପ୍ରଦେଶରୁ ଭାୟା କୋଲକାତା
ଯେଉଁ ମନ୍ଦ ଉଦ୍ଦେଶ୍ୟ ରଖି ବନ୍ଧୁକ ଅର୍ଡର ହୋଇଥିଲା, ତାହାକୁ ମଧ୍ୟ ଅତି ସତର୍କତାର ସହ ଡେଲିଭରି କରିବା ପାଇଁ ବ୍ଲୁ ପ୍ରିଣ୍ଟ କରାଯାଇଥିଲା। ଉତ୍ତରପ୍ରଦେଶର ସ˚ପୃକ୍ତ ବ୍ୟବସାୟୀ ଟଙ୍କା ପାଇବା ପରେ ବନ୍ଧୁକକୁ କୋଲକାତା ପଠାଉଥିଲେ। କୋଲକାତାରୁ ଓଏମ୍‌ପିର ଜଣେ ବସ୍‌ ବ୍ୟବସାୟୀ ସେଗୁଡିକୁ କଟକ ଆଣୁଥିଲା। ଏଠାରେ ସ˚ପୃକ୍ତ ବସ୍‌ ବ୍ୟବସାୟୀ ବନ୍ଧୁକଗୁଡ଼ିକୁ ଟଙ୍କା ପଠାଇଥିବା ମଦ ବ୍ୟବସାୟୀଙ୍କୁ ହସ୍ତାନ୍ତର କରୁଥିଲା। ଏଠାରୁ ମଦ ବ୍ୟବସାୟୀମାନେ ବନ୍ଧୁକକୁ ଧଳସାମନ୍ତଙ୍କ ସହଯୋଗୀଙ୍କ ଜରିଆରେ ତାଙ୍କ ଘରକୁ ପଠାଉଥିଲେ।

Sambad

ରଙ୍ଗମିସ୍ତ୍ରି ସାଜି ବନ୍ଧୁକ ନେଉଥିଲେ ଧଳସାମନ୍ତଙ୍କ ଘରକୁ
ପୁଲିସ୍‌ଠୁ ମିଳିଥିବା ସୂଚନା ଅନୁଯାୟୀ, ଶେଖବଜାର ଅଞ୍ଚଳର ଦୁଇଜଣ ଧଳ ସହଯୋଗୀ ଚହଟା ଘାଟଠୁ ଉକ୍ତ ମଦ ବ୍ୟବସାୟୀଙ୍କଠୁ ବନ୍ଧୁକ ଗ୍ରହଣ କରୁଥିଲେ। ଯେମିତି କାହାର କିଛି ସନ୍ଦେହ ନହେବ, ସେଥିପାଇଁ ସେମାନେ ରଙ୍ଗ ମିସ୍ତ୍ରି ବେଶରେ ଧଳସାମନ୍ତଙ୍କ ଘର ଭିତରକୁ ପ୍ରବେଶ କରୁଥିଲେ। ସାଙ୍ଗରେ ଆଣିଥିବା ରଙ୍ଗଡବାରେ ବନ୍ଧୁକ ପୁରାଇ ଘରେ ପହଞ୍ଚାଉ ଥିଲେ। ପ୍ରଥମ ଦିନରେ ଆସିଥିବା ଡେଲିଭରି ବେଳେ ଯଦିଓ ପୁଲିସ୍‌ର ସନ୍ଦେହ ହୋଇଥିଲା, ତଥାପି ବଡ଼ ଡିଲ୍‌କୁ ଧରିବା ପାଇଁ ପୁଲିସ୍‌ କୌଣସି ପଦକ୍ଷେପ ନେଇ ନଥିଲା।

୪ଦିନ ଆଗରୁ ଡେରା ପକାଇଥିଲା ସ୍ପେସାଲ ସ୍କ୍ବାଡ୍
ଉକ୍ତ ବନ୍ଧୁକ କାରବାରକୁ ଧରିବା ପାଇଁ ଡିସିପି ପ୍ରତୀକ ସି˚ହଙ୍କ ନିର୍ଦ୍ଦେଶକ୍ରମେ ସ୍ପେସାଲ ସ୍କ୍ବାଡ ଆଇଆଇସି ଅଜୟ ଦାସଙ୍କ ନେତୃତ୍ବରେ ଏକ ଟିମ୍‌ ଗତ ୪ଦିନ ଧରି ଧଳସାମନ୍ତଙ୍କ ଘର ପାଖରେ ଡେରା ପକାଇଥିଲା। କୋଲକାତାରେ ଥିବା ସ୍ପେସାଲସ୍କ୍ବାଡ୍ ସୂଚନାକ୍ରମେ ବନ୍ଧୁକ ଡେଲିଭରି ପାଇଁ ଆସିଯାଇଥିବାରୁ ଏଠାରେ ଅଧିକ ପୁଲିସ୍‌ ସଜାଗ କରାଗଲା। ଯେତେବେଳେ ବନ୍ଧୁକକୁ ସ˚ପୃକ୍ତ ସହଯୋଗୀ ଘର ଭିତରେ ଜମାକରି ବାହାରକୁ ଆସିଲା, ସେତେବେଳେ ପୁଲିସ୍‌ ତାକୁ ଗେଟ୍‌ ପାଖରେ ମାଡ଼ି ବସିଥିଲେ। ଘର ଭିତରକୁ ଯାଇ ଯେଉଁଠାରେ ବନ୍ଧୁକ ରଖାଯାଇଛି ସେସବୁ ସ୍ଥାନକୁ ପୁଲିସ୍‌କୁ ଦେଖାଇଥିଲା। ଏହି ଯୋଜନାରେ ଏଡିସିପି ତ୍ରିନାଥ ମିଶ୍ର, ଇନ୍‌ସ୍ପେକ୍ଟର ବିରଞ୍ଚି ପତି ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Sambad

କାନ୍ଥ ତାଡି ଜବତ କରଗଲା ଗୁଳି, ବଂଧୁକ
ଗେଟ୍‌ ପାଖରୁ ଜଣେ ଅଭିଯୁକ୍ତକୁ କାବୁ କରିବା ପରେ ଡିସିପିଙ୍କୁ ସୂଚନା ଦିଆଯାଇଥିଲା। ଡିସିପିଙ୍କ ଉପସ୍ଥିତିରେ ପୁଲିସ୍‌ ତାହାର ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା। ପ୍ରଥମେ ଘର ଭିତରେ ଧଳସାମନ୍ତଙ୍କ ବାପାଙ୍କ ସହ କାମ କରୁଥିବା ସମସ୍ତ କର୍ମଚାରୀଙ୍କଠୁ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଥିଲା। ମହିଳା ପୁଲିସ୍‌ ସହଯୋଗରେ ମହିଳା କର୍ମଚାରୀମାନଙ୍କୁ ଅଲଗା କରାଯାଇଥିବାବେଳେ କେବଳ ଆବଶ୍ୟକ ହେଲେ ସେମାନଙ୍କୁ ଡକାଯାଉଥିଲା। ଘରର ସିଡିରେ ଉପର ମହଲାକୁ ଯିବା ରାସ୍ତାରେ କାନ୍ଥରେ ହୋଇଥିବା ସୋ-କେସ୍‌ ଭିତରେ ବନ୍ଧୁକ ଓ ଗୁଳି ଲୁଚା ହୋଇଥିବା ଅଭିଯୁକ୍ତ ଜଣକ ପୁଲିସ୍‌କୁ ସୂଚନା ଦେଇଥିଲା। ପରେ ପୁଲିସ୍‌ କାନ୍ଥ ତାଡ଼ିବାରୁ ତା ଭିତରୁ ଜୀବନ୍ତ ଗୁଳି, ବନ୍ଧୁକ ଇତ୍ୟାଦି ମିଳିଥିଲା। ପରେ ଘରର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଖୋଜାଖୋଜି କରିବା ବେଳେ ରଙ୍ଗ ବାଲ୍‌ଟି ଭିତରୁ ଜରି ଗୁଡ଼ାଯାଇଥିବା ମାଉଜର ଓ ଅନ୍ୟାନ୍ୟ ସ୍ଥାନରୁ ଛୁରି, ଖଣ୍ତାକୁ ଜବତ କରାଯାଇଥିଲା।

ବନ୍ଧୁକ ବ୍ୟବସାୟୀଙ୍କୁ ଧରିବାକୁ ୟୁପି ଯିବ ସ୍ବତନ୍ତ୍ର ଟିମ୍‌
ଉତ୍ତରପ୍ରଦେଶର ଯେଉଁ ସ୍ଥାନରୁ ବନ୍ଧୁକ କଟକରେ ଡେଲିଭରି ହେଉଥିଲା, ଉକ୍ତ ବ୍ୟବସାୟୀଙ୍କୁ ଧରିବା ପାଇଁ କମିସନରେଟ ପୁଲିସ୍‌ର ଏକ ସ୍ବତନ୍ତ୍ର ଦଳ ଖୁବ୍‌ଶୀଘ୍ର ଆଉ ଏକ ଅଭିଯାନରେ ବାହାରିବ। ଉକ୍ତ ବ୍ୟବସାୟୀ ସହିତ ଧଳସାମନ୍ତଙ୍କ ବହୁ ପୁରୁଣା ସମ୍ପର୍କ ରହିଛି। ଧଳସାମନ୍ତ ଘରୁ ପୂର୍ବରୁ ବାହାରିଥିବା କାରବାଇନ୍‌ ମଧ୍ୟ ଉକ୍ତ ବ୍ୟବସାୟୀଠୁ ଆସିଥିବା ପୁଲିସ୍‌ ଜାଣିବାକୁ ପାଇଛି। ସ˚ପୃକ୍ତ ବ୍ୟବସାୟୀଙ୍କ ନାମରେ ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି। ଏତେସବୁ ମାମଲା ସତ୍ତ୍ବେ ଉକ୍ତ ବ୍ୟବସାୟୀ ସେଠାରେ ବନ୍ଧୁକ ବ୍ୟବସାୟ ପରିଚାଳନା କରୁଥିବାରୁ ଚଢାଉ ବେଳେ କମିସନରେଟ ପୁଲିସ୍‌କୁ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର