କଟକ : ନିର୍ଗୁଣ୍ଡି ଟୋଲ୍‌ ଗେଟ୍‌ ନିକଟରୁ ଜବତ ହୋଇଛି ୧୩୧ କିଲୋ ଗଂଜେଇ। ଏହାର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଗଂଜେଇ ଚାଲାଣ ସଂପର୍କରେ ସୂଚନା ପାଇ ଚଢାଉ କରିବା ସହିତ ରାକେଟର ୪ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଗିରଫ ୪ ଜଣ ହେଉଛନ୍ତି କେନ୍ଦୁଝର ଆନନ୍ଦପୁରର କେ. ଲକ୍ଷ୍ଣଣ ରାଓ (୩୨), କୋରାପୁଟର ତ୍ରିନାଥ ହଣ୍ଟାଳ(୨୭), ପଶ୍ଚିମବଙ୍ଗ ମେଦିନାପୁର ସେଖ ସାହାନି(୪୨) ଏବ˚ ସେକ୍‌ ମହମ୍ମଦ ମୋହସିନ୍‌(୩୨)। କୋରାପୁଟରୁ କେନ୍ଦୁଝରକୁ ଏକ ବୋଲେରୋ ଗାଡ଼ିରେ ଏହି ଗଞ୍ଜେଇ ଚାଲାଣ ହେଉଥିଲା। ଏ ସମ୍ପର୍କରେ ଗୁଇନ୍ଦା ବିଭାଗ ଖବର ପାଇ ନିର୍ଗୁଣ୍ତି ଷ୍ଟେସନ୍‌ ନିକଟରେ ଛକି ରହିଥିଲେ। ସକାଳ ପ୍ରାୟ ୭ଟା ବେଳେ ବୋଲେରୋ ଗାଡ଼ି ଅତିକ୍ରମ କଲା ବେଳେ ଅଧିକାରୀମାନେ ମାଫିଆଙ୍କୁ କାବୁ କରିଥିଲେ। ସେମାନଙ୍କୁ ପଚରାଉଚରା ପରେ ଗଞ୍ଜେଇ କେନ୍ଦୁଝରରେ ଏକ ଗୋଦାମରେ ରଖିବାକୁ ନିଆଯାଉଥିବା ଜଣା ପଡିଛି। ସେଠାରୁ ଗଂଜେଇ ପଶ୍ଚିମବଙ୍ଗ ଚାଲାଣ କରାଯିବାର ଯୋଜନା ରହିଥିଲା। ଏହି ଚଢାଉରେ ଆଇଆଇସି ଜଗଦିଶ ଚନ୍ଦ୍ର ସାମଲ, ଇନ୍‌ସ୍ପେକ୍ଟର ଗାଲୁରାମ ସୋରେନ୍‌ ପ୍ରମୁଖ ସାମିଲ ହୋଇଥିଲେ।

Advertisment