ବର୍ଜ୍ୟବସ୍ତୁ ପରିଚାଳନା ଆଳରେ ହରିଲୁଟ୍; ସିଏମ୍‌ସି ଦୈନିକ ଗଣୁଛି ଅଧିକ ୧୩୬ ଟନ ବର୍ଜ୍ୟବସ୍ତୁ ବାବଦ ଟଙ୍କା

ସରକାରୀ ୱେ ବ୍ରିଜ୍ ୩ ବର୍ଷ ହେଲା ଅଚଳ; ଘରୋଇ ୱେ ବ୍ରିଜ୍‌କୁ ଭରସା

କଟକ: କଟକରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ମହାଦୁର୍ନୀତି ଏବେ ସହରବାସୀଙ୍କ ପାଇଁ କାଳ ହେଉଛି। ଗୋଟିଏ ପଟେ ସହରବାସୀ ଅଳିଆ, ଆବର୍ଜନାରେ ଘାଣ୍ଟି ହେଉଥିବା ବେଳେ ଅନ୍ୟପଟେ ସହରବାସୀଙ୍କ ଅର୍ଥ ପରିଚାଳନା ବାବଦ ଖର୍ଚ୍ଚରେ ଶ୍ରାଦ୍ଧ ହେଉଛି। ଅବ୍ୟବସ୍ଥ‌ା ଓ ପରିଚାଳନାଗତ ବିଭ୍ରାଟ ‌ଯୋଗୁଁ ସିଏମସି ପରିମଳ ବ୍ୟବସ୍ଥା ବିଗିଡି ଚାଲିଛି। ସିଏମସି ଅଞ୍ଚଳରୁ ଦୈନିକ ଯେତିକି ବର୍ଜ୍ୟବସ୍ତୁ ବାହାରିବା କଥା ତା’ ତୁଳନାରେ ହାରହାରି ୧୩୬ ଟନ ଅଧିକ ବାହାରୁଥିବା ଦର୍ଶାଇ ଅର୍ଥ ପୈଠ ଚାଲିଛି। ସେପଟେ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ମଧ୍ୟ ବିଲରେ ଦସ୍ତଖତ କରି ଟଙ୍କା ଦେଇ ଚାଲିଛନ୍ତି। ସବୁଠୁ ଗୁରୁତର କଥା, ସିଏମସିରୁ ବାହାରୁଥିବା ଅଳିଆକୁ ଏକ ଘରୋଇ ୱେ ବ୍ରିଜ( ଓଜନ କଣ୍ଟା)ରେ ଓଜନ କରାଯାଉଛି। ଦୀର୍ଘ ୩ ବର୍ଷ ହେବ ଅଚଳ ହୋଇପଡିଥିବା ସରକାରୀ ୱେ ବ୍ରିଜକୁ ଜାଣିଶୁଣି ସଜଡା ଯାଉନାହିଁ। ଏଭଳି ବିଭ୍ରାଟକୁ ନେଇ କେହି କେବେ ଆପତ୍ତି ବି ଉଠାଉ ନାହାନ୍ତି। ଓଜନ ନ କରି ହାରାହାରି ଦର ପକାଇ ମଧ୍ୟ ବିଲ୍ କରାଯାଉଥିବା ଅଭିଯୋଗ ହୋଇଛି। ବିନା ଟେଣ୍ଡରରେ ୩ ବର୍ଷରୁ ଅଧିକ ହେବ ବିବିଜି ନାମକ ଏକ ସଂସ୍ଥାକୁ ଠିକାରେ ପରିମଳ ପରିଚାଳନା ଟେକି ଦିଆଯାଇଛି।

ସୂଚନା ଅନୁଯାୟୀ ରାମକି ସହ ଚୁକ୍ତି ସରିବା ପରେ ଗତ ୨୦୧୮-ଏପ୍ରିଲ ୧ ତାରିଖ ଦିନ ସିଏମସି ପରିମଳକୁ ନେଇ ଏକ ଚୁକ୍ତି ହୋଇଥିଲା। ସିଏମସି ଓ ବିବିଜି ମେଟାଲ ସିଣ୍ଡିକେଟ ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥା ସହିତ ଏହି ଚୁକ୍ତି ନାମା ସ୍ବାକ୍ଷର ହୋଇଥିଲା। କାର୍ଯ୍ୟାଦେଶ ନମ୍ବର ୬୫୬-ଏଚ୍ଓ/ ବିବିଜିକୁ ସିଏମସି ପରିମଳ କାର୍ଯ୍ୟାଦେଶ ମିଳିଥିଲା। ଏପ୍ରିଲ ପହିଲାରୁ ବିବିଜି ସିଏମସି ପରିମଳ କଥା ବୁଝୁଛି। ପବ୍ଲିକ ହେଲଥ ଷ୍ଟାଣ୍ଡିଂ କମିଟି ବୈଠକର ନିଷ୍ପତ୍ତି ଓ ସିଏମସି କାଉନସିଲ ଅନୁ‌ମୋଦନ ବଳରେ ପରିମଳକୁ ଜରୁରୀ ‌ସେବା ଦର୍ଶାଇ ବିବିଜିକୁ ଏହି କାମ ଦିଆଯାଇଥିଲା। ତେବେ ତିନି ବର୍ଷ ଧରି ସେହି ଜରୁରୀସ୍ଥିତିର ନବୀକରଣ ହେଉଛି ପଛେ, ନୂଆ ଟେଣ୍ଡର କରିବାକୁ ଅନୁମତି ମିଳୁନାହିଁ। ବିବିଜି ସହିତ ହୋଇଥିବା ଚୁକ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି କି, ୨୦୧୧ ମାର୍ଚ୍ଚ ୮ ତାରିଖରେ ହୋଇଥିବା ଚୁକ୍ତିକୁ ବିବିଜି ଅନୁସରଣ କରିବ। ଅର୍ଥାତ ୨୦୧୮ରେ ଦିଆଯାଉଥିବା କାର୍ଯ୍ୟାଦେଶ ୬ ବର୍ଷ ତଳର ଚୁକ୍ତିକୁ ମାନିବ। ଚୁକ୍ତି ମୁତାବକ ବିବିଜିକୁ ସିଏମସି ପ୍ରତିଟନ ପିଛା ୨୩୬୩ ଟଙ୍କା ୯୧ ପଇସା ଦେବାକୁ ଦର ଧାର୍ଯ୍ୟ ହୋଇଥିଲା। ସେହିଭଳି ଡେବ୍ରିସ ପାଇଁ ୨୭୭ ଟଙ୍କା ୩୮ ପଇସା ଦର ଧାର୍ଯ୍ୟ ହୋଇଥିଲା।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମୁତାବକ, ବିବିଜି ୨୦୧୯ ନଭେମ୍ବର ମାସରେ ସିଏମସିରୁ ୨ କୋଟି ୩୮ଲକ୍ଷ ୩୪ ହଜାର ୩୪ ଟଙ୍କା ନେଇଥିବା ବେଳେ, ଡିସେମ୍ବର ମାସରେ ୨କୋଟି ୩୫ଲକ୍ଷ ୨୭ହଜାର ୧୧ ଟଙ୍କା ଓ ଜାନୁଆରି ମାସରେ ୨କୋଟି ୨୫ଲକ୍ଷ ୨୭ ହଜାର ୩୫୭ ଟଙ୍କା ନେଇଛି। ସିଏମସିର ଏହି ତଥ୍ୟକୁ ହିସାବକୁ ନେଲେ କଟକ ମହାନଗର ନିଗମ ଅଞ୍ଚଳରୁ ମାସିକ ୧୦ ହଜାର ୮ ଟନ ଅଳିଆ ଉଠୁଛି। ଅର୍ଥାତ ମାସିକ ୩୩୬ ଟନ ଅଳିଆ ବିବିଜି ଉଠାଉଛି। ଅନ୍ୟପକ୍ଷରେ ସ୍ବଚ୍ଛଭାରତର ଗାଇଡ ଲାଇନ ଓ ସିଏମସି ଟେଣ୍ଡର ମୁତାବକ, କଟକରୁ ୧୮୦ରୁ ୨୦୦ ଟନ ଅଳିଆ ଦୈନିକ ବାହାରୁଛି। ଫଳରେ ଏହି ୧୩୬ ଟନ ଅଧିକ ଅଳିଆ କେଉଁଠୁ ଆସୁଛି, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ସତୀଚଉରା ୱେବ୍ରିଜ ଅଚଳ ହେବା ପରେ ଏବେ ଏହି ବର୍ଜ୍ୟବସ୍ତୁ ସହର ବାହା‌ରେ ଥିବା କଟକ-ବାଙ୍କୀ ରୋଡର ପାଟପୁର ବ୍ରାହ୍ମଣୀଗାଁର ଏକ ଘରୋଇ ୱେ ବ୍ରିଜରେ ଓଜନ କରାଯାଉଥିବା ସୁପରଭାଇଜର ପ୍ରଫୁଲ୍ଲ ଦାଶ କହିଛନ୍ତି। ସେ କହିଛନ୍ତି ୩ବର୍ଷରୁ ଅଧିକ ହେବ ‌ସରକାରୀ ୱେ ବ୍ରିଜ୍ ଅଚଳ ଅଛି। କମିସନରଙ୍କ ନିର୍ଦ୍ଦେଶ ବଳରେ ଏକ ଘରୋଇ କଣ୍ଟାରେ ଏହା ଓଜନ କରାଯାଉଛି। ତେବେ ସେ ଯେଉଁ ହିସାବ ଦେଉଛନ୍ତି ଦୈନିକ ହାରାହାରି ୧୫୦ରୁ ୨୦୦ଟନ ଅଳିଆର ହିସାବ ଦେଉଥିବା କହିଛନ୍ତି। ତେବେ ଫ୍ରଫୁଲ୍ଲ ଦାଶଙ୍କ କଥା ଯଦି ସତ ତେବେ ମାସିକ ୨କୋଟି ୨୮ଲକ୍ଷ ଟଙ୍କା କିଭଳି ବିଲ୍ ହୋଇଛି, ତାକୁ ନେଇ ପ୍ରଶ୍ନ ଉଠୁଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହୁଏତ ଦୁର୍ନୀତିକୁ ସାମନାକୁ ଆଣିବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର