ବାଦାମବାଡ଼ି, ଫ୍ରେଣ୍ଡସ୍‌ କଲୋନିରେ ବି ବେଆଇନ ଲିଙ୍ଗ ନିରୂପଣ! ମେସିନ୍‌ ଧରି ଘରେ ପହଞ୍ଚି ଯାଉଛି ଦଲାଲ

କଟକ: କଟକର ବାଦାମବାଡି, ଫେଣ୍ଡସ୍‌ କୋଲୋନି ଏବଂ ସହରର ଅନ୍ୟ ୪ଟି ସ୍ଥାନରେ ଚାଲିଛି ବେଆଇନ ଲିଙ୍ଗ ନିରୂପଣ କାରବାର! ଏଭଳି ଅଭିଯୋଗ ଗଲା ୧୫ଦିନ ହେଲା ସ୍ବାସ୍ଥ୍ୟ ବିଭାଗ ପାଖକୁ ଆସିଥିବା ବେଳେ ଛାନଭିନରୁ ମଙ୍ଗଳାବାଗ କାଠଗୋଲା ସାହିରେ ଆଲଫା ହେଲଥ କେୟାରରେ ବେଆଇନ ଲିଙ୍ଗ ନିରୂପଣ କାରବାର ଧରା ପଡିଛି। ଏହି କାରବାରର ଅନ୍ୟ ଏକ ଦିଗ ବି ଏବେ ସାମନାକୁ ଆସିଛି। ଅଲଟ୍ରାସାଉଣ୍ଡ ମେସିନ୍‌ ନେଇ ସିଧା ଘରେ ପହଞ୍ଚିଯାଉଛନ୍ତି ନକଲି ଡାକ୍ତର ଓ କର୍ମଚାରୀ। କିନ୍ତୁ ସେମାନଙ୍କ ଭୁଲ ରିପୋର୍ଟରେ ଅନେକ ସମୟରେ ମହିଳାମାନେ ଗର୍ଭପାତ କରାଉଥିବା ସଂପର୍କରେ ଜଣା ପଡିଛି। ଏ ସଂପର୍କରେ ଅଧିକ ଛାନଭିନ୍ କରାଯାଉଛି ବୋଲି କଟକ ସିଡିଏମ୍‌ଓ ଡାକ୍ତର ସତ୍ୟବ୍ରତ ଛୋଟରାୟ ସୂଚନା ଦେଇଛନ୍ତି। ଅଲଟ୍ରା ସାଉଣ୍ଡ ମେସିନ୍‌ କିଣିବା ବା ରଖିବା ପାଇଁ ସ୍ବତନ୍ତ୍ର ନିୟମ ରହିଛି। ଯାହାର ରେକର୍ଡ ସ୍ବାସ୍ଥ୍ୟ ବିଭାଗ ପାଖରେ ନିଶ୍ଚିତ ରହିବ। କିନ୍ତୁ ତା ସତ୍ବେ ଲିଙ୍ଗ ନିରୂପଣ ପଛରେ ଏକ ବଡ ରାକେଟ୍‌ କାମ କରୁଛି। ସେମାନେ ଅନ୍ୟ ନାମରେ ପଂଜୀକରଣ ହୋଇଥିବା ଅଲଟ୍ରାସାଉଣ୍ଡକୁ ଭଡାରେ ହେଉ ବା କିଣି ନେଇ ଏଭଳି ବେପାର ଚଳାଉଛନ୍ତି। ପ୍ରି-କନସେପ୍ସନ୍ ଆଣ୍ଡ ପ୍ରି-ନାଟାଲ ଡାଇଗ୍ନୋଷ୍ଟିକ୍ ଟେକନିକ୍ ଆକ୍ଟ (ପିସିପିଏନଡିଟି ଆଇନ) ଅନୁମତି ନହେଲେ କମ୍ପାନି ଅଲଟ୍ରା ସାଉଣ୍ଡ ମେସିନ୍‌ ବିକ୍ରି କରିପାରିବନି।

ଯଦି ବି ବିକ୍ରି ହୋଇଥିବାର ପ୍ରମାଣ ମିଳେ ତାହେଲେ ସଂପୃକ୍ତ କମ୍ପାନି ନାମରେ ମାମଲା ରୁଜୁ ହେବ ଓ କମ୍ପାନିର କର୍ମଚାରୀ ମଧ୍ୟ ବେଆଇନ ବିକ୍ରି ଅଭିଯୋଗରେ ଗିରଫ ହେବେ। ଏଭଳି ଆଇନରେ ବ୍ୟବସ୍ଥା ଥିବାବେଳେ ଏହାର ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୨ଟି କମିଟି ରହିଛି। ଗୋଟିଏ ଟାସ୍କ ଫୋର୍ସ ଓ ପରାମର୍ଶଦାତା କମିଟି ରହିଛି। ଯେଉଁ କମିଟିରେ ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ସିଡିଏମ୍‌ଓ, ଏଡିଏମ୍‌ଓ(ଏଫ୍‌ଡବ୍ଲୁ)ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ତିନୋଟି ଏନ୍‌ଜିଓର କର୍ମକର୍ତ୍ତା ଏହି କମିଟିରେ ରହିଛନ୍ତି। ତେବେ ସିଡିଏମ୍‌ଓଙ୍କ ସୂଚନା ଅନୁସାରେ ୧୫ଦିନ ତଳେ ବାଦାମବାଡି, ଫେଣ୍ଡସ୍‌ କଲୋନି ତଥା କିଛି ସ୍ଥାନରେ ବେଆଇନ ଲିଙ୍ଗ ନିରୂପଣ ନେଇ ଏକ ଫୋନ କଲ ଆସିଥିଲା। ତାହାକୁ ଯାଞ୍ଚ କରିବାକୁ ଯାଇ କାଠଗୋଲାର ଆଲଫା ହେଲଥ କେୟାରରେ ଗୁମର ଧରାପଡିଥିଲା।

ସମ୍ବନ୍ଧିତ ଖବର