ଭଙ୍ଗା ହେବ ହାଡ଼ିଆପଠା ଘାଟେଶ୍ବର ମନ୍ଦିର; ମଦବାର୍‌ ପାଇଁ ଧୂଳିସାତ୍ ହେବ ମହାଦେବ ମନ୍ଦିର!

କଟକ: ଆଉ ଦିନ କେଇଟା ପରେ ଇତିହାସ ପାଲଟିଯିବ ହାଡିଆପଠା ମହାନଦୀ କୂଳ ଘାଟେଶ୍ବର ମହାଦେବ ମନ୍ଦିର। ସିଏମ୍‌ସି ପକ୍ଷରୁ ୫୦ବର୍ଷର ଏହି ପୁରାତନ ଶୈବପୀଠକୁ ଭାଙ୍ଗି ଦେବାକୁ ନିଷ୍ପତ୍ତି ହୋଇଛି। ମନ୍ଦିର ଭାଙ୍ଗିବା ପାଇଁ ସେଠାରେ ଏକ ବିଜ୍ଞାପନ ଲଗାଯିବା ସହିତ ମନ୍ଦିର ସହ ସଂପୃକ୍ତ କର୍ମକର୍ତ୍ତାଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଛି। ହେଲେ ମହାନଦୀ କୂଳରେ ସୌନ୍ଦର୍ଯ୍ୟର ପ୍ରତୀକ ସାଜିଥିବା ତଥା ବିଭିନ୍ନ ଧାର୍ମିକ ଉତ୍ସବର ପେଣ୍ଠସ୍ଥଳ ଏହି ଘାଟେଶ୍ବର ମନ୍ଦିର କ’ଣ ପାଇଁ ଭଙ୍ଗାଯିବ, ମନ୍ଦିର ରହିବା ଦ୍ବାରା କି ପ୍ରକାର ସମସ୍ୟା ହେଉଛି, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ନଦୀକୂଳରେ ମହାଦେବ ମନ୍ଦିର ଭାରତୀୟ ସଭ୍ୟତା, ସଂସ୍କୃତି, ପରମ୍ପରାର ଏକ ଅଭିନ୍ନ ଅଙ୍ଗ। ଏହି ଆଧାରରେ ମାଛୁଆବଜାର ତଥା ସ୍ଥାନୀୟ ଅଞ୍ଚଳବାସୀ ହାଡିଆପଠା ମହାନଦୀ କୂଳରେ ଏହି ମହାଦେବ ମନ୍ଦିର ନିର୍ମାଣ କରିଥିଲେ। ମହାନଦୀ ଘାଟରେ ଥିବାରୁ ଏହାର ନାମକରଣ ଶ୍ରୀ ଘାଟେଶ୍ବର ମହାଦେବ ମନ୍ଦିର ହୋଇଛି। ଏହି ମନ୍ଦିର ବେଢ଼ାରୁ ମହାନଦୀ ନୀଳ ଜଳରାଶିର ଦୃଶ୍ୟ ଯେତିକି ମନୋରମ, ମହାନଦୀ ଜଳରୁ ମନ୍ଦିର ତାହାଠୁ ଅଧିକ ସୌନ୍ଦର୍ଯ୍ୟପୂର୍ଣ୍ଣ। ମନ୍ଦିର ନିର୍ମାଣ ଦିନରୁ ଦୈନିକ ନୀତିକାନ୍ତି ସମେତ ଜାଗର ଉତ୍ସବ, ମନ୍ଦିର ପ୍ରତିଷ୍ଠା ଦିବସ ଆଦି ଏଠାରେ ପାଳନ କରାଯାଉଛି। ଏହା ବ୍ୟତୀତ ବାହାଘର, ନିର୍ବନ୍ଧ, ଜନ୍ମଦିନ ଆଦି ସାମାଜିକ ଉତ୍ସବ ଏହି ପୀଠରେ ବିନା ଦେୟରେ କରାଯାଉଛି।

ପ୍ରତି ସୋମବାର ଓ ଶନିବାର ସ୍ଥାନୀୟ ଅଞ୍ଚଳବାସୀ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଏଠାକୁ ଆସନ୍ତି। ପୂର୍ବରୁ ଏଠାରେ ନୌକାବିହାର ପାଇଁ ବ୍ୟବସ୍ଥା କରିଥିବା ସିସୋର କମ୍ପାନି, ସ୍ବାଗତିକା କମ୍ପାନି ଆଦି ଏହି ମନ୍ଦିର ଉନ୍ନତି ପାଇଁ କିଛି କିଛି କାମ କରିଥିଲେ। ସେମାନେ ଗଲା ପରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) ଏହି ପୀଠକୁ ହାତକୁ ନେଇଛି। ଚଳିତ ବର୍ଷ ଏପ୍ରିଲ୍ ମାସ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଏଠାରେ ‘ସିଲ୍‌ଭର ସିଟି ବୋର୍ଟ କ୍ଲବ୍’ର ଶୁଭଉଦ୍‌ଘାଟନ କରିଛନ୍ତି। ଏବେ ଏଠାରେ ନୈକାବିହାର ବ୍ୟବସ୍ଥା କରାଯିବା ସହିତ ସ୍ଥାନର ଉନ୍ନୟନ କାର୍ଯ୍ୟ ଚାଲିଛି। ଏପରିକି ଓଟିଡିସି ନେବା ପରେ ମନ୍ଦିର ଚାରିପାଖ ବେଢ଼ାରେ ଟାଇଲ ବିଛାଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର ୪ ମାସ ହେଲାଣି। ବିଭିନ୍ନ ଉନ୍ନୟନ କାର୍ଯ୍ୟ ବି ଚାଲିଛି। ଏଭଳି ସ୍ଥିତିରେ ଏବେ ମନ୍ଦିର ଭଙ୍ଗାଯିବା ପ୍ରସଙ୍ଗ କ’ଣ ପାଇଁ ଉଠୁଛି ‌ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃ‌ଷ୍ଟି ହେଉଛି। ଭି-ଆକୃତିର ହାଡିଆ ପଠାର ମହାନଦୀ ଭିତରକୁ ଯାଇଥିବା ସ୍ଥଳ ଭାଗରେ ରହିଛି ମନ୍ଦିର। ଏହା ‌କୌଣସି ଉନ୍ନୟନ କାମ ପାଇଁ ବାଧକ ନୁହେଁ। ତଥାପି ମନ୍ଦିର ଭାଙ୍ଗିବା କଥା ସମସ୍ତଙ୍କୁ ଚକିତ କରିଛି। ଅନ୍ୟପଟେ ମନ୍ଦିର ସ୍ଥାନରେ ଏକ ମଦବାର୍‌ ଖୋଲାଯିବାକୁ ବିଧିବଦ୍ଧ ଯୋଜନା ଚାଲି ଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସିଏମ୍‌ସି ଡେପୁଟି କମିସନର୍‌ ଅବିନାଶ ରାଉତ କହିଛନ୍ତି ଯେ, ଏ ସ୍ଥାନଟି ଓଟିଡିସି ନେଇଛି। ଓଟିଡିସିର ଉନ୍ନତୀକରଣ କାର୍ଯ୍ୟ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମନ୍ଦିରଟି ଭଙ୍ଗାଯିବାର ଯୋଜନା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର