ଝଲକ ଦେଖାଇଲା ‘ୟାସ୍‌’; ସକାଳୁ ପବନ, ଅପରାହ୍ନରୁ ବର୍ଷା

ମନ୍ତ୍ରୀ, ବିଧାୟକ, ଅଧିକାରୀଙ୍କ ସମୀକ୍ଷା ବୈଠକ

କଟକ: ବାତ୍ୟା ‘ୟାସ୍‌’ ପ୍ରଭାବରେ ଗତକାଲି ଜିଲ୍ଲାର ନିଶ୍ଚିନ୍ତକୋଇଲି, ମାହାଙ୍ଗା, ସାଲେପୁର, ଆଠଗଡ଼, ନିଆଳି, କଣ୍ଟାପଡ଼ାରେ ମଧ୍ୟାହ୍ନରୁ ବର୍ଷାପବନ ଲାଗି ରହିଥିଲା ବେଳେ ଅପରାହ୍ନରେ  ବଡ଼ମ୍ବା, ନରସିଂହପୁର, ତିଗିରିଆ, ଆଠଗଡ଼, ବାଙ୍କୀ ଆଦି ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇଥିଲା। ସେହିପରି ଜଗତସିଂହପୁର ଜିଲ୍ଲା ସୀମାନ୍ତ କଟକ ସଦର ବ୍ଲକ୍‌ ଅନ୍ତର୍ଗତ କିଶନନଗର ଅଞ୍ଚଳରେ ସକାଳୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିଥିଲା ବେଳେ ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥିଲା। ଏହାପରେ ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଛି। ଅନ୍ୟପଟେ, ସମ୍ଭାବ୍ୟ ବାତ୍ୟା ପୂର୍ବରୁ ସମସ୍ତ ଅଞ୍ଚଳର ହାଟବଜାରରେ ଆଜି ପ୍ରବଳ ଗହଳି ହୋଇଥିଲା। କୋଭିଡ୍‌ କଟକଣାକୁ ଭୁଲି ଲୋକମାନେ ଜିନିଷପତ୍ର କିଣିଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଓ ପନିପରିବାର ଦର ମଧ୍ୟ ଆକାଶ ଛୁଆଁ ହୋଇଯାଇଥିବା ଦେଖିବାକୁ ମିଳିଥିଲା।

ଆଜି ପଞ୍ଚାୟତିରାଜ, ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକ୍‌ରେ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଭର୍ଚ୍ଚୁଆଲ୍‌ ମୋଡ୍‌ରେ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଦ୍ଦେର୍ଶ ଅନୁଯାୟୀ ଶୂନ୍ୟ ମୃତାହତ ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ବାରୋପ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। କୌଣସି ପରିସ୍ଥିତିେର ପାନୀୟଜଳ ଯୋଗାଣରେ ଯେପରି ଅସୁବିଧା ନ ହେବ ସେ ନେଇ ମନ୍ତ୍ରୀ ସତର୍କ କରାଇ ଦେଇଥିଲେ।
ସାଲେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବାତ୍ୟାର ମୁକାବିଲା ପାଇଁ ସମସ୍ତ ବିଭାଗର ଅଧିକାରୀମାନେ ସମନ୍ବୟ ରକ୍ଷା କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ୍ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀ ନ ଥିବାରୁ ୫୪ଟି ସ୍କୁଲକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ।

ଏଥିସହ ଗର୍ଭବତୀ ମହିଳାମାନଙ୍କୁ ଆସନ୍ତାକାଲି ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବ ବୋଲି ବିଡିଓ ଦେବରାଜ ସେଠୀ ସୂଚନା ଦେଇଥିଲେ। ସେହିପରି ସମ୍ଭାବ୍ୟ ବାତ୍ୟାରେ ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସାସେବା ଯୋଗାଇ ଦେବା ପାଇଁ ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ୱଜିତ୍ ପଣ୍ଡାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ବୈଠକରେ ଜ୍ବର, ଝାଡ଼ାବାନ୍ତି, ଥଣ୍ଡା, କାଶ ଓ ପେଟଜନିତ ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସା କରିବା, ହାଲୋଜିନ୍ ବଟିକା ମହଜୁଦ୍ ରଖି ଆଶା, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଲୋଚନା କରାଯାଇଥିଲା।

ସମ୍ଭାବ୍ୟ ବାତ୍ୟା ‘ୟାସ୍’ ଭୟାବହ ରୂପ ନେବାର ଆଶଙ୍କା ଥିବାରୁ ଆଜି କଣ୍ଟାପଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ବିଭିନ୍ନ ଛକ, ବଜାର ଓ ଗ୍ରାମରେ ଲୋକଙ୍କୁ ସଚେତନ କରାଯାଇଛି। ସେହିପରି କଚ୍ଚାଘର ତଥା ବିପଦସଂକୁଳ ଘରେ ବସବାସ କରୁଥିବା ଲୋକମାନେ ଯଥାଶୀଘ୍ର ସ୍ଥାନୀୟ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ବିଦ୍ୟାଳୟକୁ ଆସି ରହିବାକୁ ଅନୁରୋଧ କରାଯାଇଛି। ଅପରପକ୍ଷରେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ୍‌ରେ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଯଥାଶୀଘ୍ର ସ୍ଥାନାନ୍ତର କରିବା ସହ ସେମାନଙ୍କ ପାଇଁ ଆସିବାକୁ ଥିବା ରିଲିଫ୍‌ ସାମଗ୍ରୀ ଯେପରି ଦଳୀୟ ଭିତ୍ତିରେ ବଣ୍ଟା ନ ଯିବ ସେଥିପ୍ରତି ଦୃଷ୍ଟି ଦେବାକୁ କଟକ ଜିଲ୍ଲାପାଳ ଓ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର