ରେଡକ୍ରସ୍‌ ପକ୍ଷରୁ ବିଶ୍ବ ରକ୍ତଦାତା ଦିବସ: ରକ୍ତଦାନ କରିବା ଈଶ୍ବରଙ୍କ ଆଦେଶ: ସୌମ୍ୟରଂଜନ

କଟକ: ରକ୍ତଦାନ କରିବା ହେଉଛି ଈଶ୍ବରଙ୍କ ଏକ ଆଦେଶ। ରକ୍ତଦାନ କରିବାର ଯୋଗ୍ୟତା ଥାଇ ଯିଏ ରକ୍ତଦାନ ପାଇଁ ଅନିଚ୍ଛା ପ୍ରକାଶ କରୁଛି, ସେ ଈଶ୍ବରଙ୍କ ଆଦେଶକୁ ପାଳନ କରୁନାହିଁ। ରକ୍ତ ଆବଶ୍ୟକ କରୁଥିବା ମଣିଷଟିକୁ ଅନ୍ୟ ଜଣେ ମଣିଷ ହିଁ କେବଳ ସାହାଯ୍ୟ କରିପାରିବ। ଏଥିପାଇଁ ଏହାକୁ ଈଶ୍ବରଙ୍କ ଆଦେଶ ବୋଲି କୁହାଯାଏ। ଈଶ୍ବର ମୋତେ ସୁସ୍ଥ ରଖିଛନ୍ତି, ଏହାପଛର ଉଦ୍ଦେଶ୍ୟ ହେଉଛି ମୁଁ ଆଉ ଜଣଙ୍କୁ ଯେପରି ରକ୍ତଦାନ କରିପାରିବି ବୋଲି କହି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ।

ଇଣ୍ଡିଆନ୍‌ ରେଡ୍‌ କ୍ରସ୍‌ ସୋସାଇଟି, ଓଡ଼ିଶା ଶାଖା ଓ ସେଣ୍ଟ୍ରାଲ ରେଡ୍‌କ୍ରସ୍ ବ୍ଲଡ୍‌ ବ୍ୟାଙ୍କ, କଟକର ମିଳିତ ସହଯୋଗରେ ଆୟୋଜିତ ବିଶ୍ବ ରକ୍ତଦାତା ଦିବସ ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଜଣେ ବ୍ୟକ୍ତି ରକ୍ତଦାନ କଲେ ସେଥିରେ ୩ଜଣ ଖୁସି ହୋଇଥା’ନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଯିଏ ରକ୍ତ ଦାନ କରେ, ଯିଏ ରକ୍ତ ଗ୍ରହଣ କରେ ଓ ଯିଏ ଏହି କାମକୁ କରିଥାଏ। ମଣିଷ ଶରୀରର ଧମନୀରେ ରକ୍ତ ପ୍ରବାହିତ ହୁଏ। ଗୋଟିଏ ମଣିଷର ଧମନୀରୁ ଅନ୍ୟ ମଣିଷର ଧମନୀକୁ ରକ୍ତ ଯାଉ। କିନ୍ତୁ ଏହାଛଡ଼ା ରକ୍ତ ଅନ୍ୟ କେଉଁଠାରେ ଯେଭଳି ନ ପଡିବ, ତାହା ସମସ୍ତେ ସଂକଳ୍ପ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ଅନ୍ୟପଟେ ରକ୍ତଦାନ ଶିବିରକୁ ପରିଚାଳନା କରୁଥିବା ବ୍ଲଡ୍‌ ବ୍ୟାଙ୍କ କର୍ମଚାରୀଙ୍କ ବିଭିନ୍ନ ଦାବି ପ୍ରତି ରାଜ୍ୟ ସରକାର ଧ୍ୟାନ ଦେବାକୁ ଶ୍ରୀ ପଟ୍ଟନାୟକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରେଡକ୍ରସ୍‌ ନିର୍ଦ୍ଦେଶକ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଯୋବ୍ରା, ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସମ୍ମାନିତ ଅତିଥି ଭାବେ ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡା‌ୟତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଏସ୍‌. ବି. ଛୋଟରାୟ, ଏସ୍‌ବିଟିସିର ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ପ୍ରମୁଖ ଯୋଗଦେଇ ଆସନ୍ତା ଦୁଇ ବର୍ଷ ମଧ୍ୟରେ ପ୍ରତିବର୍ଷ ରାଜ୍ୟରେ ଆବଶ୍ୟକ ପଡୁଥିବା ରକ୍ତକୁ ରକ୍ତଦାନ ଶିବିର ମାଧ୍ୟମରେ ପୂରଣ କରିବାକୁ ଉପସ୍ଥିତ ଥିବା ଶିବିର ଆୟୋଜକଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ଜୀବନ ବିନ୍ଦୁ ସଂଯୋଜକ ତଥା ସିଆରସିବିସିର ସଚେତନତା କମିଟି ଅଧ୍ୟକ୍ଷ ରଂଜନ କୁମାର ବିଶ୍ବାଳ ପରିଚାଳନା କରିଥିଲେ।

ଉତ୍ସବରେ ରକ୍ତଦାନ କ୍ଷେତ୍ରରେ ଉଦାହାରଣ ସୃଷ୍ଟି କରିଥିବା ଜୀବନ ବିନ୍ଦୁ, ଆମ ଓଡ଼ିଶା ଓ କମିସନରେଟ ପୁଲିସକୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ନିୟମିତ ରକ୍ତଦାନ ଶିବିର ଆୟୋଜନ କରୁଥିବା ରାଜ୍ୟର ବିଭିନ୍ନ ସଂଗଠନ, ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ଏଥିରେ ମଧ୍ୟ ସମ୍ମାନିତ କରାଯାଇଛି। କରୋନା ମହାମାରୀରେ ରକ୍ତ ଭଣ୍ଡାରର ସୁପରିଚାଳନା ପାଇଁ ରେଡକ୍ରସ୍‌ କର୍ମଚାରୀ ସଂଘର ସଭାପତି ରବି ନାରାୟଣ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମକୁ ରେଡକ୍ରସ୍‌ କର୍ମଚାରୀ ଅବିନାଶ ଦାସ, ସରୋଜ କୁମାର ନନ୍ଦ, ପର୍ଶୁରାମ ସାହୁ, ଆଲୋକ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଡାକ୍ତର କନକଲତା ଦେଇ ଧନ୍ୟବାଦ ‌ଦେଇଥିଲେ।

ସମ୍ବନ୍ଧିତ ଖବର