କଟକ: ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥି ହେଉଛି ଅକ୍ଷୟ ତୃତୀୟା। ହିନ୍ଦୁ ଧର୍ମରେ ଏହି ଦିନଟି ସବୁଠାରୁ ଶୁଭଦିନ। ଏହି ଦିନରେ ଯାହା ଆରମ୍ଭ ବା ଅନୁକୂଳ କରାଯାଏ, ଭବିଷ୍ୟତରେ ତାହାର କ୍ଷୟ ବା କ୍ଷତି ହୁଏ ନାହିଁ, ବରଂ ଅଭିବୃଦ୍ଧି ଘଟିଥାଏ। ଏହି ବିଶ୍ବାସ ପାଇଁ ଅକ୍ଷୟ ତୃତୀୟାରେ ଲୋକେ ସୁନା, ରୂପା ଗହଣା କିଣିବା ପରମ୍ପରା ବହୁଦିନରୁ ଚଳିଆସୁଛି। ଏଥିପାଇଁ କଟକ ସହରର ସବୁ ଗହଣା ଦୋକାନରେ ଆଜି ସକାଳୁ ସଂଧ୍ୟା ଯାଏ ନାହିଁ ନ ଥିବା ଭିଡ଼ ହୋଇଥିଲା। କେବଳ ଭିଡ଼ ନୁହେଁ, ସବୁ ଗହଣା ଦୋକାନରେ ଭଲ ବ୍ୟବସାୟ ବି ହୋଇଛି। କଟକ ସହରରେ ଆଜି ପାଖାପାଖି ୬୦ କୋଟି ଟଙ୍କାର ସୁନା, ହୀରା ଆଦି ଗହଣା ବ୍ୟବସାୟ ହୋଇଥିବା ଆକଳନ କରାଯାଉଛି। କଟକ ସହରର ନିମ୍‌ଚୌଡି, ନୟାସଡ଼କ, କ୍ୟାଣ୍ଟନମେଣ୍ଟ ରୋଡ୍‌, ଦୋଳମୁଣ୍ଡାଇ, ମଙ୍ଗଳାବାଗ ଆଦି ସ୍ଥାନରେ ପ୍ରମୁଖ ଗହଣା ଦୋକାନମାନ ରହିଥିବା ବେଳେ ଅକ୍ଷୟ ତୃତୀୟା ପାଇଁ ଆଜି ଦିନତମାମ ଏସବୁ ସ୍ଥାନରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ଏସବୁ ସ୍ଥାନରେ ଥିବା ଗହଣା ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଗ୍ରାହକଙ୍କ ଆକୃଷ୍ଟ କରିବା ପାଇଁ ଗହଣା ଦୋକାନଗୁଡ଼ିକ ଲୋଭନୀୟ ଉପହାର, ଅଫର୍‌, ରହାତି ବ୍ୟବସ୍ଥାମାନ କରିଥିଲେ। କିଏ ମେକିଂ ଚାର୍ଜରେ ସ୍ବତନ୍ତ୍ର ରିହାତି ପ୍ରଦାନ କରିଥିଲେ ତ’ କିଏ ପୁଣି ମୋଟ୍‌ କିଣା ଉପରେ ଇନ୍‌ସ୍ୟୁରାନସ୍‌ ଦେବା ଭଳି ବ୍ୟବସ୍ଥା କରିଥିଲେ। ଏଥିପାଇଁ ଛୋଟବଡ଼ ସବୁ ଗହଣା ସୋ’ରୁମ୍‌ରେ ଆଜି ଗ୍ରାହକଙ୍କ ଗହଳି ହୋଇଥିଲା।

Advertisment

ଆଜି ସୁନା ଦର ୫୫ହଜାର ୭୫୦ ଟଙ୍କା ରହିଥିବା ବେଳେ ମେକିଂ ଚାର୍ଜ ଗ୍ରାମ୍‌ ପିଛା ୯ଶହ ଟଙ୍କା ଥିଲା। କିନ୍ତୁ ଅକ୍ଷୟ ତୃତୀୟା ପାଇଁ ଆଜି ପ୍ରାୟ ସବୁ ଗ୍ରହଣା ଦୋକାନୀ ମେକିଂ ଚାର୍ଜ ଉପରେ ସ୍ବତନ୍ତ୍ର ରିହାତି ପ୍ରଦାନ କରିଥିଲେ। କିଏ ମେକିଂ ଚାର୍ଜରେ ୩୦ପ୍ରତିଶତ ତ କିଏ ପୁଣି ୩୫ପ୍ରତିଶତ ରିହାତି ‌ଦେଇଥିଲେ। ଓଡ଼ିଶା ଜୁଏଲର୍ସ ଆସୋସିଏସନ୍‌ ଉପ-ସଭାପତି ତଥା ରାଧାଗୋବିନ୍ଦ ରାୟ ଗ୍ରାଣ୍ଡସନ୍ ଜୁଏଲର୍ସ ସତ୍ତ୍ବାଧିକାରୀ ସୌରଭ ରାୟଙ୍କ କହିବା ଅନୁସାରେ, କଟକ ସହରରେ ପାଖାପାଖି ୨ଶହରୁ ଅଧିକ ଛୋଟବଡ଼ ଗହଣା ସୋ’ରୁମ୍‌ ରହିଛି। ଏଥିରୁ ପାଖାପାଖି ୫୦ଟି ବଡ଼ ସୋ’ରୁମ୍‌ ଓ ଅନ୍ୟ ୧୫୦ରୁ ଅଧିକ ସୋ’ରୁମ୍‌ ମଧ୍ୟମ ଧରଣର। ଆଜି ସବୁ ଗହଣା ଦୋକାନରେ ଭିଡ଼ ହୋଇଥିଲେ ମଧ୍ୟ ସୁନା ଦର ଉଚ୍ଚା ଥିବାରୁ ଭିଡ଼ ଅନୁସାରେ ବ୍ୟବସାୟ ହୋଇ ନାହିଁ। କିନ୍ତୁ ବଡ଼ ସୋ’ରୁମ୍‌ରେ ଆଜି ୫ଶହରୁ ୭ଶହ ଗ୍ରାମ ପର୍ଯ୍ୟନ୍ତ ଗହଣା ବିକ୍ରି ହୋଇଥିବା ଅନୁମାନ କରାଯାଉଛି। ସେହିପରି ମଧ୍ୟମ ବା ଛୋଟ ‌ଗହଣା ‌ସୋ’ରୁମ୍‌ଗୁଡ଼ିକ ୪ଶହରୁ ୫ଶହ ଗ୍ରାମ ପର୍ଯ୍ୟନ୍ତ ସୁନା ଗହଣା ବିକ୍ରି କରିଥିବା ଆକଳନ କରାଯାଉଥିବା ସଂଘ ଉପ-ସଭାପତି ଶ୍ରୀ ରାୟ ସୂଚନା ଦେଇଛନ୍ତି। ଏହି ଆଧାରରେ ହିସାବ କଲେ, ଗୋଟିଏ ବଡ଼ ସୋ’ରୁମ୍‌ର ବ୍ୟବସାୟ ୪୦ ଲକ୍ଷ ଟଙ୍କା ବା ତାହାଠୁ ଅଧିକ ହୋଇଥିବା ବେଳେ ୫୦ଟି ବଡ଼ ସୋ’ ରୁମ୍‌ର ଗହଣା ବ୍ୟବସାୟ ୨୦କୋଟି ଟଙ୍କାରୁ ଅଧିକ ହେବ। ସେହିପରି ଛୋଟ ବା ମଧ୍ୟମ ଧରଣର ଏକ ସୋ’ରୁମ୍‌ର ବ୍ୟବସାୟ ପାଖାପାଖି ୨୮ଲକ୍ଷ ଟଙ୍କା ହେଲେ ୧୫୦ଟି ସୋ’ରୁମ୍‌ର ବ୍ୟବସାୟ ୪୨ଲକ୍ଷ ଟଙ୍କାରୁ ଅଧିକ ହେବ। ଅକ୍ଷୟ ତୃତୀୟାରେ କଟକ ସହରର ମୋଟ ସୁନା ବ୍ୟବସାୟ ୬୦କୋଟି ଟଙ୍କା ଟପିଥିବା ଆକଳନ କରାଯାଇଛି।