ଗୋପାଳକୁ ରିମାଣ୍ତରେ ଆଣିବ କ୍ରାଇମବ୍ରାଞ୍ଚ

କଟକ: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣା ସ୍ଥଳରୁ ପୁଲିସ ଏଏସଆଇ ଗୋପାଳ ଦାସଙ୍କ ସର୍ଭିସ ପିସ୍ତଲ, ଗୁଳି ଜବତ କରିଛି। ଗୋଟିଏ ଟିମ୍ ସେଠାରେ ଗୋପାଳଙ୍କୁ ପଚରାଉଚରା କରୁଥିବା ବେଳେ କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍ ଭୁବନେଶ୍ବର ଆପୋଲ ହସପିଟାଲରେ ପହଞ୍ଚି ସେଠାରୁ ନବଙ୍କ ରକ୍ତ ଲଗା କପଡ଼ା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଡିଏସପି ରମେଶ ଚନ୍ଦ୍ର ଦୋରାଙ୍କ ନେତୃତ୍ବରେ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିର ବାଲାଷ୍ଟିକ ବିଶେଷଜ୍ଞ ଇନସ୍ପେକ୍ଟର ଜୀବନାନନ୍ଦ ଜେନା ସାମିଲ ହୋଇଛନ୍ତି। ଏହି ଟିମ୍ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଅଭିଯୋଗକାରୀ ଓ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚରାଉଚରା କରିଥିଲା। ଗାନ୍ଧୀ ଛକ ନିକଟସ୍ଥ ଘଣାଣା ସ୍ଥଳକୁ ଏହି ଟିମ୍ ଯାଇ ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ଗୋଟିଏ ଖାଲି ଖୋକା ଏବଂ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଜବତ କରାଯାଇଛି। ଏହି ଟିମ୍ ୯ ଏମଏମ ପିସ୍ତଲ, ୩ ରାଉଣ୍ଡ ଜୀବନ୍ତ ଗୁଳି, ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କ ଏକ ମୋବାଇଲ୍ ଫୋନ ଜବତ ହୋଇଛି। ବନ୍ଧୁକ ଓ ଗୁଳିର ବାଲାଷ୍ଟିକ ପରୀକ୍ଷା ଏବଂ ମତ ପାଇଁ ଫରେନସିକ ଲାବରେଟୋରିକୁ ପଠାଯାଇଛି।

ଏହାସହିତ କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚର ଅନ୍ୟ ଅଧିକାରୀ ଭୁବନେଶ୍ବରରେ ତଦନ୍ତ ଆରମ୍ଭ କରିଛି। କ୍ୟାପିଟାଲ୍ ହସପିଟାଲର ଏକ ଡାକ୍ତରୀ ଟିମ୍ ଶବକୁ ଅନୁଧ୍ୟାନ କରିବା ସହିତ ପଞ୍ଚନାମା କରିଥିଲେ। ଏହି ପ୍ରକ୍ରିୟାର ଭିଡିଓଗ୍ରାଫି ବି କରାଯାଇଛି। ଭୁବନେଶ୍ବରରେ ନବ ଯେଉଁଠି ଚିକିତ୍ସିତ ହେଉଥିଲେ ସେଠି ଚିକିତ୍ସା ସଂକ୍ରାନ୍ତ ତଥ୍ୟ ଓ ରକ୍ତଲଗା କପଡ଼ା ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍। ଭିସେରା ନମୂନା ସଂଗ୍ରହ କରାଯାଇ ଫରେନସିକ୍ ଲାବରେଟୋରିକୁ ପଠାଯାଇଛି। ଅଭିଯୁକ୍ତ ଗୋପାଳକୁ କ୍ରାଇମବ୍ରାଞ୍ଚ ନିଜ ହେପାଜତକୁ ନେଇଥିବା ବେଳେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର କରାଯାଇଛି। ତାଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଜେରା କରିବାକୁ ଯୋଜନା କରୁଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଏହି ଘଟଣାକୁ ନିଜେ ତଦନ୍ତ କରୁଥିବା ବ୍ରଜରାଜନଗରରେ କ୍ୟାମ୍ପ ଖୋଲିଥିବା କ୍ରାଇମବ୍ରାଞ୍ଚ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର