ବମିଖାଲ ଓ ଭୋଇନଗର ଅଞ୍ଚଳରେ ସରକାରୀ ଜମି ହଡ଼ପ ଉଦ୍ୟମ: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସରକାରଙ୍କ ଭୂମିକାକୁ ନେଇ ଅସନ୍ତୋଷ

କଟକ: ଭୁବନେଶ୍ବରର ଭୋଇନଗର ଓ ବମିଖାଲ ମୌଜାରେ ସରକାରୀ ଜମି ହଡ଼ପ ଉଦ୍ୟମ ଅଭିଯୋଗ ସଂପର୍କିତ ମାମଲାରେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ସରକାରଙ୍କ ଭୂମିକା‌କୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ ତଦନ୍ତରେ ରାଜ୍ୟ ସରକାରଙ୍କ କୌଣସି ଏଜେନ୍ସିକୁ ସଂପୃକ୍ତ ନ କରିବା ସପକ୍ଷରେ ହାଇକୋର୍ଟ ମତ ଦେଇଛନ୍ତି। ପକ୍ଷମାନଙ୍କ କେତେକ ସରକାରୀ ଅଧିକାରୀଙ୍କ ସହ ଅସାଧୁ ମେଣ୍ଟ ଥାଇପାରେ ବୋଲି ହାଇକୋର୍ଟ କହିବା ସହ ସିବିଆଇକୁ ତଦନ୍ତ ଦାୟିତ୍ବ ଦେଇଛନ୍ତି।

ସାଧାରଣ ପ୍ରଶାସନ ବିଭାଗର ଅଧିକାରୀ ଓ ଏହି ମାମଲା ଦାୟିତ୍ବରେ ଥିବା ଅଧିକାରୀ ଦାୟିତ୍ବ ସଂପାଦନ କରିବା ବେଳେ ପରୋକ୍ଷରେ ବିଭିନ୍ନ ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଇଥିଲେ। ପରଦା ପଛରେ କିଛି ବ୍ୟକ୍ତି ଅବୈଧ ଭାବେ କାର୍ଯ୍ୟ କରୁଥିଲେ। ଏଭଳି ସ୍ଥିତିରେ ପ୍ରାଥମିକ ତଦନ୍ତ ଆରମ୍ଭ କରିବାକୁ ଭୁବନେଶ୍ବର ସିବିଆଇ ଏସ୍‌ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରେ ମାମଲାରେ ପ୍ରତିପକ୍ଷ ଥିବା ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଗାଡ଼କଣର ୮ଜଣଙ୍କୁ ସଂପୃକ୍ତ କରାଯିବ। ବର୍ତ୍ତମାନ ସ୍ଥିତିରେ ଅର୍ଥ ଓ ଆପରାଧିକ ଦିଗରେ ତଦନ୍ତ କରାଯାଇ ଏଥିରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଖୋଜି ବାହାର କରାଯିବ। ପକ୍ଷ ମଧ୍ୟରୁ କାହାକୁ ଅଭିଯୁକ୍ତ ଭାବେ ବିବେଚନା ନକରି ପ୍ରାରମ୍ଭିକ ଅନୁସନ୍ଧାନ କରାଯିବ। ପ୍ରାଥମିକ ତଦନ୍ତର ଫଳାଫଳରୁ ଯଦି କୌଣସି ବେଆଇନ ଆର୍ଥିକ କାରବାର, ଅପରାଧିକ ଦିଗ ଓ ଜମି ଜାଲିଆତି ବା ଅନ୍ୟ କୌଣସି ଅପରାଧର ପ୍ରମାଣ ମିଳେ, ସିବିଆଇ ଆଇନ ଅନୁଯାୟୀ ଆଗକୁ ବଢ଼ି ବେଆଇନ କାରବାରରେ ସଂପୃକ୍ତଙ୍କୁ ଖୋଜି ବାହାର କରିବ ‌ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟର କପି ସିବିଆଇ ଏସ୍‌ପିଙ୍କ ନିକଟକୁ ପଠାଇବାକୁ ହାଇକୋର୍ଟ କହିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ବମିଖାଲ ମୌଜା‌ର ୬ଟି ପ୍ଲଟ୍‌ ଓ ଭୋଇନଗର ମୌଜାର ୨୧ଟି ପ୍ଲଟ୍‌ର ମାଲିକାନା ପ୍ରସଙ୍ଗ ନେଇ ଭୁବେନେଶ୍ବର ମୁନସିଫ୍‌ କୋର୍ଟରେ କେତେକ ବ୍ୟକ୍ତି ରାଜ୍ୟ ସରକାରଙ୍କ ବିରୋଧରେ ୧୯୮୯ରେ ମାମଲା ଦାୟର କରିଥିଲେ। ଏହି ଜମି ସେମାନଙ୍କ ନାଁରେ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ମାମଲାରେ ଦର୍ଶାଯାଇଥିଲା। ୧୯୯୧ ଅକ୍ଟୋବର ୨୮ରେ ଏହି ବ୍ୟକ୍ତିମାନଙ୍କ ସପକ୍ଷରେ ଅଦାଲତ ରାୟ ଦେଇଥ‌ିଲେ। ଏହି ରାୟକୁ ଭୁବନେଶ୍ବର ଜିଲ୍ଲା ଅଦାଲତରେ ସରକାର ଚାଲେଞ୍ଜ କରିଥିଲେ। ଜିଲ୍ଲା ଅଦାଲତ ସରକାରଙ୍କ ଆବେଦନକୁ ଗ୍ରହଣ କରି ମାମଲାର ସାନି ଶୁଣାଣି ପାଇଁ ନିର୍ଦ୍ଦେଶ ଦେବା ସହିତ ଜବାବରେ ସଂଶୋଧନ ଓ ଅନ୍ୟାନ୍ୟ ଆବଶ୍ୟକ ନଥିପତ୍ର ଦାଖଲ କରିବା ପାଇଁ ସରକାରଙ୍କୁ ଅନୁମତି ଦେଇଥିଲେ।

୨୦୦୧, ଅକ୍ଟୋବର ୧୨ର ଏହି ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ୨୦୧୨, ଜୁନ ୨୭ରେ ହାଇକୋର୍ଟ ଆବେଦନକୁ ଗ୍ରହଣ କରି ଜିଲ୍ଲା ଅଦାଲତଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଥିଲେ। ଏହି ରାୟର ପୁନର୍ବିଚାର ପାଇଁ ସାଧାରଣ ପ୍ରଶାସନ ବିଭାଗ ୨୦୧୯ରେ ହାଇକୋର୍ଟରେ ପୁନର୍ବିଚାର ଆବେଦନ (ରିଭ୍ୟୁପିଟିସନ୍‌) ଦାୟର କରିଥିଲା। ଆବେଦନ ନିର୍ଦ୍ଧ‌ାରିତ ସମୟର ୨ହଜାର ୧୯୫ ଦିନ ପରେ ସରକାର ହାଇକୋର୍ଟରେ ଦାଖଲ କରିଥିଲେ। ହାଇକୋର୍ଟ ସରକାରଙ୍କ ପୁନର୍ବିଚାର ଆବେଦନର ଶୁଣାଣି କରି ୨୦୨୧, ଏପ୍ରିଲ ୮ରେ ରାୟ ପ୍ରକାଶ କରିଥିଲେ। ୨୦୧୨, ଜୁନ ୨୭ର ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଥିଲେ। ନିମ୍ନ ଅଦାଲତଙ୍କୁ ୬ ମାସ ଭିତରେ ମାମଲାର ସାନି ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସରକାର ଅତିରିକ୍ତ ଲିଖିତ ଜବାବ ଓ ନଥିପତ୍ର ଦାଖଲ କରିପାରିବେ ବୋଲି ହାଇକୋର୍ଟ କହିଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ୍‌ ରହିଥିଲା। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନିମ୍ନ ଅଦାଲତରେ ମାମଲାର ଶୁଣାଣି ‌ଶେଷ ହୋଇ ପାରି ନଥିଲା। ବିଭିନ୍ନ କାରଣରୁ ଶୁଣାଣି ଘୁଞ୍ଚି ଚାଲିଥିଲା। ଏହାପରେ ହାଇକୋର୍ଟରେ ଏହି ପ୍ରସଙ୍ଗରେ ପୁଣି ଶୁଣାଣି ହୋଇଥିଲା।

ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ମାମଲାର ଶୁଣାଣି ସମୟରେ ପକ୍ଷଙ୍କ ତରଫରୁ ମିଥ୍ୟା ତଥ୍ୟ ଉପସ୍ଥାପନ କରାଯାଇଥିବା ଜଣାପଡ଼ିଥିଲା। ଏଥିସହିତ ନିମ୍ନ ଅଦାଲତ ଶୁଣାଣିରେ ବିଶେଷ ଅଗ୍ରଗତି ହୋଇ ନଥିବା ସ୍ପଷ୍ଟ ହୋଇଥିଲା। କେବଳ ତାରିଖ ପରେ ତାରିଖ ଧାର୍ଯ୍ୟ କରାଯାଉଥିଲା। ମାମଲାର ଶୁଣାଣି ସଂପୂର୍ଣ୍ଣ ହେବା ପ୍ରସଙ୍ଗକୁ ସରକାର ଗୁରୁତ୍ବର ସହ ନେଉନାହାନ୍ତି ବୋଲି ଜଣାପଡ଼ିଥିଲା।

ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଏହି ଘଟଣାରେ ବେଆଇନ ଟଙ୍କା କାରବାରର ଆଶଙ୍କା ରହିଛି ଓ ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ ରହିବା ପରେ ନିର୍ଦ୍ଦେଶ ଅନୁସାରେ ଆଗକୁ ଗ୍ରହଣ କରାଯିବାକୁ ଥିବା କାର୍ଯ୍ୟାନୁଷ୍ଠାନକୁ ରୋକିବାକୁ କେତେକ ପକ୍ଷଙ୍କୁ ଏଠି ସେଠି ଯିବାକୁ ବାଧ୍ୟ କରାଯାଉଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନକୁ ସୁପ୍ରିମକୋର୍ଟରୁ ପ୍ରତ୍ୟାହାର କରାଯିବା ବେଳେ କେତେକ ପକ୍ଷ ମିଥ୍ୟା କଥା କହିଥିଲେ। ଏହି ଘଟଣାର ଅପରାଧିକ ଦିଗ ରହିଥାଇପାରେ ଓ କେତେକ ପକ୍ଷ, ସରକାରୀ ଅଧିକାରୀ ଓ ଅଜଣା ଲୋକଙ୍କ ଜୀବନକୁ ବିପଦ ଥାଇପାରେ। ଭୁବନେଶ୍ବରର ପ୍ରମୁଖ ଅଞ୍ଚଳରେ ଥିବା ୬ଏକର ଜମି ସଂପର୍କିତ ଏହି ଘଟଣାରେ କୌଣସି ଲ୍ୟାଣ୍ଡ୍ ସ୍କାମ ସଂପୃକ୍ତ କି ନାହିଁ ଜଣାନାହିଁ। ଏଭଳି ସ୍ଥିତିରେ କୌଣସି ଆପରାଧିକ କାର୍ଯ୍ୟକଳାପ, ଅର୍ଥ କାରବାର ଦିଗ ଓ ନିମ୍ନ ଅଦାଲତରେ ମାମଲାର ଶୁଣାଣି‌ ଶେଷ କ୍ଷେତ୍ରରେ ଅଧିକ ସମୟ ନଷ୍ଟକୁ ଏଡ଼ାଇବା ପାଇଁ ଭୁବନେଶ୍ବର ସିବିଆଇ ଏସ୍‌ପି ଏହି ପ୍ରସଙ୍ଗରେ ପ୍ରାଥମିକ ତଦନ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର