ସଦର ବ୍ଲକ୍‌ରେ ଜନଶୁଣାଣି, ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ବର୍ଷିଲେ ଜିଲ୍ଲାପାଳ

କଟକ/ବିଦ୍ୟାଧରପୁର: କୋଭିଡ୍‌ ପରେ ଆଜି ପ୍ରଥମ ଥର ପାଇଁ କଟକ ସଦର ବ୍ଲକ୍‌ ବୈଠକ ଗୃହରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଜନଶୁଣାଣିକୁ ଆଜି ମୋଟ ୪୧ଟି ଅଭିଯୋଗ ଆସିଥିଲା। ତା’ ଭିତରୁ ଗୋଟିଏ ଅଭିଯୋଗ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୪୦ଟି ଅଭିଯୋଗ କଟକ ସଦର ବ୍ଲକ୍‌ ଓ ସିଏମ୍‌ସି ଅଞ୍ଚଳରୁ ଆସିଥିଲା। ପୂର୍ତ୍ତବିଭାଗର କୌଣସି ଅଧିକାରୀ ଶୁଣାଣିକୁ ଆସି ନଥିବାରୁ ଜିଲ୍ଲାପାଳ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଶୁଣାଣିରେ ଯୋଗଦେବାକୁ ଫୋନ୍‌ରେ ଡକାଇଥିଲେ। ତେବେ, ଏହା ସତ୍ତ୍ବେ ବି ବିଭାଗ ପକ୍ଷରୁ କେହି ଆସି ନଥିଲେ। ଆଜିର ଶୁଣାଣିରେ ଜିଲ୍ଲାପାଳ ଶ୍ରୀ ଚୟନୀ ଆବେଦନଗୁଡ଼ିକ ଶୁଣି ଫକୀରପଡ଼ା ପଞ୍ଚାୟତର ତନା ସେଠୀ ଓ ସୁଦର୍ଶନ ସେଠୀ କ୍ୟାନ୍‌ସର୍‌ ପୀଡ଼ିତଙ୍କୁ ୫ହଜାର ଲେଖାଏ ସହାୟତା ପ୍ରଦାନ କରିଥିଲେ। ସେହିପରି ଭିନ୍ନକ୍ଷମ ବୟାଳିଶମୌଜା ବ୍ରହ୍ମପୁର ଶ୍ରୀରାମ ପ୍ରାଥମିକ ବିଦ୍ୟାଳୟ ୪ର୍ଥ ଶ୍ରେଣୀ ଛାତ୍ର ଓ ସିଏମ୍‌ସି ୱାର୍ଡ ନଂ-୫୪ ବିଦ୍ୟାଧରପୁର ସୋମେଶ ରଞ୍ଜନ ସାହୁଙ୍କୁ ୫ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଇଣ୍ଡିଆନ୍‌ ଗ୍ଲୋବାଲ୍‌ ସ୍କୁଲ୍‌ରେ ପଢୁଥିବା ଶକ୍ତିପ୍ରସାଦ ସାହୁଙ୍କୁ ପଢ଼ିବା ପାଇଁ ୩ହଜାର ଟଙ୍କା ସହାୟତା ଦିଆଯାଇଥିଲା। ଗତିରାଉତପାଟଣାର ଭିନ୍ନକ୍ଷମ ଜ୍ୟୋସ୍ନା ବେହେରାଙ୍କୁ ତିନିଚକିଆ ସାଇକଲ ଓ ବୟାଳିଶମୌଜା ବଉଳକୁଦ ୯୦ବର୍ଷୀୟ ଉତ୍ତମ ଦେବତାଙ୍କୁ ହୁଇଲ୍ ଚେୟାର୍‌ ପ୍ରଦାନ କରାଯାଇଥିଲା।

ସେହିପରି, ବୟାଳିଶ ମୈାଜା ବଉଳକୁଦଠାରେ ପିଇବା ପାଣି ସମସ୍ୟା ନେଇ ଲୋକଙ୍କ ଅଭିଯୋଗ ଆସିଥିଲା। ଜିଲ୍ଲାପାଳ ଏ ନେଇ ସଂପୃକ୍ତ ବିଭାଗଠାରୁ ଉତ୍ତର ଚାହିଁଥିଲେ। ସେଠାରେ ଓଭର୍‌ହେଡ୍ ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର୍‌ ସରିଛି, ଆସନ୍ତା ୩ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଗ୍ରାମୀଣ ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ ବିଶ୍ବାଳ ଜିଲ୍ଲାପାଳଙ୍କୁ କହିଥିଲେ। ‌ପୂର୍ତ୍ତ ବିଭାଗ ନିର୍ମାଣ କରିଥିବା ବୟାଳିଶ ମୈାଜା ଚାନ୍ଦୁଲି ରାସ୍ତା ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ବର୍ଷକ ମଧ୍ୟରେ ଭାଙ୍ଗିରୁଜି ଯାଇଥିବା ସଂକ୍ରାନ୍ତରେ ବହୁଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା। ଏ ସମ୍ପର୍କରେ ଜାଣିବାକୁ ଚାହିଁବା ବେଳେ ଶୁଣାଣିରେ ପୂର୍ତ୍ତବିଭାଗ ପକ୍ଷରୁ କେହି ନ ଥିବାରୁ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିଥିଲେ। ଫୋନ୍‌ରେ ଯୋଗାଯୋଗ କରି ତୁରନ୍ତ ଜନଶୁଣାଣିରେ ଉପସ୍ଥିତ ହେବାକୁ ନିର୍ଦେଶ ଦେଇଥିଲେ ମଧ୍ୟ କେହି ଆସି ନଥିଲେ।
ଜନଶୁଣାଣିରେ ଅନ୍ୟମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ସିଡିଏମ୍‌ଓ ସତ୍ୟବ୍ରତ ଛୋଟରାୟ,ଏଡିଏମ୍ ବିଜୟ ଖଣ୍ଡାୟତରାୟ, ପି.ଡି ଡିଆର୍‌ଡିଏ ଅମ୍ବର କୁମାର କର, ବେଣ୍ଟକାର ପିଏଚ୍‌ସି ଅଧୀକ୍ଷକ ଡାକ୍ତର ବସନ୍ତ କୁମାର ସାହୁ, ଅତିରିକ୍ତ ତହସିଲଦାର ପୁଷ୍ପଶ୍ରୀ ସାଣ୍ଡିଲ୍, ଅତିରିକ୍ତ ଡିସିପି ଅନୀଲ କୁମାର ମିଶ୍ର, ଗ୍ରାମାଞ୍ଚଳ ଏସ୍‌.ପି ବି. ଯୁଗଳକିଶୋର, ଡିଏସ୍‌ପି ଅଶ୍ବିନୀ କୁମାର ସାହୁ, ବ୍ଲକ ଉନ୍ନୟନ ଅଧିକାରୀ ରାଜୀବ ଲୋଚନ ପରିଡ଼ା, ସହକାରୀ ଯନ୍ତ୍ରୀ ବିକାଶ ଭୂୟାଁ, କୃଷି ଅଧିକାରୀ ମୋନାଲିସା ବିଶ୍ବାଳ ଓ ଅନ୍ୟ ବିଭାଗଗୁଡ଼ିକର ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଜନଶୁଣାଣିାରେ ସହାୟତା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର