କଟକ: ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ମାମଲାରେ ପୁଲିସ ତନାଘନା ଚଳାଇଥିବା ବେଳେ ହାଇଦରର ମୁଖ୍ୟ ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ ଓରଫ ସାଲୁ ଆତ୍ମସମର୍ପଣ କରିଛି । ଏସସିବି ମେଡିକାଲରୁ ହାଇଦରକୁ ଫେରାର କରିବାରେ ୟାକୁବ ସହଯୋଗ କରିଥିବା ସୂଚନା ରହିଛି। କଟକ ଚାଉଳିଆଗଞ୍ଜ ପୁଲିସ ନିକଟରେ ସାଲୁ ଆତ୍ମସମର୍ପଣ କରିଛି ଓ ଏହାପରେ ସାଲୁକୁ ପୁଲିସର ସ୍ପେଶାଲ ସେଲ ପଚରାଉଚରା କରୁଛି । କଟକ ବଡ଼ମେଡିକାଲରେ ଚିକିତ୍ସା ଚାଲିଥିବା ସମୟରେ ହାଇଦରକୁ ଭେଟିଥିଲା ୟାକୁବ। ଏହା ସହ ସେ ତାକୁ ବିରିୟାନୀ ମଧ୍ୟ ଖାଇବାକୁ ଦେଇଥିଲା । ସେ ପୁଲିସକୁ ସମସ୍ତ ପ୍ରକାରର ସହଯୋଗ କରିବ ବୋଲି କହିଛିି ୟାକୁବ।
ଗ୍ୟାଙ୍ଗଷ୍ଟାର ହାଇଦର ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ଜେଲରେ ବନ୍ଦୀ ଭାବେ ଥିଲା । ଅସୁସ୍ଥତା କାରଣରୁ ତାକୁ ପ୍ରଥମେ ବୁର୍ଲା ମେଡିକାଲକୁ ଅଣାଯାଇଥିଲା । ହେଲେ ସେଠାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର କଟକ ଏସସିବିରେ ସେ ଚିକିତ୍ସିତ ହେଉଥିବା ବେଳେ ୧୦ ତାରିଖ ଦିନ ସେଠାରୁ ଫେରାର୍ ହୋଇଯାଇଥିଲା । ହାଇଦରକୁ ଧରିବାକୁ ସାରା ରାଜ୍ୟର ପୁଲିସ ତନାଘନା କରୁଥିବା ବେଳେ ୟାକୁବର ଆତ୍ମସମର୍ପଣ ପୁଲିସକୁ କେତେ ସହାୟତା ହେବ ତାହା ଜେରା ପରେ ସ୍ପଷ୍ଟ ହେବ।