ଜଗନ୍ନାଥ ଛାତ୍ରାବାସର ଇତିବୃତ୍ତ, ସ୍ବାସ୍ଥ୍ୟ ବିଭାଗ ‌କୋଠାକୁ ଛଡ଼ାଇ ନେଇଥିଲେ ରେଭେନ୍ସା ଛାତ୍ର

କଟକ: ଜଗନ୍ନାଥ ଛାତ୍ରାବାସ! ଯୋବ୍ରା ରହେମାନ ଛକସ୍ଥିତ ତିନିମହଲା ବିଶିଷ୍ଟ ସୁଉଚ୍ଚ ପ୍ରାସାଦର ନାମ। ୬୦ବର୍ଷର ପୁରୁଣା କୋଠା। ଏଥି‌ରେ ରେଭେନ୍‌ସା ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ ଯୁକ୍ତ ତିନି ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରମାନେ ରହୁଛନ୍ତି। ଏବେ ‌ଏହା ରେଭେନ୍‌ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା ପରିଚାଳିତ। ହେଲେ ଏହି ଛାତ୍ରାବାସ ପଛରେ ଏକ କୌତୁହଳପୂର୍ଣ୍ଣ ତଥା ରୋମାଞ୍ଚକର ଇତିହାସ ଲୁଚିରହିଛି। ଏହି କୋଠାଟି ଆରମ୍ଭରୁ ରେଭେନ୍‌ସା କଲେଜର ନଥିଲା କିମ୍ବା କଲେଜ ଉଦ୍ଦେଶ୍ୟରେ ଏହା ନିର୍ମାଣ ‌‌ହୋଇ ନଥିଲା। ତେବେ ରେଭେନ୍‌ସାର କିଛି ସାହାସୀ ତଥା ଚତୁର ଛାତ୍ରଙ୍କ ଆନ୍ତରିକ ଉଦ୍ୟମ ପାଇଁ ରାଜ୍ୟ ସରକାର ଏହି କୋଠାଟିକୁ ରେଭେନ୍‌ସା କଲେଜକୁ ଦେବାକୁ ବାଧ୍ୟ ହୋଇଥିଲେ। ଯାହା ବର୍ତ୍ତମାନ ସମୟରେ ହୁଏତ ସମ୍ଭବ ହୋଇପାରି ନଥାନ୍ତା।
୧୯୬୪/୬୫ ମସିହାର ଘଟଣା। ସେ ସମୟରେ ରେଭେନ୍‌ସା କଲେଜ ଥିଲା ସାରା ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ବପ୍ନ, ସଂକଳ୍ପ ଓ ସାଧନାର ପବିତ୍ର ଭୂଇଁ। କୁହାଯାଏ, ରେଭେନ୍ସାରେ ପଢ଼ୁଛ, ଅର୍ଥ ଆଉ କିଛି ପରିଚୟର ଆବଶ୍ୟକତା ନାହିଁ। ଏଥିପାଇଁ ଦୂରଦୂରାନ୍ତରୁ ବହୁ ପିଲା ରେଭେନ୍‌ସାରେ ନାମ ଲେଖାଉଥିଲେ। ସେ ସମୟରେ ରେଭେନ୍‌ସା ପିଲାମାନେ କଲେଜ ପରିସରସ୍ଥିତ ଇଷ୍ଟ୍‌ ହଷ୍ଟେଲ୍‌, ୱେଷ୍ଟ୍‌ ହଷ୍ଟେଲ୍‌, ନ୍ୟୁ ହଷ୍ଟେଲ୍‌, ୱମେନ୍‌ ହଷ୍ଟେଲ୍‌(ଛାତ୍ରୀଙ୍କ ପାଇଁ) ସମେତ ସେଣ୍ଟ୍ରାଲ୍‌ ହଷ୍ଟେଲ୍‌(ମଙ୍ଗଳାବାଗ), ପିଜି ହଷ୍ଟେଲ୍‌(ଜେକେବିକେ କଲେଜଠାରେ) ଥିଲା। କିନ୍ତୁ ବହୁତ ପିଲା ବାହାରୁ ଆସୁଥିବାରୁ ସବୁ ପିଲାଙ୍କୁ କଲେଜ କର୍ତ୍ତୃପକ୍ଷ ହଷ୍ଟେଲ ସୁବିଧା ଦେଇପାରୁ ନଥିଲେ। ହଷ୍ଟେଲରେ ସିଟି ପାଇ ନଥିବା କିଛି ପିଲା ଇଷ୍ଟ୍‌ ଓ ୱେଷ୍ଟ୍‌ରେ ସାଙ୍ଗମାନଙ୍କ ସହ ରହିଯାଉଥିଲେ। କିନ୍ତୁ ଏହାକୁ ବି କର୍ତ୍ତୃପକ୍ଷ ବାରଣ କରୁଥିଲେ।

ସଂଧ୍ୟା ବେଳେ ଛାତ୍ରମାନେ ‌ଯୋବ୍ରା ଆନିକଟ, ଷ୍ଟେସନ ଆଡକୁ ବୁଲାବୁଲି କରିବାକୁ ଯାଆନ୍ତି। ଯୋବ୍ରା ଆନିକଟରୁ ଫେରୁଥିବା ସମୟରେ ଦେଖିଲେ, ରହେମାନ ଛକରେ ସୁନ୍ଦର କୋଠାଟିଏ ତିଆରି ହୋଇଛି। ବୁଝାବୁଝିର ଜଣାପଡ଼ିଲା, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ, ତାର ନିମ୍ନ ବେତନଭୋଗୀ କର୍ମଚାରୀଙ୍କ ପାଇଁ ତାହାକୁ ନିର୍ମାଣ କରିଛି। ଏହାକୁ ସେହି କର୍ମଚାରୀଙ୍କୁ ଦିଆଯିବ। ରେଭେନ୍ସାର କିଛି ଉତ୍ସାହୀ ଛାତ୍ରନେତା ଅନ୍ୟ ଛାତ୍ରମାନଙ୍କ ସହ ‌ଆଲୋଚନା କଲେ, ଏହି କୋଠାଟିକୁ ଛାତ୍ରାବାସ କରିବା ପାଇଁ। ହଠାତ୍‌ ଏକ ରାତିରେ ୨୦/୨୫ଜଣ ଛାତ୍ର ଯୋବ୍ରାସ୍ଥିତ ସ୍ବାସ୍ଥ୍ୟ ବିଭାଗ କୋଠାରେ ପଶି ଭିତର ପଟୁ ତାଲା ପକାଇଦେଲେ। ଭିତରେ ନିଜ ଜିନିଷପତ୍ର ରଖି ସେମାନେ ସେଥିରେ ରହିଲେ। ଘଟଣା ଜଣାପଡ଼ିବା ପରେ ହୋ-ହାଲ୍ଲା ହେଲା। ତତ୍କାଳୀନ ସିଟି ଡିଏସ୍‌ପି ବି.ଏନ୍. ‌ଛୋଟରାୟଙ୍କ ନେତୃତ୍ବରେ ପୁଲିସ୍ ଆସି ଗେଟ୍‌ ସମ୍ମୁଖରେ ଡେରା ପକାଇଲେ। ପିଲାଙ୍କୁ ବାହାରିବାକୁ ଧମକ ଦେଲେ। କିନ୍ତୁ ପିଲାମାନେ ନଛୋଡ଼ବନ୍ଧା। ସେ ସମୟରେ ବୀରେନ୍‌ ମିତ୍ର ମୁଖ୍ୟମନ୍ତ୍ରୀ ଓ ବନମାଳୀ ପଟ୍ଟନାୟକ ଶିକ୍ଷାମନ୍ତ୍ରୀ ଥାଆନ୍ତି। ସଦାଶିବ ମିଶ୍ର ଥାଆନ୍ତି ଡିପିଆଇ ଓ ବଂଶୀଧର ସାମନ୍ତରାୟ ରେଭେନ୍ସା ଅଧ୍ୟକ୍ଷ। କିଛି ଛାତ୍ର ଭୁବନେଶ୍ବରସ୍ଥିତ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସି ଦାବି କଲେ, ଏହି କୋଠାକୁ ଛାତ୍ରାବାସ କରିବାକୁ ଦିଆଯାଉ। ଶିକ୍ଷାମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଫୋନ୍‌ରେ ଆଲୋଚନା କଲେ। ପରେ ଉଭୟ ସ୍ବାସ୍ଥ ଓ ଶିକ୍ଷା ବିଭାଗର ପଦସ୍ଥ ଅଧିକାରୀମାନଙ୍କର ଏକ ବୈଠକ ବସିଲା। ବୈଠକର ନିଷ୍ପତ୍ତି ଅନୁସାରେ, ଯୋବ୍ରାସ୍ଥିତ କୋଠାକୁ ସ୍ବାସ୍ଥ୍ୟ ବିଭାଗ ଶିକ୍ଷାବିଭାଗକୁ ହସ୍ତାନ୍ତର କଲେ। ଶିକ୍ଷାବିଭାଗ ‌ରେଭେନ୍‌ସା କଲେଜକୁ ଦେଲେ। ଏଥିପାଇଁ ରେଭେନ୍ସା ଛାତ୍ରମାନଙ୍କୁ ପାଖାପାଖି ୧୦ଦିନ ଭୁବନେଶ୍ବର ଧାଁଧାପଡ଼ କରିବାକୁ ପଡ଼ିଥିଲା। ଏହାର ଫଳସ୍ବରୂପ ୧୬୦ ବଖରା ଘର ଥିବା ତିନି ମହଲା କୋଠାଟି ସବୁଦିନ ପାଇଁ ରେଭେନ୍‌ସାର ହେଲା। ଏହାର ନାମ ହେଲା ଜଗନ୍ନାଥ ଛାତ୍ରାବାସ। ଏଠାରେ ଏବେ ୨୫୫ଜଣ ଛାତ୍ର ରହୁଛନ୍ତି।

ସମ୍ବନ୍ଧିତ ଖବର