କଟକ: ବେଆଇନ ଭାବେ ଲିଙ୍ଗ ନିରୂପଣ କରୁଥିବା ଅଭିଯୋଗରେ ଜଣେ ଡାକ୍ତରଙ୍କ ଘରେ ଚଢ଼ଉ ହେବା ପରେ ଆକ୍ସନ ମୋଡରେ ଆସିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ। ଏଣିକି ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ। ସୂଚନା ମିଳିଲେ ହେବ ଚଢ଼ଉ। ଗତକାଲି ଘଟଣାରେ ଲିଙ୍ଗ ନିରୂପଣ କରୁଥିବା ମେସିନ ଜବତ ସହ ଡାକ୍ତର ଅଟକ ଅଛନ୍ତି ବୋଲି କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ଛୋଟରାୟ।

Advertisment

ତେବେ ଗତକାଲି କଟକ ମଙ୍ଗଳାବାଗ ଥାନା ଅନ୍ତର୍ଗତ ଫ୍ରେଣ୍ଡସ କଲୋନି ଅଞ୍ଚଳରେ ପୁଣ୍ୟଶ୍ଲୋକ ଦାସ ନାମକ ଜଣେ ଡାକ୍ତର ତାଙ୍କ ଘରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରୁଥିବାର ଅଭିଯୋଗ ଆସିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍, ଜିଲ୍ଲା ପ୍ରଶାସନ ଓ ପୁଲିସର ମିଳିତ ଚଢ଼ଉ କରାଯାଇଥିଲା। ଯେଉଁଥିରେ ଲିଙ୍ଗ ନିରୂପଣ କାର୍ଯ୍ୟ ଚାଲିଥିବା ବେଳେ ହିଁ ଧରା ପଡିଥିଲେ ଡାକ୍ତର ଜଣକ। ଏହି ସମୟରେ ଡାକ୍ତରଙ୍କ ଘରେ ପାଖାପାଖି ୧୦ ଜଣ ଗର୍ଭବତୀ ମହିଳା ଉପସ୍ଥିତ ଥିଲେ। ଚଢଉ ସମୟରେ ନିରୂପଣ କରିବା ପାଇଁ ବ୍ୟବହାର କରାଯାଉଥିବା କେମିକାଲ ଓ ଅନ୍ୟ ଯନ୍ତ୍ରପାତି ଗୁଡ଼ିକୁ ଜବତ କରାଯାଇଥିଲା।

ଡାକ୍ତର ଜଣକ ପୁରୀ ଅଞ୍ଚଳରେ ସରକାରୀ ଡାକ୍ତର ଭାବରେ କାର୍ଯ୍ୟ କରୁଛନ୍ତି ଓ ସେ ବେଆଇନ ଭାବେ ନିଜର ଆବାସରେ ଏଭଳି କାର୍ଯ୍ୟ କରୁଥିଲେ। ବିଶେଷ ଭାବରେ ନିରୂପଣ କରିବା ପାଇଁ ଡାକ୍ତର ଜଣକ ପୋର୍ଟେବୁଲ୍ ମେସିନ୍ ବ୍ୟବହାର କରୁଥିଲେ। ଏଭଳି କାର୍ଯ୍ୟକୁ ରୋକିବା ଲାଗି ରେଗୁଲାର ଯାଞ୍ଚ ଜାରି ରହିଛି ଯଦି କିଛି ତଥ୍ୟ ମିଳେ ତେବେ ତୁରନ୍ତ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଦିଆଯିବ ଏବଂ ଏଭଳି ଘଟଣା ନଜରକୁ ଆସିଲେ ତୁରନ୍ତ ପ୍ରଶାସନକୁ ଜଣାଇବା ପାଇଁ କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ଛୋଟରାୟ। କନ୍ୟା ଭୃଣ ହତ୍ୟା ମୋଟେ ନୁହେଁ, ସରକାର ଏହି ନାରା ଦେବା ସହିତ ଭୃଣ ନିରୂପଣ କରିବା ଦଣ୍ଡନୀୟ ଅପରାଧ ବୋଲି ସୂଚାଇଛନ୍ତି।
କିନ୍ତୁ କିଛି ଅସାଧୁ ତଥା ଅର୍ଥ ଲୋଭି ଡାକ୍ତର ଏହି ବେଆଇନ କାରବାରରେ ଲିପ୍ତ ଅଛନ୍ତି। ଏହି ଘଟଣା ସାମ୍ନାକୁ ଆସିଲା ପରେ ସମ୍ପୃକ୍ତ ଡାକ୍ତରକୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ବେଳେ ଅଲଟ୍ରାସାଉଣ୍ଡ ମେସିନ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ଅଭିଭାବକଙ୍କ ପୁତ୍ରପ୍ରାପ୍ତିର ମୋହ ଓ ଏନେଇ ପରିବାର ପରିବାରରେ ଥିବା ଦୁର୍ବଳ ମାନସିକତା ପାଇଁ ଏହି ଘଟଣା ଘଟୁଥିବା ସିଡିଏମଓ କହିଛନ୍ତି।