ଏସ୍‌ସିବିରେ ମାସକୁ ହେଉଛି ୧୦ହଜାର ଇସିଜି, ରାତିରେ ୱାର୍ଡରୁ ହୃଦ୍‌ରୋଗୀ ବି ଆସୁଛନ୍ତି କାଜୁଆଲିଟି

କଟକ: ଏସ୍‌ସିବି ମେଡିକାଲ୍‌ ଇସିଜି ବ୍ୟବସ୍ଥାରେ ଦେଖାଦେଇଛି କର୍ମଚାରୀ ସଙ୍କଟ। ମାସକୁ ପାଖାପାଖି ୧୦ହଜାର ରୋଗୀଙ୍କ ଇସିଜି କରୁଛନ୍ତି ମାତ୍ର ୯ଜଣ କର୍ମଚାରୀ। କର୍ମଚାରୀ ସଙ୍କଟ ଯୋଗୁଁ ରାତି ୮ଟା ପରଠାରୁ ହୃଦ୍‌ରୋଗ ବିଭାଗ ଇସିଜି କେନ୍ଦ୍ରରେ ତାଲା ପଡୁଛି। ୭ଜଣ ଟେକ୍ନିସିଆନ୍‌ ଟ୍ରମା ଓ ନନ୍‌ଟ୍ରମା କାଜୁଆଲିଟିରେ ଓ ୨ଜଣ ମେଡିସିନ୍‌ ବିଭାଗ ଓପିଡିରେ ନିଯୁକ୍ତ ହୋଇଛନ୍ତି। କର୍ମଚାରୀ ଅଭାବ ଯୋଗୁଁ ଯେତିକି ଇସିଜି ପରୀକ୍ଷା ହେବା କଥା ତା’ ହୋଇପାରୁନି ଓ ରୋଗୀଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଏଭଳି ଅବ୍ୟବସ୍ଥାକୁ ନେଇ ଏସ୍‌ସିବି ମେଡିକାଲ୍‌ର କିଛି ଟେକ୍ନିସିଆନ୍‌ ସୋମବାର ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟିବାକୁ ଯୋଜନା କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଇସିଜି ଟେକ୍ନିସିଆନ ନିଯୁକ୍ତି ନେଇ ୨୦୧୦ ମସିହା ଡିସେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଥମ ପର୍ଯ୍ୟାୟରେ ୪ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା। ଗୋଟିଏ କୋଠାରେ ଟ୍ରମା ଓ ନନ୍‌ଟ୍ରମା କାଜୁଆଲିଟି କାର୍ଯ୍ୟ କରୁଥିବା ବେଳେ ଏମାନଙ୍କୁ ଏଠାରେ ଦାୟିତ୍ୱ ଦିଆଯାଇଥିଲା । ଏବେ ଅଲଗା ଅଲଗା ଭାବେ ଟ୍ରମା ଓ ନନ୍‌ଟ୍ରମା କାଜୁଆଲିଟି କାର୍ଯ୍ୟ କରୁଛି।

ଏଣୁ ସିଫ୍ଟ ଅନୁସାରେ କାର୍ଯ୍ୟ କରୁଥିବା ଉକ୍ତ ଟେକ୍ନିସିଆନ୍‌ଙ୍କୁ ଏକସଙ୍ଗରେ ଦୁଇଟି ଯାକ କାଜୁଆଲିଟିରେ ରୋଗୀଙ୍କ ପରୀକ୍ଷା କରାଇବା କଷ୍ଟକର ହେଉଛି। ଏତଦ୍‌ବ୍ୟତୀତ ସିଟି ହସ୍ପିଟାଲ୍‌ରେ ଇସିଜି ପରୀକ୍ଷା ବ୍ୟବସ୍ଥା ନାହିଁ। ଏଣୁ ଅନେକ ରୋଗୀ ସିଟି ହସ୍ପିଟାଲ୍‌ରୁ କେବଳ ଇସିଜି ପରୀକ୍ଷା ପାଇଁ ଏସ୍‌ସିବିକୁ ଆସୁଛନ୍ତି। ସ୍ୱାସ୍ଥ୍ୟ ବିକାଶ ଯୋଜନା ବଳରେ ହୃଦ୍‌ରୋଗ ବିଭାଗରେ ୩ଜଣଙ୍କୁ ନିଯୁକ୍ତି ମିଳିଛି। ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏମାନେ ସିଫ୍ଟ ଅନୁସାରେ ଡ୍ୟୁଟି କରୁଛନ୍ତି। ରାତି ୮ଟା ପରେ କୌଣସି ହୃଦ୍‌ରୋଗୀଙ୍କର ଇସିଜି ଆବଶ୍ୟକ ପଡ଼ିଲେ ସେମାନଙ୍କୁ ମଧ୍ୟ କାଜୁଆଲିଟିକୁ ଆଣିବାକୁ ପଡୁଛି। ଦୀର୍ଘ ୧୧ବର୍ଷ ହେବ କାର୍ଯ୍ୟ କରୁଥିବା ଏହି ଟେକ୍ନିସିଆନ୍‌ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ନଥିବାରୁ ତାକୁ ନେଇ ମଧ୍ୟ ଅସନ୍ତୋଷ ଦେଖା ଦେଇଛି। ପ୍ରତିଦିନ କାଜୁଆଲିଟିରେ ୧୦୦, ଆଉଟ୍‌ଡୋର୍‌ରେ ୧୦୦, ହୃଦ୍‌ରୋଗ ବିଭାଗରେ ଦେଢ଼ଶହ ଇସିଜି କରାଯାଉଥିବା ବେଳେ ଦିନକୁ ପାଖାପାଖି ସାଢେ ୩ଶହ ଇସିଜି କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର