ବାରଙ୍ଗ: କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ଗୁରୁବାର ଅପରାହ୍ଣରେ ତିନିଘଣ୍ଟା କାଳ ତାଣ୍ଡବ ରଚିଛି କାଳବୈଶାଖୀ ଝଡ। ଦିନ ସାଢେ ଗୋଟାଏ ବେଳେ ପ୍ରଚଣ୍ଡ ବେଗରେ ପବନ, ଘଡଘଡି ଓ କୁଆପଥର ବର୍ଷା ସହିତ ମାଡି ଆସିଥିଲା। ଝଡ ତୋଫାନରେ ସମଗ୍ର ବାରଙ୍ଗ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ମଣିଷଙ୍କ ଠାରୁ ଗୋରୁଗାଈ ପ୍ରାଣ ବିକଳରେ ଯିଏ ଯୋଉଠି ପାଇଲା ଆଶ୍ରୟ ନେଇଥିଲା। ସନ୍ଧ୍ୟା ସାଢେ ପାଞ୍ଚଟାରେ ଝଡ ବର୍ଷା ଥମିବା ପରେ ନନ୍ଦନକାନନ ଭାୟା ତ୍ରିଶୁଳିଆରୁ ମୁଣ୍ଡଳୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବଡ ବଡ ଗଛ ସବୁ ଉପୁଡି ପଡିଥିବା ଦେଖିବାକୁ ମିଳିଥିଲା। ଚଳନ୍ତା କାର୍ ଉପରେ ଏକ ବିଶାଳ ଗଛ ପଡ଼ିଥିଲା।
ସୂଚନା ଅନୁସାରେ କୁହ୍ନେଇପଡା ଆଦି ମାତା ମନ୍ଦିର ପାଖରେ ରଖାଯାଇଥିବା ଏକ କାର ଉପରେ ବଡ ଆମ୍ବ ଗଛ ଉପଡି ପଡିବାରୁ ଚାପି ହୋଇ ରହିଥିଲା। ନନ୍ଦନକାନନ ପରିସରର ରାସ୍ତା ଉପରେ ଓ ବାଘ, ସିଂହ, ଭାଲୁ, ତୃଣଭୋଜୀ ସଫାରୀ ପରିସରରେ ବହୁ ଗଛ ଉପୁଡି ପଡିଥିଲା। କର୍ମଚାରୀମାନେ ଯୁଦ୍ଧକାଳୀନଭିତ୍ତିରେ ରାସ୍ତା ଉପରେ ପଡିଥିବା ଗଛ ଓ ଡାଳ ସବୁ କାଟି ସଫା କରିଛନ୍ତି। ତେବେ କୌଣସି ସ୍ଥାନରେ କେହି ମୃତାହାତ ହୋଇ ନଥିବା ସୂଚନା ରହିଛି।।