କାହାକୁ ଜଗୁଛି ପୁଲିସ୍‌? ବେଆଇନ ଭାରୀଯାନ ଉପରେ ନଜର ନାହିଁ, ବସ୍ ଯେଉଁଠି ଅଟକିଲେ ବି ଭୁଲ୍ ନାହିଁ

ଦୁଇ ଚକିଆ ଗାଡ଼ି ଚାଳକଙ୍କ ହେଲ୍‌ମେଟ୍, ଡିଏଲ୍‌ ଯାଞ୍ଚ କିନ୍ତୁ କଡ଼ାକଡି

କଟକ: ରାଜରାସ୍ତାରେ ବେପରୱା ଭାବେ ଦ୍ରୁତଗତିରେ ଚଳାଚଳ କରୁଥିବା ବାଲି ବୋଝେଇ ହାଇୱା, ଟ୍ରାକ୍ଟର ଏବଂ ଅନ୍ୟ ଭାରୀଯାନ ଦୁର୍ଘଟଣାର ପ୍ରମୁଖ କାରଣ ସାଜୁଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିକ୍ଷୋଭ, ରାସ୍ତାରୋକ ହେଉଛି। ନିକଟରେ ବୟାଳିଶମୌଜା ଅଞ୍ଚଳର ଜଣେ ବରିଷ୍ଠ ନାଗରିକଙ୍କ ବାଲି ବୋଝେଇ ହାଇୱା ଧକ୍କାରେ ପ୍ରାଣ ଯିବା ପରେ ସଂପୃକ୍ତ ଅଞ୍ଚଳର ବାସିନ୍ଦାଙ୍କ ସହ ଜିଲ୍ଲାପାଳ ଆଲୋଚନା କରି ଗାଡ଼ି ଚଳାଚଳ ସମୟ ଧାର୍ଯ୍ୟ କରିଛନ୍ତି। କିନ୍ତୁ ସଡ଼କ ସୁରକ୍ଷା, ସଚେତନତା ପ‌ଦକ୍ଷେପକୁ ଠିକ ଦିଗରେ ନ ନେଇ କେବଳ ଲୋକଦେଖାଣିଆ ଢଙ୍ଗରେ ପୁଲିସ ପ୍ରଶାସନ ପରିଚାଳନା କରୁଥିବାରୁ ଦୁର୍ଘଟଣା ହ୍ରାସ ପାଇବା ବଦଳରେ ବଢି ଚାଲୁଥିବା ଅଭିଯୋଗ ହେଉଛି। ପୁଲିସ, ପ୍ରଶାସନ ପକ୍ଷରୁ ରାସ୍ତାଘାଟରେ ଦୁଇ ଚକିଆ ଗାଡ଼ି ଚାଳକଙ୍କ ହେଲମେଟ୍, ଡ୍ରାଇଭିଂ ଲାଇସେନ୍ସ ଚେକିଂ ଏବଂ ବର୍ତ୍ତମାନ ସ୍ଥିତିରେ ଫଟୋ ଉଠାଇ ତାହାକୁ ଇ-ଚାଲାଣ କାଟି ଦେବାରେ ସୀମିତ ରହୁଛି ପଦକ୍ଷେପ। ସହରର ଭିଡ ରାସ୍ତାରେ ଏଭଳି ଚେକିଂ ଚାଲିଥିବା ବେଳେ ଅନ୍ୟପଟେ ବେଆଇନ ଭାରୀଯାନ ଚଳାଚଳକୁ ଖୋଲା ଛାଡି ଦିଆଯାଇଛି। ସହରରେ ଏବଂ ରାଜରାସ୍ତାରେ ଅତ୍ୟନ୍ତ ବେପରୱା ଢଙ୍ଗରେ ଚଳାଚଳ କରୁଥିବା ଅଧିକାଂଶ ବାଲି ବୋଝେଇ ହାଇୱା, ଟ୍ରାକ୍ଟର ଗୁଡ଼ିକର ଲାଇସେନ୍ସ, ବୀମା, ଫିଟନେସ୍ ସାର୍ଟିଫିକେଟ୍ ଇତ୍ୟାଦି ନଥିବା ଜଣା ପଡିଛି। ଏହି ଗାଡ଼ି ଗୁଡ଼ିକୁ ଚଳାଉଥିବା ଅଧିକାଂଶ ବ୍ୟକ୍ତିଙ୍କର ଡ୍ରାଇଭିଂ ‌ଲାଇସେନ୍ସ ବି ନାହିଁ।

କିନ୍ତୁ ଏହି ଗାଡ଼ି ଗୁଡିକର ଯାଞ୍ଚ ହେଉ ନାହିଁ। କଟକର ମଧୁପାଟଣା ଛକରୁ ଆରମ୍ଭ କରି ‌ଶିଖରପୁର ଛକ ଏବଂ ଅନ୍ୟପଟେ ପ୍ରେସ୍ ଛକ ପର୍ଯ୍ୟନ୍ତ ବସ୍ ଗୁଡିକ ମନଇଚ୍ଛା ଅଟକି ଯାତ୍ରୀ ଉଠାଉଛନ୍ତି। ବାଦାମବାଡିରୁ ମଧୁପାଟଣା ଛକ ରାସ୍ତାରେ ବି ଅନୁରୂପ ସ୍ଥିତି ଦେଖିବାକୁ ମିଳୁଛି। ବିଭିନ୍ନ ସମୟରେ ବେଆଇନ୍ ଭାବେ ଗାଡ଼ି ଅଟକି ରହିବା ଘଟଣା ଦୁର୍ଘଟଣା ଏବଂ ଟ୍ରାଫିକ୍ ଜାମ୍‌ର କାରଣ ହେଉଛି। ଟ୍ରାଫିକ ଛକ ନିକଟରେ ଏଭଳି ଘଟଣା ଘଟୁଥିବା ବେଳେ ପୁଲିସ ସେଠି ଧରପଗଡ଼ ନ କରି ଅଥବା ଜରିମାନା ଆଦାୟ ନ କରି, ଦୁଇ ଚକିଆ ଗାଡ଼ି ଚାଳକଙ୍କ ହେଲମେଟ୍ ଉପରେ ନଜର ରଖୁଛି। ଶିଖରପୁର ଠାରୁ ପ୍ରେସଛକ ଯାଏ ଜାତୀୟ ରାଜପଥର ଉଭୟ ପଟରେ ବେଆଇନ୍ ଭାବେ ଗାଡ଼ି ପାର୍କିଂ ହୋଇ ରହିବା ଫଳରେ ଦୁର୍ଘଟଣା ଘଟୁଛି ଏବଂ ଟ୍ରାଫିକ ଜାମ୍ ହେଉଛି। କିନ୍ତୁ ତା’ ଉପରେ ବି ପୁଲିସର ନଜର ପଡ଼ୁନି। ଯେଉଁ ବେଆଇନ କାର୍ଯ୍ୟକଳାପ ଯୋଗୁଁ ଦୁର୍ଘଟଣା ଘଟୁଛି, ତାହାକୁ ନଜର ଅନ୍ଦାଜ କରି ପୁଲିସ କେବଳ ଦୁଇ ଚକିଆ ଗାଡ଼ିର ହେଲମେଟ୍ ଏବଂ ଡିଏଲ୍ ଯାଞ୍ଚ କରିବା ଘଟଣା ବିଭିନ୍ନ ମହଲରେ ସନ୍ଦେହର କାରଣ ହୋଇଛି। ପୁଲିସ ବେଆଇନ ଭାବେ ଚଳାଚଳ କରୁଥିବା ଭାରୀଯାନ ଗୁଡିକର ନିୟମିତ ଯାଞ୍ଚ କଲେ ଦୁର୍ଘଟଣା ହ୍ରାସ ସହିତ, ସରକାରଙ୍କ ରାଜସ୍ବ ବି ବୃଦ୍ଧି ପାଇପାରନ୍ତା ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର