କଟକ: ଦିନ କେଇଟା ପରେ ଫନି ବାତ୍ୟାକୁ ଅଢେଇ ବର୍ଷ ହେବ। ମାତ୍ର ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ରେଭେନ୍ସା ବିଶ୍ବବିଦ୍ୟାଳୟ ହେରିଟେଜ୍ ହଲ୍ର ମରାମତି କାମ ଆଜି ସୁଦ୍ଧା ହୋଇପାରିଲା ନାହିଁ। ୧୯୩୬ରେ ଓଡ଼ିଶାର ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାପରେ ଓଡ଼ିଶା ପ୍ରାଦେଶିକ ସଭା ଏହି ହଲ୍ରେ ୧୫ ବର୍ଷ ଧରି ଚାଲିଥିଲା। ଓଡ଼ିଶା ଇତିହାସରେ ରେଭେନ୍ସା ହେରିଟେଜ୍ ହଲ୍ର ସ୍ବତନ୍ତ୍ରତା ରହିଛି। ମାତ୍ର ଫନିର ଅଢେଇ ବର୍ଷ ପରେ ବି ଏହାର ମରାମତି ନ ହେବା ଓ ତାଲା ପଡି ରହିବା ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟାର କାରଣ ହୋଇଛି।
ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାପରେ ୧୯୩୭ରୁ ୧୯୫୨ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି ଏଠାରେ ଓଡ଼ିଶା ପ୍ରାଦେଶିକ ସଭା ବସିଥିଲା। ନୂଆ ଓଡ଼ିଶା ଗଠନ ପାଇଁ ବହୁ ମହାନ ଓ ବିଶିଷ୍ଟ ବ୍ୟକ୍ତି ଏହି ଗୃହରେ ବସି ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିଲେ। ରେଭେନ୍ସାର ଏହି ହଲ୍ଟି ବିଶ୍ବବିଦ୍ୟାଳୟ ସହିତ ସମଗ୍ର ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଏକ ଗୌରବର ବିଷୟ। ମାତ୍ର ୨୦୧୯ ମେ’ ୩ ତାରିଖରେ ଆସିଥିବା ଫନି ବାତ୍ୟାରେ ଉକ୍ତ ହଲର କାଚ କବାଟ ଗୁଡିକ ଭାଙ୍ଗି ଯାଇଥିଲା। ଏହା ପୂର୍ବରୁ ଏହାର ଚଟାଣ ଓ କାନ୍ଥରେ ଲାଗିଥିବା କାଠରେ ଉଈ ଲାଗି ନଷ୍ଟ ହୋଇ ଯାଇଥିଲା। ଚଟାଣ ଓ କାନ୍ଥରେ ଉଈ ଲାଗିବା ପରେ ବି ଏହାକୁ ବିଭିନ୍ନ ସଭା ସମିତି ପାଇଁ ବ୍ୟବହାର କରାଯାଉଥିଲା।
ହେଲେ ବାତ୍ୟାରେ ହଲ୍ର କବାଟ ଓ ଛାତରେ ଲାଗିଥିବା କାଚ ଭାଙ୍ଗିବା ପରେ ଏହାକୁ ବ୍ୟବହାର କରା ନଯାଇ ବନ୍ଦ କରି ଦିଆଯାଇଥିଲା। ଏହା ମଧ୍ୟରେ ବାତ୍ୟାକୁ ଅଢେଇ ବର୍ଷ ପୂରିବାକୁ ବସିଥିବା ବେଳେ ଏହାର ମରାମତି କାମ ଏବେ ସୁଦ୍ଧା ହେଲା ନାହିଁ। ଏହାର ମରାମତି କରିବା ଦିଗରେ କର୍ତ୍ତୃପକ୍ଷ ଆନ୍ତରିକତା ଦେଖାଉ ନଥିବା ବେଳେ ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ପୂର୍ବରୁ ହଲ୍ ମରାମତି ପାଇଁ ସିପିଡବ୍ଲୁସିକୁ ଚୟନ କରାଯାଇ ଥିବା ବେଳେ ଏବେ ପୁଲିସ ହାଉସିଂ କର୍ପୋରେସନକୁ ଏହାର ଦାୟିତ୍ବ ଦିଆଯାଇଛି। ହଲ୍ର ମରାମତି ଦାୟିତ୍ବ କେଉଁ ସଂସ୍ଥାକୁ ଦିଆଯିବ ଏହା କର୍ତ୍ତୃପକ୍ଷ ସ୍ଥିର କରିପାରୁ ନଥିବାରୁ ସମୟ ଗଡି ଚାଲୁଥିବାର ଅଭିଯୋଗ ହୋଇଛି। ହେରିଟେଜ୍ ହଲ୍ର ମରାମତି ଦାୟିତ୍ବ ଏବେ ପୁଲିସ ହାଉସିଂ କର୍ପୋରେସନ୍କୁ ଦିଆଯାଇଛି। ଏଥିପାଇଁ ଏଷ୍ଟିମେଟ୍ ଦେବାକୁ ବିଭାଗକୁ କୁହାଯାଇଛି। ମରାମତି କାମ କିପରି ଶିଘ୍ର ଆରମ୍ଭ ହେବ ଏଦିଗରେ ଉଦ୍ୟମ କରାଯାଉଛି ବୋଲି ବିଶ୍ବବିଦ୍ୟାଳୟ ଉନ୍ନୟନ ଅଧିକାରୀ ଡକ୍ଟର କିଶୋର କୁମାର ଦାସ କହିଛନ୍ତି।