ବୈଠକ ଡାକିବାକୁ ମୁଖ୍ୟ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶିଶୁପାଳଗଡ଼ ସୁରକ୍ଷା ପ୍ରସଂଗ

କଟକ: ଶିଶୁପାଳଗଡ଼ ସୁରକ୍ଷା ସଂପର୍କିତ ମାମଲାର ହାଇକୋର୍ଟ ଶୁଣାଣି କରି ମୁଖ୍ୟ ଶାସନ ସଚିବଙ୍କୁ ଏକ ମାସ ଭିତରେ ବୈଠକ ଡାକିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ), ଖୋର୍ଦ୍ଧା ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନର ଅଧିକାରୀ, ବିଡିଏ, ବିଏମସି, ଆବେଦନକାରୀ, ଗଙ୍ଗୋତ୍ରୀନଗର ଡେଭେଲପ୍‌ମେଣ୍ଟ କମିଟି ପ୍ରତିନିଧି ଓ ଅନ୍ୟ ପକ୍ଷଙ୍କୁ ନେଇ ଏହି ବୈଠକ କରାଯିବ। ଶିଶୁପାଳଗଡ଼ର ସଂରକ୍ଷିତ ଅଞ୍ଚଳର ସୁରକ୍ଷା ଓ ଏହାର ଚାରି ପାଖେ ପାଚେରି ନିର୍ମାଣ ପ୍ରସଂଗରେ ବୈଠକରେ ଆଲୋଚନା କରାଯିବ। ପରବର୍ତ୍ତୀ ଶୁଣାଣି ସମୟରେ ବୈଠକର ବିବରଣୀ ଦାଖଲ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟି୍‌ସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ଶୁଣାଣି ସମୟରେ ଏଏସ୍‌ଆଇ ପକ୍ଷରୁ ଦର୍ଶାଯାଇଥିଲା ଯେ ଶିଶୁପାଳଗଡ଼ର ୫୬୨ ଏକର ୬୮୧ ଡିସିମିଲ୍‌ ଜମି ସୀମା ନିର୍ଦ୍ଧାରଣ କରାଯାଉ। ନିୟମ ଅନୁସାରେ ଜିଲ୍ଲାପାଳ ସଂରକ୍ଷିତ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରିବା କଥା। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ସରକାର ଶିଶୁପାଳଗଡ଼ ସୁରକ୍ଷା ପାଇଁ କରୁଥିବା ବୈଠକକୁ ଏଏସ୍‌ଆଇ ଅଧିକାରୀଙ୍କୁ ଡାକିବା ସତ୍ତ୍ବେ ସେମାନେ ଆସୁ ନାହାନ୍ତି। କେନ୍ଦ୍ର ସରକାରଙ୍କ ୧୯୫୦, ନଭେମ୍ବର ୧୩ର ଗେଜେଟ୍‌ ବିଜ୍ଞପ୍ତି ଅନୁସାରେ ଶିଶୁପାଳଗଡ଼ର ସଂରକ୍ଷିତ ଅଞ୍ଚଳ ୫୬୨ ଏକର ୬୮୧ ଡିସିମିଲ୍‌ ହୋଇଥିବା ବେଳେ ୧୯୮୦ରେ ଏଏସ୍‌ଆଇ ୭୭୫ ଡିସିମିଲ୍‌ ଜମି ଅଧିଗ୍ରହଣ କରିଥିଲା। ଏହି ଜମି ପରବର୍ତ୍ତୀ ସମୟରେ ଏଏସ୍‌ଆଇ ନାଁରେ ରେକର୍ଡଭୁକ୍ତ ହୋଇଥିଲା।

ପ୍ରତ୍ନତାତ୍ତ୍ବିକ ଖନନ ପାଇଁ ଏହି ଅଞ୍ଚଳରେ ୧୭ ଏକର ୮୧୮ ଡିସିମିଲ୍‌ ଜମି ଅଧିଗ୍ରହଣ ପାଇଁ ଏଏସ୍‌ଆଇ ପ୍ରସ୍ତାବ ଦାଖଲ କରିଥିଲା। କିନ୍ତୁ ଏଏସ୍‌ଆଇ ଡିଜିଙ୍କ ମଞ୍ଜୁରି ନ ମିଳିବାରୁ ଏହି ଜମି ଅଧିଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇ ପାରି ନଥିଲା। ଏହି ଜମିରୁ ଅଧିକାଂଶ ଏବେ ଘରୋଇ ମାଲିକାନାରେ ରହିଛି। ଘରୋଇ ଜମି ମାପ ପାଇଁ ଏଏସ୍‌ଆଇ ସଂପୃକ୍ତ ବ୍ୟକ୍ତିଙ୍କ ଅନୁମତି ଆଣି ଭୁବନେଶ୍ବର ତହସିଲଦାରଙ୍କୁ ଅବଗତ କରୁ, ଆବଶ୍ୟକ ଫି ଦାଖଲ କରୁ ଓ ଅନ୍ୟାନ୍ୟ ଔପଚାରିକତା ପୂରଣ କରୁ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏହି ମାମଲାରେ ପକ୍ଷଭୁକ୍ତ ହେବାକୁ ଗ‌ଙ୍ଗୋତ୍ରୀନଗର ଡେଭେଲପମେଣ୍ଟ କମିଟି ଦାଖଲ କରିଥିବା ଇଣ୍ଟରଭେନସନ୍ ପିଟିସନ୍‌ରେ ଦର୍ଶାଯାଇଥିଲା ଯେ କମିଟି ସଦସ୍ୟ ପରିବାରଗୁଡିକ ଏହି ଅଞ୍ଚଳରେ ଶହେବର୍ଷରୁ ଅଧିକ ସମୟ ଧରି ରହି ଆସୁଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୧୦କୁ ଧାର୍ଯ୍ୟ କରାଯାଇଛି। ଏଏସ୍‌ଆଇ ତରଫରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର