ଦୁଷ୍କର୍ମ ମାମଲାରେ ଆଜୀବନ କରାଦଣ୍ଡାଦେଶ ରାୟକୁ ରଦ୍ଦ କଲେ ହାଇକୋର୍ଟ, ୧୭ ବର୍ଷ ପରେ ଜେଲ୍‌ରୁ ମୁକ୍ତି

କଟକ : ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ସହିତ ଦୁଷ୍କର୍ମ ଅଭିଯୋଗ ମାମଲାରେ ଦୋଷୀ ସାବ୍ୟସ୍ତ ଜଣେ ଅଭିଯୁକ୍ତକୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୧୨, ଜାନୁଆରି ୧୯ରେ ଭୁବନେଶ୍ବର ଅତିରିକ୍ତ ଦୌରାଜଜ୍ ଅଦାଲତ ଦିଲ୍ଲୀପ କୁମାର ସ୍ବାଇଁଙ୍କୁ ଆଇପିସିର ଦଫା ୩୭୬(୨)(ଜି) ଓ ଏସ୍‌ସି ଆଣ୍ଡ୍ ଏସଟି (ପିଏ) ଆଇନର ଧାରା ୩ରେ ଦୋଷୀ ସାବ୍ୟସ୍ତ କରି ପ୍ରଦାନ କରିଥିବା ଆଜୀବନ କରାଦଣ୍ଡାଦେଶ ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୧୭ ବର୍ଷ ହେବ ଜେଲ୍‌ରେ ଥିବା ଦିଲ୍ଲୀପଙ୍କୁ ଏହି ମାମଲାରେ ଜେଲରୁ ମୁକ୍ତ କରବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏସ.କେ.ମିଶ୍ର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୩, ସେପ୍ଟେମ୍ବର ୬ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ପୀଡ଼ିତାଙ୍କ ସହିତ ଦୁଇ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରିବା ସହିତ ପୀଡ଼ିତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଇଥିଲା। ଧାରା ୧୬୪ରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଆବେଦନକାରୀଙ୍କୁ ଗିରଫ କରାଯାଇଥିଲା। ୨୦୦୪, ଜାନୁଆରି ୩ରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ ପରେ ଅଦାଲତରେ ଶୁଣାଣି ଆରମ୍ଭ ହୋଇଥିଲା। ଭୁବନେଶ୍ବର ଅତିରିକ୍ତ ଦୌରାଜଜ୍ ଅଦାଲତରେ ମାମଲାର ଶୁଣାଣି ସମୟରେ କିନ୍ତୁ ପୀଡ଼ିତାଙ୍କ ବୟାନରେ ତାଳମେଳ ରହି ନଥିଲା। ତାଙ୍କ ସହିତ ଦୁଷ୍କର୍ମ ହୋଇଥିବା ପୀଡ଼ିତା କହିଥିଲେ ମଧ୍ୟ ଆବେଦନକାରୀଙ୍କ ସଂପୃକ୍ତି ସଂପର୍କରେ କିଛି କହି ନଥିଲେ। ଅଦାଲତ ମାମଲାରେ ଦିଲ୍ଲୀପଙ୍କୁ ‌ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଅତିରିକ୍ତ ଦୌରାଜଜ୍‌ଙ୍କ ରାୟ ବିରୋଧରେ ଦିଲ୍ଲୀପ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅଶୋକ କୁମାର ଷଡ଼ଙ୍ଗୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର