ପୌର ନିଗମ ରାଜସ୍ବ ବୃଦ୍ଧି ପାଇଁ ଉଚ୍ଚସ୍ତରୀୟ ବୈଠକ

ଚଳିତ ଆର୍ଥିକ ବର୍ଷରେ ଆୟକୁ ଦୁଇଗୁଣ ପାଇଁ ଯୋଜନା, ୟୁଜର୍ସ ଫି’ ଓ ଦୋକାନ ଘର ଭଡ଼ା ଆଦାୟକୁ ଗୁରୁତ୍ବ

କଟକ: ପୌର ନିଗମ ରାଜସ୍ବ ବୃଦ୍ଧି ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ନିଗମର ବିଜୁ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମେୟର ସୁବାସ ସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ପୌର ନିଗମର ଆୟକୁ ଦୁଇ ଗୁଣ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ନିଗମର ୨୦୨୨-୨୩ ଆର୍ଥିକ ବର୍ଷରେ ଆୟକୁ ୫୦ କୋଟିରୁ ଶହେ କୋଟି କରିବାକୁ ସଭାରେ ସ୍ଥିର ହୋଇଛି। ବି‌ଶେଷ ଭାବେ ନିଗମ ଅଧୀନରେ ଥିବା ୪୩ଟି ମାର୍କେଟ କମ୍ପ୍ଲେକ୍ସର ୬୪୬ ଦୋକାନ ଘରୁ ଭଡା ଆଦାୟକୁ ଏଥିରେ ଗୁରୁତ୍ବ ଦିଆଯାଇଛି। ୩୦ ବର୍ଷ ତଳେ ସ୍ଥିର ହୋଇଥିବା ଘର ଭଡା ବୃଦ୍ଧି କରିବା ସହ ବାକି ଟଙ୍କା ଆଦାୟ କରିବାକୁ ଏଥିରେ ସ୍ଥିର ହୋଇଛି। ଘରଭଡା ନେଇଥିବା ଦୋକାନୀଙ୍କ ଉପରେ ବର୍ଷ ବର୍ଷ ଧରି ଗଡୁଥିବା ବାକି ଟଙ୍କା ଆଦାୟ ସହ ଆଜିର ବଜାର ମୂଲ୍ୟକୁ ନେଇ ଘର ଭଡା ସ୍ଥିର କରି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଚିଠି କରିବାର ତିନି ମାସ ମଧ୍ୟରେ ବାକି ଟଙ୍କା ନମିଳିଲେ ଦୋକାନ ସିଲ୍‌ କରାଯିବ ବୋଲି ମେୟର କହିଛନ୍ତି। ସେହିପରି ସହରରେ ଥିବା କଲ୍ୟାଣମଣ୍ଡପଗୁଡିକରୁ ୟୁଜର୍ସ ଫି’ ଆଦାୟକୁ ଗୁରୁତ୍ବ ଦିଆଯାଇଛି। ପୌର ନିଗମ ନିକଟରେ ପଞ୍ଜିକୃତ ହୋଇଥିବା ୭୪ଟି କଲ୍ୟାଣ ମଣ୍ଡପରୁ ମାତ୍ର ୩୬ଟି ମଣ୍ଡପରୁ ୟୁଜର୍ସ ଫି’ ଆଦାୟ ହେଉଥିବା ବେଳେ ଅନ୍ୟମାନେ ଏହାକୁ ଦେଉନଥିବାରୁ ଏହା ଉପରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ସହରର ସମସ୍ତ କଲ୍ୟାଣମଣ୍ଡପକୁ ନିଗମ ନିକଟରେ ପଞ୍ଜୀକରଣ କରିବାକୁ ନିର୍ଦ୍ଦଶ ଦିଆଯିବା ସହିତ ସବୁ ମଣ୍ଡପରୁ ୟୁଜର୍ସ ଫି’ ଦେବାକୁ କୁହାଯିବ। ଯେଉ ମଣ୍ଡପ ଏହାକୁ ପାଳନ କରି‌ବେ ନାହିଁ ସେଗୁଡିକୁ ସିଲ୍‌ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ ନିଗମର ୫୯ଟି ୱାର୍ଡରେ ବ୍ୟବସାୟ କରୁଥିବା ଉଠା ଦୋକନୀ, ଠେଲା ଦୋକାନୀଙ୍କଠାରୁ ଆରମ୍ଭ କରି ବଡ ମଲ୍‌ଗୁଡ଼ିକର ତାଲିକା ପ୍ରସ୍ତତ ହେବ। ୱାର୍ଡର ସାନିଟାରି ଇନ୍‌ସପେକ୍ଟର, ସିଓ, ସ୍ବଚ୍ଛସାଥୀଙ୍କଠାରୁ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ସେମାନଙ୍କ ୱାର୍ଡରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଓ ସମସ୍ତ ଦୋକାନୀଙ୍କ ତାଲିକା ପ୍ରସ୍ତୁତ କରି ନିଗମକୁ ଦେବାକୁ କୁହାଯାଇଛି। ଉକ୍ତ ତଥ୍ୟକୁ ଆଧାର କରି ଏକ ଡାଟାବେସ୍‌ ପ୍ରସ୍ତୁତ କରିବା ସହ ସମସ୍ତ ବ୍ୟବସାୟଙ୍କ ଠାରୁ ୟୁଜର୍ସ ଫି’ ଆଦାୟ କରିବାକୁ ବୈଠକରେ ସ୍ଥିର ହୋଇଛି। ଏଥିରେ ପ୍ରତ୍ୟେକ ବ୍ୟବସାୟୀ ନିଗମ ନିକଟରେ ପଞ୍ଜିକୃତ ହେବା ସହ ସରକାରଙ୍କ ବିଭିନ୍ନ ସୁଯୋଗରେ ଉପକୃତ ହୋଇପାରିବ ବୋଲି କୁହାଯାଇଛି। ପୌର ନିଗମର ୨୦୨୨-୨୩ ବର୍ଷର ରାଜସ୍ବ ୫୦ କୋଟିରୁ ଶହେ କୋଟି କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ନିଗମର ଘର ଭଡା, ସମସ୍ତ କଲ୍ୟାଣ ମଣ୍ଡପରୁ ୟୁଜର୍ସ ଫି’ ଓ ସହରର ଛୋଟବଡ ସମସ୍ତ ବ୍ୟବସାୟୀଙ୍କଠାରୁ ୟୁଜର୍ସ ଫି’ ଆଦାୟ କରିାଯିବ ବୋଲି ମେୟର ଶ୍ରୀ ସିଂହ କହିଛନ୍ତି। ଯେଉଁମାନେ ଘର ଭଡା ଓ ୟୁଜର୍ସ ଫି’ ଦେବେନାହିଁ ସେମାନଙ୍କ ବିରେରାଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର କଡା ଚେତାବନୀ ଶୁଣାଇଛନ୍ତି। ବୈଠକରେ କମିସନର ନିଖିଲ୍‌ ପୱନ୍‌ କଲ୍ୟାଣ, ଡେପୁଟି ମେୟର ତଥା ଟିକସ ଓ ଅର୍ଥ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଦମୟନ୍ତୀ ମାଝୀ, ଆବେଦନ ଓ ଲାଇସେନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଏ.ଶ୍ରୀଦେବୀଙ୍କ ସମେତ ନିଗମର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର