କଟକ: ବାଲିଯାତ୍ରାରେ ବର୍ଷ ବର୍ଷ ଧରି ଯାତ୍ରୀଙ୍କୁ ଶୋଷଣ କରିଆସୁଥିବା ଅଟୋ ଚାଳକଙ୍କ ଉପରେ କାହିଁକି ଲାଗୁ ନାହିଁ କଟକଣା? ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ବାଲିଯାତ୍ରା ପଡ଼ିଆକୁ ଯାଉଥିବା ଅଟୋର ସରକାରୀ ମୂଲ୍ୟ ୩୦ ଟଙ୍କା ଥିବା ବେଳେ କାହିଁକି ଅଟୋ ଚାଳକ ଡବଲ୍ ଭଡ଼ା କସୁଛନ୍ତି? କୌଣସି ଗୋଟିଏ ବି ଅଟୋରେ ଭଡ଼ା ତାଲିକା ଲାଗି ନାହିଁ। ଜିଲ୍ଲା ବାହାରୁ ଆସୁଥିବା ଯାତ୍ରୀ ଅଧିକ ସଂଖ୍ୟାରେ ଶୋଷଣର ଶିକାର ହେଉଛନ୍ତି। ଏହା ଉପରେ ଜିଲ୍ଲାପ୍ରଶାସନ, ପୁଲିସ କିମ୍ବା ଆରଟିଓ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। କଟକ ରେଳ ଷ୍ଟେସନ, ଓଏମପି, ବାଦାମବାଡ଼ି ବସ୍ ଷ୍ଟାଣ୍ଡ, ଲିଙ୍କରୋଡରୁ ସିଧା ବାରବାଟୀ ଷ୍ଟାଡିୟମକୁ ଯାଉଥିବା ଅଟୋରେ ସାଧାରଣ ଦିନମାନଙ୍କରେ ଯାତ୍ରୀ ପିଛା ୩୦ ଟଙ୍କା ମୂଲ୍ୟ ଧାର୍ଯ୍ୟ ହୋଇଛି। ଶେଷ ଥର ୨୦୨୦ରେ ଉଭୟ ଆରଟିଓ ଓ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ବାରା ଏହି ଭଡ଼ା ଧାର୍ଯ୍ୟ ହୋଇଛି। ତେଲ ଦର ବୃଦ୍ଧି ହେଲେ ଅଟୋ ଭଡ଼ା ପରିବହନ ବିଭାଗ ଧାର୍ଯ୍ୟ କରିଥାଏ। କିନ୍ତୁ ବାଲିଯାତ୍ରା ସମୟରେ ଏହି ଛକମାନଙ୍କୁ ବାଲିଯାତ୍ରା ପଡ଼ିଆରୁ ଯାଉଥିବା ଅଟୋର ମୂଲ୍ୟ ଆଦୌ ସ୍ଥିର ନୁହେଁ। ବାଲିଯାତ୍ରା ପଡ଼ିଆକୁ ଯାଉଥିବା ଅଟୋ ଯାତ୍ରୀଙ୍କୁ କେବିକେ ରୋଡ୍, କେମ୍ବ୍ରିଜ ସ୍କୁଲ, ବିଜୁ ପଟ୍ଟନାୟକ ଛକ, ମାତା ମଠ ଛକରେ ଛାଡ଼ୁଥିବା ବେଳେ ସେମାନଙ୍କ ନିକଟରୁ ଡବଲ୍ ଭଡ଼ା ଆଦାୟ କରୁଛି।
୬୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଭଡ଼ା ଦାବି କରୁଛନ୍ତି। ବାଧ୍ୟ ହୋଇ ଯାତ୍ରୀ ଭଡ଼ା ଦେଉଛନ୍ତି। ଭଡ଼ା ଅଧିକ ଆଦାୟ କରୁଥିବା ଅଟୋ ଚାଳକଙ୍କ ବିରୋଧରେ ପୁଲିସ କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ସହାୟତା ଦେବାକୁ ସ୍ବତନ୍ତ୍ର ଯୋଗାଯୋଗ ନମ୍ବର ବ୍ୟବସ୍ଥା ବି କରିନାହିଁ। ଅଟୋ ଚାଳକଙ୍କ ଏଭଳି ଦାଦାଗିରିକୁ ରୋକିବା ପାଇଁ ପ୍ରଶାସନ ଏକ ପ୍ରକାର ଅସହାୟ ହୋଇପଡ଼ିଛି। କଟକ ଅଟୋ ମହାସଂଘର ଉପ ସଭାପତି ଦେବେନ୍ଦ୍ର ପାଣିଗ୍ରାହୀଙ୍କ କହିବା ଅନୁଯାୟୀ, ବାଲିଯାତ୍ରାରେ ଭଡ଼ା ବାବଦରେ ଜିଲ୍ଲା ପ୍ରଶାସନ ଅଟୋ ଚାଳକ ସଂଘ ସହିତ ଆଲୋଚନା କରିବାର ଯୋଜନା ଥିଲା। କିନ୍ତୁ କୌଣସି ଆଲୋଚନା ହେଲା ନାହିଁ। ଭିଡ଼ ଯୋଗୁଁ ଷ୍ଟେସନ ଓ ବସ ଷ୍ଟାଣ୍ଡରୁ ବାଲିଯାତ୍ରା ପଡ଼ିଆକୁ ଯାଉଥିବା ଅଟୋ ମୁଖ୍ୟ ରାସ୍ତାରେ ନଯାଇ ଗଳି ରାସ୍ତାରେ ଯାଉଛନ୍ତି। ସେଥିପାଇଁ ସେମାନେ ଭଡ଼ା ଅଧିକ ନେଉଛନ୍ତି। ଅଟୋରେ ଭଡ଼ା ତାଲିକା ଲଗାଇବା ପାଇଁ କୌଣସି ନିର୍ଦ୍ଦେଶନାମା ନାହିଁ। ଯଦି ପ୍ରଶାସନ ସେଭଳି କଟକଣା କରେ ତେବେ ସବୁ ଅଟୋ ଲଗାଇବାକୁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଅନ୍ୟପଟେ କଟକର ଜଣେ ଯାତ୍ରୀ ସୁବାସ ଚନ୍ଦ୍ର ଦାସଙ୍କ କହିବା ଅନୁଯାୟୀ, ବାଲିଯାତ୍ରା ସମୟରେ ଅସାମାଜିକ ଅଟୋ ଚାଳକ ଧାର୍ଯ୍ୟ ମୂଲ୍ୟଠୁ ଅଧିକ ଯାତ୍ରୀଙ୍କଠାରୁ ନେଉଛନ୍ତି। ଜିଲ୍ଲା ପ୍ରଶାସନ କିମ୍ବା ପୁଲିସ ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏହାଦ୍ବାରା ସାଧାରଣ ଯାତ୍ରୀ ଶୋଷଣର ଶିକାର ହେଉଥିବା ଶ୍ରୀ ଦାସ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/MAHARASHTRA-1488426768091027.jpg)