ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ଯୋଜନା: ରାଜ୍ୟରେ ୮୦ ଲକ୍ଷ ଗାଡ଼ି, ୪ ମାସରେ ସରିବ କେମିତି?
କଟକ: ରାଜ୍ୟ ପରିହବନ ବିଭାଗ ହାଇସିକ୍ୟୁରିଟ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ ଲଗାଇବା ପାଇଁ ଅବଧି ବଢାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଯେଉଁ ଗାଡି ଗୁଡିକର ପଞ୍ଜିକୃତ ଶେଷ ଅଙ୍କ ୧ କିମ୍ବା ୨ରେ ଶେଷ ହେଉଛି ତାହାର ନୂଆ ନମ୍ବର ପ୍ଲେଟ୍ ଅବଧିକୁ ସେପ୍ଟମ୍ବର ୩୦ ତାରିଖକୁ ବଢାଇ ଦିଆଯାଇଛି। ସେହିଭଳି ଯାହାର ରେଜିଷ୍ଟ୍ରେସନ ନମ୍ବରର ଶେଷ ଅଙ୍କ ୩ ଓ ୪ରେ ଶେଷ ହେଉଥିବ, ସେହି ଗାଡି ଗୁଡିକର ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ମଧ୍ୟ ସେପ୍ଟେମ୍ବର ୩୦କୁ ଧାର୍ଯ୍ୟ କରାଯାଇଛି। ୫ ଓ ୬ ଶେଷ ଅଙ୍କ ଥିବା ଗାଡି ଗୁଡିକ ପାଇଁ ଶେଷ ତାରିଖ ଅକ୍ଟୋବର ୩୧ ତାରିଖ, ୭ ଓ ୮ରେ ଶେଷ ହେଉଥିବା ଗାଡି ଗୁଡିକ ପାଇଁ ୩୦ ନଭେମ୍ବର, ୯ ଓ ୦ ଶେଷ ଅଙ୍କ ଥିବା ଗାଡି ଗୁଡିକ ପାଇଁ ଡିସେମ୍ବର ୩୦ ତାରିଖକୁ ଧାର୍ଯ୍ୟ କରାଯାଇଛି।
ପରିବହନ ବିଭାଗର ଯୁଗ୍ମ କମିସନର ଦୀପ୍ତିରଂଜନ ପାତ୍ର କହିଛନ୍ତି ଯେ ୨୪.୮.୨୨ ତାରିଖ ସୁଦ୍ଧା ମୋଟ ୭ ଲକ୍ଷ ୬ ହଜାର ୨୧୫ଟି ଗାଡି ମାଲିକ ସ୍ଳଟ୍ ବୁକ୍ କରିଛନ୍ତି। ସେଥି ମଧ୍ୟରୁ ୪ ଲକ୍ଷ ୮ ହଜାର ୬୮୦ଟି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ସାରିଛି। ସେ କହିଛନ୍ତି ଯେ ଏହି ନମ୍ବର ପ୍ଲେଟ୍କୁ ସ୍କାନ୍ କରିବା ସହଜ କିନ୍ତୁ ଟାମ୍ପରିଂ କରିବା ସହଜ ନୁହେଁ। ଧାର୍ଯ୍ୟ ତାରିଖ ସୁଦ୍ଧା ନମ୍ବର ପ୍ଲେଟ୍ ନ ଲଗାଇଲେ ଏଥିପାଇଁ ଜରିମାନା ବ୍ୟବସ୍ଥା କରାଯାଇଛି।
ନିର୍ଧାରିତ ତାରିଖ ଭିତରେ ନମ୍ବର ପ୍ଲେଟ୍ ନ ଲଗାଇଲେ ଚାଲାଣ କଟାଯିବ। ଯେଉଁ ଗାଡି ଗୁଡିକ ଖିଲାପ କରିବେ ସେମାନଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁସାରେ ଚାଲାଣ ଜାରି କରାଯିବ। ଏଥିପାଇଁ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜରିମାନା ହେବ। ତେବେ ପରିବହନ ବିଭାଗର ତଥ୍ୟକୁ ନେଇ ଏବେ ଏକ ବଡ ପ୍ରଶ୍ନ ଉଠିଛି। ରାଜ୍ୟରେ ହାରାହାରି ୮୦ଲକ୍ଷ ଗାଡି ରହିଛି। ସେଥରୁ ୨୦୧୯ ପୂର୍ବରୁ କିଣା ହୋଇଥିବା ଗାଡି ସଂଖ୍ୟା ୭୦ଲକ୍ଷରୁ ଅଧିକ ହେବ। ପରିବହନ ବିଭାଗ ୪ ମାସ ଭିତରେ ମାତ୍ର ୪ ଲକ୍ଷ ଗାଡିରେ ଏହି ନମ୍ବର ପ୍ଲେଟ୍ ଲଗାଇବାକୁ ସମର୍ଥ ହୋଇଛି। ଏବେ ବି ୩ ଲକ୍ଷ ଲୋକ ସ୍ଲଟ୍ ବୁକ୍ କରି ନମ୍ବର ପ୍ଲେଟ ଲଗାଇ ପାରିନାହାନ୍ତି। ମାତ୍ର ଆସନ୍ତା ଡିସେମ୍ବର ଭିତରେ କିଭଳି ଅବଶିଷ୍ଟ ୬୦ ଲକ୍ଷରୁ ଅଧିକ ଗାଡିରେ ଏହି ନମ୍ବର ପ୍ଲେଟ୍ ଲଗାଯିବ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।