ଗରିବ ଲୋକଙ୍କ ନାଁରେ ଜିଏସଟି ଠକେଇ ପ୍ରସଂଗ; ହାଇକୋର୍ଟଙ୍କ ଜବାବ ତଲବ

କଟକ: ରାଜ୍ୟରେ ଗରିବ ଲୋକଙ୍କ ନାଁରେ ଚାଲିଥିବା ବ୍ୟାପକ ଜିଏସଟି ଠକେଇ ପ୍ରସଂଗ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଜବାବ ତଲବ କରିଛନ୍ତି। ଜିଏସଟି କମିସନରଙ୍କୁ ଏହି ପ୍ରଂଗରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଉରକେଲାର ରାଜେନ୍ଦ୍ର ପଲ୍ଲାଇଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜନୁଆରି ୧୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଗରିବ ଲୋକଙ୍କ ନାଁରେ ବ୍ୟାପକ ଜିଏସଟି ଜାଲିଆତି ପ୍ରସଂଗରେ ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା। ଆବେଦନରେ ଦର୍ଶାଯାଇଥିଲା ଯେ ପେସାରେ ଅଟୋ ଡ୍ରାଇଭର ଥିବା ଆବେଦନକାରୀ ନିକଟରେ ଜିଏସଟି କମିସନରଙ୍କ କାର୍ଯ୍ୟାଳୟରୁ ଏକ ନୋଟିସ୍ ପାଇଥିଲେ। ତାଙ୍କୁ କର/ଜରିମାନା ବାବଦରେ ୪ କୋଟି ୩୧ ଲକ୍ଷ ୩୯ ହଜାର ୬୭୨ ଟଙ୍କା  ପଇଠ ପାଇଁ ଏହି ନୋଟିସ୍ ଜାରି କରାଯାଇଥିଲା। କଟକ ବକ୍ସିବଜାରର ଏକ କମ୍ପାନିର ଜିଏସଟି ପ୍ରସଂଗରେ ଏହି ନୋଟିସ୍ ଜାରି କରାଯାଇଥିଲା। ରାଉରକେଲା ଉଦିତନଗର ବସ୍ତିର ପାଇପ ମେକାନିକ୍ ସମୀର ଜୋଜୋଙ୍କ ମଧ୍ୟ ସମାନ ଅବସ୍ଥା। ତାଙ୍କ ନାଁରେ ଥିବା ଏକ ସଂସ୍ଥା ପାଇଁ ଜିଏସଟି କମିସନରଙ୍କ କାର୍ଯ୍ୟାଳୟରୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା।

ବଲାଙ୍ଗୀରରେ ମଧ୍ୟ ସମାନ ଧରଣର ଜିଏସଟି ଠକେଇ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଯେଉଁ କମ୍ପାନି ବିଷୟରେ ଏମାନେ ଜାଣି ନାହାନ୍ତି କି ଶୁଣି ନାହାନ୍ତି ତା ନାଁରେ ନୋଟିସ୍ ମିଳିବା ପରେ ଏହି ବ୍ୟକ୍ତିମାନେ ଆଶ୍ଚିର୍ଯ୍ୟ ଚକିତ ହୋଇଥିଲେ। ବିକ୍ରି ଏବଂ ଦ୍ରବ୍ୟ ଓ ସେବା କର ବିଭାଗ ଏପରି ଘଟଣାର ଉପଯୁକ୍ତ ତଦନ୍ତ ନ କରି ନିରୀହ ଲୋକଙ୍କୁ ନୋଟିସ୍ କରି ହଇରାଣ କରୁଛି ବୋଲି ଆବେଦନକାରୀ ଦର୍ଶାଇବା ସହିତ ସମଗ୍ର ଅଭିଯୋଗର ସିବିଆଇ ତଦନ୍ତ କରାଗଲେ ସତ୍ୟ ପଦାକୁ ଆସିବ ବୋଲି ଦର୍ଶାଇଛନ୍ତି।  ଏଭଳି ଠକେଇ ଘଟଣା ପଛରେ କେଉଁମାନେ ରହୁଛନ୍ତି ତାହା ତଦନ୍ତ କରାଯିବା ଉଚିତ। ‌ଏଥି ସହିତ ଯେଉଁ ସରକାରୀ ଅଧିକାରୀ ଏପରି ଘଟଣାର ଉପଯୁକ୍ତ ତଦନ୍ତ ନ କରି ଗରିବ ଓ ସାଧାରଣ  ଲୋକଙ୍କୁ ନୋଟିସ୍ ଜାରି ହଇରାଣ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ ସରକାର, ସିବିଆଇ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର