କଟକ: ସରକାରଙ୍କ ଧାନ ସଂଗ୍ରହ ନୀତି ତ୍ରୁଟିପୂର୍ଣ୍ଣ ଅଭିଯୋଗ ପ୍ରସଂଗ ସଂପର୍କିତ ମାମଲାରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ପାଳନରେ ଅବହେଳା ଦର୍ଶାଇ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ହାଇକୋର୍ଟଙ୍କ ୨୦୨୦, ଅକ୍ଟୋବର ୨୧ର ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ କରି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ବିରୋଧରେ ଏହି ଅଦାଲତ ଅବମାନନା ଦାୟର ହୋଇଛି। ବଲାଙ୍ଗୀରର କୃଷକ ନେତା ଯତି ପ୍ରଧାନଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଧାନ କିଣା ନୀତି ସଂପର୍କିତ ତାଙ୍କ ୨୦୨୦, ମାର୍ଚ୍ଚ ୨୫ର ଅଭିଯୋଗ ଉପରେ ଶୁଣାଣି କରି ଆଇନ ଅନୁସାରେ ଦୁଇ ମାସ ଭିତରେ ଆଦେଶ ପ୍ରଦାନ ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ହାଇକୋର୍ଟ ଗତ ଅକ୍ଟୋବର ୨୧ରେ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସଂଗରେ ଆଇନ ଅନୁସାରେ ନିଷ୍ପତ୍ତି ନେଇ ଆଦେଶ ପ୍ରଦାନ କରିବା ପୂର୍ବରୁ ଜିଲ୍ଲାପାଳ ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ହାଇକୋର୍ଟଙ୍କ ରାୟ ଜିଲ୍ଲାପାଳ ଏ ପର୍ୟ୍ୟନ୍ତ କାର୍ୟ୍ୟକାରୀ କରି ନାହାନ୍ତି ବୋଲି ଦର୍ଶାଇ ଏହି ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଧାନ ସଂଗ୍ରହରେ ସରକାରଙ୍କ ନୀତି ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ଆବେଦନକାରୀ ଗତ ବର୍ଷ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ଧାନର ଅଭାବ ବିକ୍ରି ରୋକିବାକୁ ରାଜ୍ୟ ସରକାର ସବୁ ବର୍ଷ ଧାନ ସଂଗ୍ରହ ପାଇଁ ସ୍ବତନ୍ତ୍ର ନୀତି କରୁଛନ୍ତି। ଚାଷୀ କିପରି ନିଜ ଧାନ ପାଇଁ ଧାର୍ୟ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବେ ତା ଉପରେ ସରକାର ଗୁରୁତ୍ବାରୋପ କରୁଛନ୍ତି। ସାରା ରାଜ୍ୟ ପାଇଁ ଧାନ ସଂଗ୍ରହ ସଂପର୍କିତ ଗୋଟିଏ ନୀତି ରହୁଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ଧାନ ଫସଲ ହୋଇଥାଏ। ଖରିଫ ଫସଲ ସଂଗ୍ରହ ପାଇଁ ନଭେମ୍ବରରୁ ମାର୍ଚ୍ଚ ମାସ ଧାର୍ୟ୍ୟ କରାଯାଉଥିବା ବେଳେ ରବି ଫସଲ ପାଇଁ ମେ’ ରୁ ଜୁନ୍ ଅବଧି ସ୍ଥିର କରାଯାଉଛି। ଏଥି ପାଇଁ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି, ଜିଲ୍ଲାସ୍ତରୀୟ କମିଟି, ସମିତିସ୍ତରୀୟ କମିଟି ଗୁଡିକୁ ଗଠନ କରାଯାଇ ଧାନ ସଂଗ୍ରହକୁ ବ୍ୟବସ୍ଥିତ କରାଯାଉଛି।
କନ୍ତୁ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ନୂଆଁଖାଇ ପୂର୍ବରୁ ଧାନ ଅମଳ ହୋଇଥାଏ। ଏପରି ସ୍ଥିତିରେ ଚାଷୀ ଧାନ ବିକ୍ରି ପାଇଁ ନଭେମ୍ବର ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ଉଚିତ ମନେ ନ କରି ସ୍ଥାନୀୟ ବେପାରୀଙ୍କ ହାତକୁ ନିଜ ଫସଲ ଟେକି ଦେଇଥାଏ। ଏହା ଦ୍ବାରା ଧାନର ଅଭାବ ବିକ୍ରି ହେଉଛି। ତେଣୁ ଧାନ କ୍ରୟ ପାଇଁ ଯେଉଁ ସମୟ ସ୍ଥିର କରାଯାଉଛି ତାହା ବିଭିନ୍ନ ସ୍ଥାନରେ ଫସଲ ଅମଳର ସମୟକୁ ବିଚାରକୁ ନିଆଯାଇ ପରିବର୍ତ୍ତନ କରାଯାଉ। ପଶ୍ଚିମ ଓଡ଼ିଶାର ଚାଷୀଙ୍କ ନିକଟରୁ ସେପ୍ଟେମ୍ବର ମାସର ଧାନ ସଂଗ୍ରହ ପାଇଁ ବ୍ୟବସ୍ଥା କରାଯିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥି ସହିତ ଅଣଜଳସେଚିତ ଏକ ଏକର ଜମି ଥିବା ଚାଷୀଙ୍କ ନିକଟରୁ ନିୟମ ଅନୁସାରେ ସରକାରୀ ପ୍ରକ୍ରିୟାରେ ୧୩ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଉଛି। କିନ୍ତୁ ଏବେ ଧାଡି ଚାଷ ଶ୍ରୀ ପ୍ରକ୍ରିୟା ଓ ଅନ୍ୟାନ୍ୟ ଅଧୁନିକ କୌଶଳ ପ୍ରୟୋଗ କରି କରାଯାଉଥିବା ଚାଷ ଯୋଗୁଁ ଚାଷୀ ପ୍ରତି ଏକର ଜମିରୁ ୨୦ରୁ ୪୦ କୁଇଣ୍ଟାଲ ଧାନ ଅମଳ କରୁଛି। ତେଣୁ ଚାଷୀଙ୍କ ନିକଟରୁ ସମସ୍ତ ଧାନ ଫସଲ କ୍ରୟ ପାଇଁ ସରକାର ନୀତି କରିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଧାନ ସଂଗ୍ରହ ନୀତିରେ ଧାନର ଅଭାବୀ ବିକ୍ରି ରୋକିବା ସହିତ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ କିପରି ଭାବେ ସମୟରେ ମିଳି ପାରିବ ତା ଉପରେ ଗୁରୁତ୍ବାରୋପ କରାଯିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/high-court.jpg)