କଟକ: ମହାମାରୀ ସମୟରେ ସ୍ନାକ୍ସ ବେପାର ହିମାଂଶୁଙ୍କୁ ଦେଇଛି ରୋଜଗାର। ସ୍ନାକ୍ସ ବେପାର କରି କେବଳ ନିଜେ ନୁହେଁ ଅନ୍ୟ ୭ ଜଣଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇ ପାରିଛନ୍ତି ସେ। ତେବେ ସ୍ନାକ୍ସ ମଧ୍ୟରେ ରହିଛି କେବଳ ନିମ୍କି। କୋଭିଡ ସମୟରେ ଚାକିରି ଛାଡି ଏଭଳି ନିଆର ଢଙ୍ଗରେ ବେପାର ଆରମ୍ଭ କରି ନିଜ ପରିବାର ଚଳେଇବା ସହ ଅନ୍ୟ ୭ ପରିବାରଙ୍କୁ ଦେଇଛନ୍ତି ରୋଜଗାର। ଯାହାକି ହିତେଶଙ୍କୁ ଦେଇଛି ଏକ ଭିନ୍ନ ପରିଚୟ। କଟକ ଶିଖରପୁର ଉପରସାହିର ସ୍ବର୍ଗତ ପ୍ରସନ୍ନ କୁମାର ପରିଡ଼ା ଓ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କ ପୁଅ ହିମାଂଶୁ ଶେଖର ପରିଡାଙ୍କ ବୟସ ୩୮ ବର୍ଷ। କରେନା ମହାମାରୀ ସମୟରେ ଚାକିରି ଛାଡ଼ି ଆରମ୍ଭ କରିଛନ୍ତି ସ୍ନାକ୍ସ ବେପାର। ଏବଂ ସ୍ନାକ୍ସ ମଧ୍ୟରେ ରହିଛି କେବଳ ନିମ୍କି। ଯାହାର ଦର ଗୋଟା ପିଛା ୫ ଟଙ୍କା। ଯାହାର ନାମ ରଖିଛନ୍ତି ‘ବିଶ୍ବଗୁରୁ ନିମ୍କି’। ଆଜିକୁ ୮ ବର୍ଷ ହେବ ଭୁବନେଶ୍ବର ଠାରେ ଏକ ଟ୍ରାନ୍ସପୋର୍ଟରେ କର୍ମଚାରୀ ଭାବେ କାର୍ଯ୍ୟରତ ରହିଥିବାବେଳେ କୋଭିଡ଼ ଯୋଗୁଁ ଜାରି ହୋଇଥିବା ଲକ୍ଡ଼ାଉନ ଯୋଗୁଁ ସେ ଚାକିରି ଛାଡ଼ିଥିଲେ। ୨୦୨୦ ମସିହା ମାର୍ଚ୍ଚ ମାସରେ ଚାକିରି ଛାଡ଼ି ଘରେ ଦୁଇ ମାସ ବସି ରହିଥିଲେ। ପୁଅ ଘରେ ବସି ରହିଥିବା ଦେଖି ତାଙ୍କ ମା’ ଲକ୍ଷ୍ମୀପ୍ରିୟା ଏହି ନିମ୍କି ବ୍ୟବସାୟ ଆରମ୍ଭ କରିବା ପାଇଁ ହିମାଂଶୁଙ୍କୁ କହିଥିଲେ। ପରେ ୨୦୨୦ ମସିହା ଜୁନ୍ ମାସରେ ମା’ଙ୍କ କହିବାନୁଯାୟୀ ନିଜ ଘରେ ବ୍ୟବସାୟ ଆରମ୍ଭ କରିଥିଲେ ହିମାଂଶୁ। ଏହି ନିମ୍କି ବନେଇ ବିକ୍ରି କରିବାର ମୁଖ୍ୟ ପାଲଟିଥିଲେ ହିମାଂଶୁଙ୍କ ମା’ ଲକ୍ଷ୍ମୀପ୍ରିୟା। ୬୫ ବର୍ଷ ବୟସରେ ମା’ ପୁଅ ହିମାଂଶୁକୁ ଭାଙ୍ଗି ପଡ଼ିଥିବା ଦେଖି ଏଭଳି ନିଆରା ଉପାୟ ବତାଇବା ସହ ଏଥିରେ ମୁଖ୍ୟ ଭୂମିକା ମଧ୍ୟ ଗ୍ରହଣ କରିଛନ୍ତି।
ତେବେ ଲକ୍ଷ୍ମୀପ୍ରିୟାଙ୍କ ବାପା ଜଣେ ଜଳଖିଆ ବ୍ୟବସାୟୀ ରହିଥିବାବେଳେ ନିଜ ବାପାଙ୍କ ଠାରୁ ଶିଖିଥିବା ନିମ୍କି ପ୍ରସ୍ତୁତି ପ୍ରଣାଳୀକୁ ଉପଯୋଗ କରି ପୁଅଙ୍କୁ ସାହାଯ୍ୟ କରିଛନ୍ତି ସେ। ଦେଢ଼ ବର୍ଷ ହେବ ହିମାଂଶୁ ନିଜ ଘରେ ତାଙ୍କ ମା’, ପତ୍ନୀଙ୍କ ସାହାଯ୍ୟରେ ଏହି ନିମ୍କି ବ୍ୟବସାୟୀ ଆରମ୍ଭ କରିଛନ୍ତି। ଲକ୍ଷ୍ମୀପ୍ରିୟା ତାଙ୍କ ବୋହୂ ସସ୍ମିତା ପରିଡ଼ା ଓ ହିମାଂଶୁଙ୍କୁ ନିମ୍କିର ସମସ୍ତ ପ୍ରଣାଳୀ ଓ ପ୍ରସ୍ତୁତି ମଧ୍ୟ ଶିଖାଇବା ସହ ନିଜେ ଏହାକୁ ତିଆରି କରୁଛନ୍ତି। ପ୍ରଥମେ ସହରରେ ପ୍ରତ୍ୟେକଟି ଦୋକାନ ବୁଲି ଏହା ବିକ୍ରି କରିଥାନ୍ତି ଓ ପରେ ଏହାକୁ ମାଲଗୋଦାମରେ ମଧ୍ୟ ବିକ୍ରି କରିବା ଆରମ୍ଭ କଲେ। ଏପରିକି ନିମ୍କି ପାଇଁ ଅର୍ଡ଼ର ମଧ୍ୟ ରଖିଥାନ୍ତି ହିମାଂଶୁ। ଅର୍ଡ଼ର ଦୁଇଘଣ୍ଟା ମଧ୍ୟରେ ଗ୍ରାହକ ପାଇପାରିବେ ଏହି ନିମ୍କି। ୫ଶହ ଟଙ୍କାରେ ଏହି ନିମ୍କି ବ୍ୟବସାୟ ଆରମ୍ଭ କରିଥିବା ହିମାଂଶୁ ନିଜ ମାଆ, ପତ୍ନୀଙ୍କ ବ୍ୟତୀତ ୭ଟି ପିଲା ରଖି ସେମାନଙ୍କୁ ରୋଜଗାରକ୍ଷମ କରାଇଛନ୍ତି। ପ୍ରତ୍ୟେକଦିନ ୩୫ କିଲୋ ନିମ୍କି ପ୍ରସ୍ତୁତ କରୁଥିବାବେଳେ ନିମ୍କି ଡ଼ବା ପିଛା ୧୧୦ ଟଙ୍କା ରହିଛି ଯେଉଁଥିରେ ୩୦ଟି ନିମ୍କି ରହିଥାଏ। ଏହି ନିମ୍କି ବ୍ୟବସାୟରେ ସମସ୍ତ ଖର୍ଚ୍ଚ ବାଦ୍ ମାସକୁ ସେ ୧୫ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି। ତେବେ ଆଗାମୀଦିନରେ ଏହି ବ୍ୟବସାୟକୁ ବଢ଼ାଇବା ସହ ଚାକିରିରୁ ଛଟେଇ ହୋଇଥିବା ପିଲାଙ୍କୁ ରୋଜଗାରକ୍ଷମ କରାଇବାକୁ ଲକ୍ଷ୍ୟ ରଖିଥିବାବେଳେ ଏହା ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ।
/sambad/media/post_attachments/wp-content/uploads/2022/01/HIMANSHU-SEKHAR-PARIDA064259.jpg)
ମା’ଙ୍କ ସହାୟତା ଯୋଗୁଁ ସବୁ ସମ୍ଭବ ହୋଇଛି
ଚାକିରି ଛାଡ଼ି ଘରେ ବସି ରହିଥିଲି। ମା’ଙ୍କ ଏଭଳି ଉପାୟ ଶୁଣି ମନରେ ଉତ୍କଣ୍ଠା ଆସିଥିଲା। ସେ ସମୟରେ ୫ଶହ ଟଙ୍କା ଖର୍ଚ୍ଚ କରିବା ମଧ୍ୟ ବହୁ କଷ୍ଟକର ଥିଲା। ମା’ ସମସ୍ତ ଦାୟିତ୍ବ ନେଇ ଏହାକୁ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ ଓ ପତ୍ନୀ ମଧ୍ୟ ସମସ୍ତ ପ୍ରକାରର ସହଯୋଗ କରିଥିଲେ। ଲକ୍ଡ଼ାଉନ ସମୟରେ ବେପାର ଆରମ୍ଭ କରିବା ବହୁ କଷ୍ଟ ଥିଲା। ହେଲେ ବିଶ୍ବାସ ଥିଲା ଯେ ବେପାର ଭଲ ହେବ ବୋଲି। ଏବେ ୭ ଜଣ ପିଲା ରଖି ଏହି କାମ ଶିଖାଇ ସେମାନଙ୍କୁ ରୋଜଗାରକ୍ଷମ କରାଇପାରିଛି। ଯାହାକି ଅଧିକ ଖୁସି ଅନୁଭବ କରାଉଛି। ଏହି ସ୍ନାକ୍ସ ଭେରାଇଟି ବଢ଼ାଇବା ସହ ଛଟେଇ ହୋଇଥିବା ପିଲାଙ୍କୁ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରଖିଛି ବୋଲି ହିମାଂଶୁ କହିଛନ୍ତି।
କାମ କରି ଖୁସି ଅନୁଭବ ହେଉଛି
ପୁଅର କଷ୍ଟ ଦେଖି ପାରିଲି ନାହିଁ। ଶେଷରେ ମୁଁ ଶିଖିଥିବା ନିମ୍କିକୁ ବନାଇ ବ୍ୟବସାୟ କରିବା ପାଇଁ ଉପାୟ ଦେଇଥିଲି। ଏହାକୁ ମୁଁ ନିଜେ ବନାଇ ବୋହୂ ଓ ପୁଅକୁ ମଧ୍ୟ ଶିଖାଇଲି। ଏ ବୟସରେ କିଛି କାମ କରିପାରୁଛି ସେଥିପାଇଁ ଖୁସି ଅନୁଭବ କରୁଥିବା କହିଛନ୍ତି ଲକ୍ଷ୍ମୀପ୍ରିୟା ପରିଡ଼ା।
ସ୍ବାମୀଙ୍କୁ ସହଯୋଗ କରି ଭଲ ଲାଗୁଛି
କରୋନା ବହୁ କ୍ଷତିର ସାମ୍ନା କରାଇଛି। ହେଲେ ସେଥିମଧ୍ୟରେ ଶାଶୂଙ୍କ ଏଭଳି ଏକ ନିଆରା ଉପାୟ ଆମକୁ ଦୁଇ ପଇସା ରୋଜଗାର କରାଇବାକୁ ସକ୍ଷମ କରିପାରିଛି। ନିଜ ଘରେ ନିମ୍କି ବନାଇ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରୁଥିବାରୁ ବହୁତ ଖୁସି ଅନୁଭବ ହେଉଛି ବୋଲି ସସ୍ମିତା ପରିଡ଼ା କହିଛନ୍ତି।