କଟକ: ୭୦ ବର୍ଷ ତଳେ ନିର୍ମିତ କଟକର ‘ହିନ୍ଦ୍‌’ ସିନେମା ଆଜି ମାଟିରେ ମିଶିଛି। ଏସ୍‌ସିବି ଏମ୍‌ସ ପ୍ଲସ ସଂପ୍ରସାରଣ ଯୋଜନାରେ ଆଜି ଏହି ହଲ୍‌କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସିନେମା ହଲ ସହିତ ସିଏମ୍‌ସିର ୩୦ଟି ଦୋକାନ ଘରକୁ ମଧ୍ୟ ଉଚ୍ଛେଦ କରାଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ହିନ୍ଦ୍ ସିନେମା ହଲ୍‌ର ମାଲିକଙ୍କୁ ୯ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିବା ବେଳେ ପ୍ରତ୍ୟେକ ଦୋକାନୀଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁର ଚେକ୍‌ ପ୍ରଦାନ କରାଯାଇଛି। ସିଏମ୍‌ସି ପକ୍ଷରୁ ଏହି ୩୦ଟି ଦୋକାନ ଘରକୁ ଭଡା ସୂତ୍ରରେ ଦିଆଯାଇଥିଲା। ସେଥିରୁ ୨୯ଟି ଦୋକାନ ଘରୁ ସିଏମସି ମାସକୁ ୭ଶହ ଟଙ୍କା ଭଡା ଆଦାୟ କରୁଥିବା ବେଳେ ଗୋଟିଏ ଦୋକାନ ଘରୁ ୯ଶହ ଟଙ୍କା ଭଡ଼ା ନେଉଥିଲା। ଏସ୍‌ସିବିକୁ ସଂଯୁକ୍ତ କରୁଥିବା ବିଭିନ୍ନ ରାସ୍ତାର ସଂପ୍ରସାରଣ କରାଯାଉଥିବା ବେଳେ ରାଣୀହାଟ ପୋଲ ନିକଟରେ ଥିବା ହିନ୍ଦ୍‌ ସି‌ନେମା ହଲ ଓ ନିଗମର ୩୦ଟି ଦୋକାନକୁ ଭଙ୍ଗା ଯିବା ସହିତ ମାଲିକଙ୍କୁ କ୍ଷତିପୂରଣ ବାବଦରେ ଅର୍ଥ ପ୍ରଦାନ କରାଯାଇଛି ବୋଲି ଡେପୁଟି କମିସନର ଅବିନାସ ରାଉତ କହିଛନ୍ତି।

Advertisment

publive-image Sambad

ସୂଚନାଯୋଗ୍ୟ, ହିନ୍ଦ୍‌ ସିନେମା ହଲ ଏପ୍ରିଲ ୨୫ ତାରିଖ ୧୯୫୧ରେ ନିର୍ମାଣ ହୋଇଥିଲା। ହଲ୍‌ରେ ୫୨୨ଟି ସିଟ୍‌ ଥିଲା। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ରାଜନେତା ନିତ୍ୟାନନ୍ଦ କାନୁନ୍‌ଗୋ ଏହାର ଶୁଭ ଉଦ୍‌ଘାଟନ କରିଥିଲେ। କଟକ ସହରରେ ଏହା ତୃତୀୟ ହଲ ହୋଇଥିବା ବେଳେ ପ୍ରଥମ ହଲ ଭ‌ାବେ ୧୯୨୬ରେ କ୍ୟାପିଟାଲ ସିନେମା ଓ ଦ୍ବିତୀୟ ହଲ ଭାବେ ୧୯୪୪ରେ ପ୍ରଭାତ ସିନେମା ହଲ ତିଆରି ହୋଇଥିଲା। ପୂର୍ବ ଦୁଇଟି ହଲ୍‌ର ବି ଏବେ ଆଉ ସ୍ଥିତି ନାହିଁ। ଗୁଜୁରାଟୀ ବ୍ୟବସାୟୀ କୁମାର ଜୀ ଗାଙ୍ଗୁଜୀ ହିନ୍ଦ୍‌ ସିନେମା ହଲକୁ ନିର୍ମାଣ କରିଥିଲେ। ହଲରେ ପ୍ରଥମ ସିନେମା ଭାବେ ଦିଲ୍ଲୀପ କୁମାର ଓ ନର୍ଗିସ ଦତ୍ତଙ୍କ ଅଭିନୀତ ଫିଲ୍ମ ‘ହଲଚଲ’ ଖେଳିଥିଲା।

ଦାରା ସିଂହଙ୍କ ଅଭିନୀତ ‘ବୀର ଭୀମସେନ୍‌’ ଚଳଚ୍ଚିତ୍ର ଏହି ହଲ୍‌ରେ ୧୦୦ ଦିନ ଚାଲି ରେର୍କଡ କରିଥିଲା। ୧୯୯୯ ମହାବାତ୍ୟା ପରଠାରୁ କିନ୍ତୁ ଏଠାରେ ଆଉ ନିୟମିତ ସିନେମା ଚାଲିବା ସମ୍ଭବ ହୋଇ ପାରି ନଥିଲା। ଏହାକୁ ମଣ୍ଡପ ଭାବେ ବ୍ୟବହାର କରାଯାଉଥିଲା।