ଇତିହାସ ପାଲଟିବ ‘ହିନ୍ଦ୍’ ସିନେମା, ଏସ୍‌ସିବିର ଏମ୍‌ସ ପ୍ଲସ୍ ପାଇଁ ସହରର ଅନେକ ଗଳିକନ୍ଦି ଉଚ୍ଛେଦ ହେବ: ଜିଲ୍ଲାପାଳ

କଟକ: ମାଟିରେ ମିଶିବ ୭୦ ବର୍ଷର ପୁରୁଣା ପ୍ରେକ୍ଷାଳୟ ‘ହିନ୍ଦ୍‌ ସିନେମା’। ଏସ୍‌ସିବି ମେଡିକାଲର ଏମ୍‌ସ ପ୍ଲସ୍ ରୂପାନ୍ତରିକରଣ ପ୍ରକ୍ରିୟା ପାଇଁ ଏହାକୁ ଭଙ୍ଗାଯାଇ ତାଳଦଣ୍ଡା ‌କେନାଲ ଦକ୍ଷିଣ ପାର୍ଶ୍ବ ରାସ୍ତା ସଂପ୍ରସାରଣ କରାଯିବ। ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ଓ ସିଏମ୍‌ସି କର୍ତ୍ତୃପକ୍ଷ ଚୂଡାନ୍ତ ନିଷ୍ପତ୍ତି ନେଇଥିବା ବେଳେ ସିନେମା ହଲ୍ କର୍ତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିଛନ୍ତି। ଆଜି ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରିଥିବା ବ‌େଳେ ଆସନ୍ତା ୧୨ ତାରିଖରେ ହିନ୍ଦ୍‌ ସିନେମାକୁ ନିଜ ଅକ୍ତିଆର ନେଇ ପରେ ଏହାକୁ ଉଚ୍ଛେଦ କରିବେ ବୋଲି ସୂଚନା ମିଳିଛି। ରାଣୀହାଟ ଛକସ୍ଥିତ ‘ହିନ୍ଦ୍‌ ସିନେମା’ ସ୍ବାଧୀନତା ପରେ ପ୍ରଥମ ସ‌ିନେମା ହଲ୍। କିନ୍ତୁ କଟକ ସହରର ଏହା ତୃତୀୟ ହଲ୍ ଭାବେ ଜଣାଶୁଣା। ୧୯୨୬ ମସିହାରେ ନିର୍ମାଣ ହୋଇଥିବା କ୍ୟାପିଟାଲ ସିନେମା ସହର ପ୍ରଥମ ହଲ୍ ହୋଇଥିବା ବ‌େଳେ ୧୯୪୪ରେ ନିର୍ମିତ  ପ୍ରଭାତ ସିନେମା ଦ୍ବିତୀୟ ହଲ୍‌ ଭାବେ ପରିଚିତ। ସହର ତୃତୀୟ ହଲ୍ ଭାବେ ୧୯୫୧ ମସିହା ଏପ୍ରିଲ୍ ୨୫ ତାରିଖରେ ରାଣୀହାଟ ଛକରେ ଗଢ଼ି ଉଠିଥିଲା ‘ହିନ୍ଦ୍‌ ସିନେମା’।

ପିଲ୍‌ଗ୍ରିମ୍ ରୋଡରେ ରହୁଥିବା ଗୁଜୁରାଟୀ ବ୍ୟବସାୟୀ କୁମାର ଜୀ ଗାଙ୍ଗ୍‌ଜୀ ଏହାକୁ ନିର୍ମାଣ କରିଥିଲେ। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ରାଜନେତା ନିତ୍ୟାନନ୍ଦ କାନୁନ୍‌ଗୋ ଏହି ପ୍ରେକ୍ଷାଳୟର ଶୁଭ ଉଦ୍‌ଘାଟନ କରିଥିଲେ। ଏଥିରେ ଏକକାଳୀନ ୫୨୨ଜଣ ବସିବା ଭଳି ସିଟ୍‌ ରହିବା ସହିତ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଥିଲା। ପ୍ରଥମ ସିନେମା ଭାବେ ସୁପରଷ୍ଟାର୍‌ ଦିଲ୍ଲୀପ କୁମାର ଓ ନର୍ଗିସ ଦତ୍ତଙ୍କ ଅଭିନୀତ ‘ହଲ୍‌ଚଲ’ ସିନେମା ଖେଳିଥିଲା। କିନ୍ତୁ ଦାରା ସିଂହଙ୍କ ଅଭିନୀତ ‘ବୀର ଭୀମସେନ୍‌’ ଚଳଚ୍ଚିତ୍ର ଏହି ହଲ୍‌ରେ ୧୦୦ ଦିନ ଖେଳି ଏକ ରେକର୍ଡ କରିଥିଲା।

ଅଶୀ ଦଶକରେ ଏହି ହଲ୍‌ରେ ପଡ଼ିଥିବା ବଙ୍ଗଳା ଚଳଚ୍ଚିତ୍ର ‘ଶଶ୍ବର ବାଡି’କୁ ନେଇ ବିବାଦୀୟ ସ୍ଥିତି ସୃ‌ଷ୍ଟି ହୋଇଥିବାରୁ ତତ୍କାଳୀନ ଜିଲ୍ଲାପାଳ ସଂପୃକ୍ତ ଚଳଚ୍ଚିତ୍ରକୁ ବନ୍ଦ କରିବା ନିର୍ଦ୍ଦେଶ ଦେଇଥିଲେ। ସିନେମା ହଲ୍ ପାଇଁ ରାଣୀହାଟ ଛକ ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ପାଲଟିଥିଲା। ବହୁ ସଂଖ୍ୟକ ଲୋକଙ୍କ ପାଇଁ ଏହା ରୋଜଗାର ଉତ୍ସ ପାଲଟିଥିଲା। ୧୯୯୦ ମସିହା ପର୍ଯ୍ୟନ୍ତ ନିରନ୍ତର ୪୦ବ‌ର୍ଷ ଧରି ଏହି ହଲ୍ ସ‌ିନେମାପ୍ରେମୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୧୯୯୦ ମସିହା ଅକ୍ଟୋବର ୩୦ତାରିଖରେ ଏହା କିଛି ଦିନ ପାଇଁ ବନ୍ଦ ରହିଥିଲା। ଏହା ପରେ ଆଉ କିଛି ଦିନ ଚାଲିବା ପରେ ସଂପୂର୍ଣ୍ଣ ବନ୍ଦ ପଡ଼ିଥିଲା। ପରେ ଏହାକୁ କଲ୍ୟାଣ ମଣ୍ଡପ ଭାବେ ବ୍ୟବହାର କରାଯାଉଥିଲା। ଏବେ ଏସ୍‌ସିବି ମେଡିକାଲ୍‌ର ସଂପ୍ରସାରଣ ଓ ଏମ୍‌ପ୍ଲସ୍ ପାଇଁ ଏହା ଇତିହାସ ହେବାକୁ ଯାଉଛି। ଖାଲି ହିନ୍ଦ୍ ସିନେମା କାହିଁକି ଏସ୍‌ସିବି ସଂଯୋଗ କରୁଥିବା ରାସ୍ତାର ଆହୁରି ଅନେକ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ, ଏସ୍‌ସିବିକୁ ସିଧାସଳଖ ସଂଯୋଗ କରୁଥିବା ରାସ୍ତାକୁ ସଂପ୍ରସାରଣ କରାଯିବ। ଏହି ସବୁ ରାସ୍ତାରେ ଯେଉଁ ସାହି ବସ୍ତି ରହିଛି ବା ଜବରଦଖଲ ଅଛି, ତାହାକୁ ଉଚ୍ଛେଦ କରିବା ଯୋଜନା ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର