ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ହୋଲଡିଂ ଟିକସ୍‌ ଆଦାୟ ବନ୍ଦ, ଟିକସ ନ ଦେଇ ସିଏମ୍‌ସିରୁ ଫେରୁଛନ୍ତି ଲୋକେ

କଟକ: ମହାନଗର ନିଗମରେ ଏବେ ସାଧାରଣ ଲୋକେ ଅନ୍‌ଲାଇନ୍‌ରେ କିମ୍ବା ଅଫ୍‌ଲାଇନ୍‌ରେ ହୋଲଡିଂ ଟିକସ ଦାଖଲ କରିପାରୁ ନାହାନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଇ-ମ୍ୟୁନିସିପାଲ ଆପ୍ଲିକେସନ୍‌କୁ ବନ୍ଦ ରଖାଯାଇ ଥିବା ବେଳେ ନିଗମ ତରଫରୁ ଅଫ୍‌ଲାଇନ୍‌ ଟିକସ ଆଦାୟକୁ ମଧ୍ୟ ବନ୍ଦ ରଖାଯାଇଛି। ଏଥିପାଇଁ ପ୍ରତିଦିନ ଅନେକ ଲୋକ ସିଏମ୍‌ସି କାର୍ଯ୍ୟାଳୟକୁ ଟିକସ ଦେବାକୁ ଯାଇ ନିରାଶ ହୋଇ ଫେରୁଛନ୍ତି। ମହାନଗର ନିଗମ ଅଞ୍ଚଳରେ ଘ‌ର କରିଥିବା ସାଧାରଣ ଲୋକେ ସିଏମ୍‌ସିକୁ ହୋଲ୍‌ଡିଂ ଟ୍ୟାକ୍ସ ଦେବାର ବ୍ୟବସ୍ଥା ରହିଛି। ସିଏମ୍‌ସି ପକ୍ଷରୁ ପୂର୍ବରୁ ଅଫ୍‌ଲାଇନ୍‌ରେ ଟିକିସ ଦେବାର ବ୍ୟବସ୍ଥା ଥିବା ବେଳେ ଗତ ଜୁନ୍‌ରୁ ଏହାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି। ଅଫ୍‌ଲାଇନ୍‌ ବଦଳରେ ଅନ୍‌ଲାଇନ୍‌ରେ ଟିକସ ଆଦାୟ କରାଯାଉଛି। ରାଜ୍ୟ ସରକାରଙ୍କ ଇ-ମ୍ୟୁନିସିପାଲ୍‌ ଆପ୍ଲିକେସନ୍‌କୁ ଯାଇ ସାଧାରଣ ଲୋକେ ହୋଲଡିଂ ଟିକସ ଦେଉଥିଲେ। ମାତ୍ର ଗତ ଏକ ସପ୍ତାହ ହେବ ଏହାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବନ୍ଦ କରି ଦିଆଯାଇଛି। ବିଭାଗ ପକ୍ଷରୁ ଇ-ମ୍ୟୁନିସିପାଲ୍‌ ଆପ୍ଲିକେସନ୍‌ ବଦଳରେ ଆସନ୍ତା ଦିନରେ ସୁଯୋଗ ଆପ୍ଲିକେସନ୍‌ରେ ବିଭିନ୍ନ ଟିକସ୍‌ ଦେବାର ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଗତ କିଛି ଦିନ ଧରି ସମସ୍ତ ଡାଟା ଅପ୍‌ଡେଟ୍‌ କରାଯିବା ସହିତ ଇ-ମ୍ୟୁନିସିପାଲ ଆପ୍ଲିକେସନ୍‌କୁ ବନ୍ଦ ରଖାଯାଇଛି।

ଜୁନ୍‌ ମାସରୁ ସହରବାସୀ ଅନ୍‌ଲାଇନ୍‌ରେ ‌ହୋଲଡିଂ ଟିକସ ଦେଉଥିବା ବେଳେ ଏବେ ଏହା ବନ୍ଦ ରହିଛି। ଏଥିପାଇଁ ଅନେକ ଲୋକ ସିଏମ୍‌ସି ବିଜୁ ଭବନକୁ ଟିକସ ଦେବାକୁ ଆସୁଥିବା ବେଳେ ସେମାନଙ୍କ ଠାରୁ ହୋଲଡିଂ ଟିକସ ଅଫ୍‌ଲାଇନ୍‌ରେ ଗ୍ରହଣ କରାଯାଉ ନଥିବାର ଅଭିଯୋଗ କରିଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ରେ ଟିକସ ‌ବ୍ୟବସ୍ଥାକୁ କିଛି ଦିନ ପାଇଁ ବନ୍ଦ ରଖାଯାଇଛି। ସେପଟେ ଗତ ଜୁନ୍‌ରୁ ସିଏମ୍‌ସି ଅଫ୍‌ଲାଇନ୍‌ ଟିକସକୁ ବନ୍ଦ କରିଦେଇଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଅନ୍‌ଲାଇନ୍‌ରେ ଟିକସ ଦେବାର ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଯିବ ବୋଲି ନିଗମ ସଚିବ ଲତାଶ୍ରୀ ବାଗ କହିଛନ୍ତି। ‌ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ରେ ହୋଲଡିଂ ଟିକସ ଦେଇ ନପାରି ସଧାରଣ ଲୋକେ ସମସ୍ୟାରେ ପଡୁଥିବା ବେଳେ ଏହା ଉପରେ ମହାନଗର ନିଗମ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର