କଟକ: କଟକ ପୌର ନିଗମକୁ ମିଳୁଥିବା ରାଜସ୍ବର ସିଂହଭାଗ ହୋଲଡିଂ ଟିକସରୁ ଆସିଥାଏ। ପ୍ରତ୍ୟେକ ବର୍ଷ ହୋଲଡିଂ ଟିକସ ବାବଦକୁ ନିଗମ କୋଟି କୋଟି ଟଙ୍କା ରାଜସ୍ବ ପାଇଥାଏ। ମାତ୍ର କରୋନା ପାଇଁ ଦୁଇ ବର୍ଷ ଧରି ଟିକସ ଆଦାୟ ପରିମାଣ ୨୦୧୯-୨୦୨୦ ତୁଳନାରେ ୩୦ରୁ ୪୦ ପ୍ରତିଶତ ହ୍ରାସ ପାଇଛି। ନିଗମର ଶତପ୍ରତିଶତ ରାଜସ୍ବ ଆଦାୟ ପାଇଁ ଶିବିର ଆୟୋଜନ ବନ୍ଦ ରହିବା, ଅନ୍ଲାଇନ୍ ଟିକସ ଆଦାୟ ବ୍ୟବସ୍ଥା ୧୦ ମାସ ଧରି କାମ ନ କରିବା ଓ ୫୦ ବର୍ଷ ତଳର ଆସେସ୍ମେଣ୍ଟକୁ ନେଇ ହୋଲଡିଂ ଟିକସ ଆଦାୟ ହେବା ପୌର ନିଗମର ଟିକସ କମିବାର ମୁଖ୍ୟ କାରଣ ଥିବା ବେଳେ ଏହାକୁ ବଢାଇବା ଦିଗରେ କାମ କରିବାକୁ ନିଗମ କର୍ତ୍ତୃପକ୍ଷ ଏଯାଏ ପଦକ୍ଷେପ ନେଇ ନାହାନ୍ତି। ପୌର ନିଗମ ତରଫରୁ ଶତ ପ୍ରତିଶତ ହୋଲଡିଂ ଟିକସ ଆଦାୟ ପାଇଁ ବିଭିନ୍ନ ୱାର୍ଡରେ ଶିବିର ଆୟୋଜନ କରାଯାଏ। ମାତ୍ର ୨୦୨୦ରେ କରୋନା ପାଇଁ ଶିବର ବନ୍ଦ ଥିବା ବେଳେ ୨୦୨୧ରେ ସଂକ୍ରମଣ ସ୍ଥିତି ସାମାନ୍ୟ ଥିଲେ ବି ଏହାକୁ ଆୟୋଜନ କରାଯାଇ ନଥିଲା।
ପ୍ରତିବର୍ଷ ଜାନୁଆରିରୁ ମାର୍ଚ୍ଚ ୩ ମାସ ଧରି ପୌର ନିଗମର ସମସ୍ତ ୱାର୍ଡରେ ଶିବିର ଆୟୋଜନ ହୁଏ। ଯେଉଁମାନେ ଟିକସ ଦେଇ ନଥାନ୍ତି ସେମାନଙ୍କୁ ଶିବିର ମାଧ୍ୟମରେ ଟିକସ୍ ଦେବାକୁ କୁହାଯାଏ। ନିଗମ କର୍ମଚାରୀ ଘର ନିକଟକୁ ଆସି ଟିକସ ନେଉଥିବାରୁ ଶିବିରରେ ଅଧିକ ପରିମାଣରେ ଟିକସ ଆଦାୟ ହୋଇଥାଏ। ହେଲେ ଏହା ଗତବର୍ଷ ବନ୍ଦ ଥିବାରୁ ନିଗମର ରାଜସ୍ବ ଆୟ ବହୁ ମାତ୍ରାରେ କମିଛି। ସେପଟେ ୨୦୨୧ ସେପ୍ଟେମ୍ବରରୁ ଅନ୍ ଲାଇନ୍ ଟିକସ ସଂଗ୍ରହ ବ୍ୟବସ୍ଥା ବନ୍ଦ ଥିବାରୁ ଅନେକ କର ଦାତା ଟିକସ୍ ଦେଇ ପାରି ନଥିଲେ। ଅନ୍ୟପଟେ ସହରରେ ୧ଲକ୍ଷ ୪୦ ହଜାରରୁ ଅଧିକ ଘର ଥିବା ବେଳେ ମାତ୍ର ୬୬ ହଜାର ଘରର କର ନିର୍ଧାରଣ କରାଯାଇ ଏବେ ଟିକସ ଆଦାୟ କରାଯାଉଛି। ଏଭଳି ସ୍ଥିତିରେ ଶିବିର ଆୟୋଜନ ସହ ସହରର ପ୍ରତି ଘରକୁ ଆସେସ୍ମେଣ୍ଟ କରି ପୌର ନିଗମ ଟିକସ ଆଦାୟ କଲେ ନିଗମର ରାଜସ୍ବ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଛି। ଚଳିତବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ବିଭିନ୍ନ ୱାର୍ଡରେ ଶିବିର ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସହ ଟିକସ ଆଦାୟରେ ଏସ୍ଏଚ୍ଜି ଗ୍ରୁପଙ୍କୁ ବ୍ୟବହାର କରିବାକୁ ଯୋଜନା କରାଯାଇଛି ବୋଲି ଡେପୁଟି କମିସନର ଅମୀୟ କୁମାର ପଣ୍ଡା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/CMC2092532.jpg)